ପୁରୀ : ଜନ୍ମବେଦିରେ ମହାପ୍ରଭୁଙ୍କ ନବଦିନର ଲୀଳାଖେଳ ଶେଷ ହୋଇଛି। ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ରବିବାର ମହାପ୍ରଭୁ ପୁଣି ଥରେ ଶ୍ରୀମନ୍ଦିର ବାହୁଡ଼ିବେ। ପରମ୍ପରା ଅନୁଯାୟୀ, ଆସନ୍ତାକାଲି ସମସ୍ତ ନୀତି ଶେଷ ପରେ ପୁନର୍ବାର ରଥରେ ବସି ତିନି ଠାକୁର ରତ୍ନବେଦିକୁ ଫେରିବେ। ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରିଛନ୍ତି। ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହେଉଥିବା ବେଳେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ତେବେ ରବିବାର ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ରଥଟଣାରେ ଏହା ପ୍ରତିବନ୍ଧକ ସାଜିପାରେ ବୋଲି ଅନୁମାନ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ନୀର୍ଘଣ୍ଟ ନୀତି ଅନୁଯାୟୀ, ଆଜି ରାତି ସାଢ଼େ ୨ରୁ ସାଢ଼େ ୩ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ କୁସୁମିଲାଗି ନୀତି ପରେ ଆସନ୍ତାକାଲି ଭୋରରେ ବାହୁଡ଼ା ଯାତ୍ରା ନୀତି ଆରମ୍ଭ ହେବ। ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି ଓ ରୋଷହୋମ, ସକାଳ ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୫ଟାରେ ଦ୍ଵାରପାଳ ପୂଜା ଓ ବେଶ ଶେଷ, ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ), ସକାଳ ୭ଟାରୁ ପୂର୍ବାହ୍ଣ ୧୧ଟା ସେନାପଟା ଲାଗି, ୧୧ଟା୪୫ରେ ମଙ୍ଗଳାର୍ପଣ ନୀତି ଶେଷ ହେବ। ପରେ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି ଶେଷ ହେବ। ଚତୁର୍ଦ୍ଧା ମୂର୍ତି ଧାଡ଼ି ପହଣ୍ଡିରେ ତିନି ରଥକୁ ବିଜେ କରିବେ। ପ୍ରଥମେ ଶ୍ରୀସୁଦର୍ଶନ ଏବଂ ପରେ ବଡ଼ଠାକୁର ବଳଭଦ୍ର, ମା ସୁଭଦ୍ରା ଓ ଶ୍ରୀଜଗନ୍ନାଥ ରଥ ଉପରେ ବିଜେ କରିବେ। ପରେ ଗଜପତି ମହାରାଜ ତିନି ରଥରେ ଛେରାପହଁରା ନୀତି ସଂପନ୍ନ କରିବେ। ଅପରାହ୍ଣ ୩ରୁ ୪ଟା ଚାରମାଳ ଫିଟା ଓ ଘୋଡ଼ାଲାଗି ନୀତି ଶେଷ ହେବ। ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ତିନି ରଥ ଶ୍ରୀମନ୍ଦିର ସିଂହଦ୍ଵାରଠାରେ ପହଞ୍ଚିବା ପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।