ବିନା ଭକ୍ତରେ ବାହୁଡ଼ିଲେ, ଆଜି ସୁନାବେଶ

ଢୁଢୁ ବର୍ଷାରେ ଟାଣିନେଲେ ରଥ

ପୁରୀ: ଆଜି ବି ବଡ଼ଦାଣ୍ଡ ଥିଲା ଶୂନଶାନ୍‌। ନା ବାହୁଡ଼ା ବେଳର ‌ସେଇ ସ୍ବାଭାବିକ ଭିଡ଼ ଥିଲା ନା କୋଳାହଳ ଥିଲା। ହରିବୋଲ ହୁଳହୁଳିର ସେ ଆତୁରତା ନଥିଲା କି ରଥ ଟାଣିବାକୁ ପ୍ରତିଯୋଗିତା ମନୋଭାବ ନଥିଲା। ଗୁଣ୍ଡିଚା ମନ୍ଦିର ନିକଟରେ ଚୁଡ଼ାଘଷା ଭୋଗର ଆସର ଜମି ନଥିଲା କି ମହାପ୍ରଭୁ ଶରଧାବାଲିରୁ ଫେରିଯିବା ଦୁଃଖରେ ଭକ୍ତ କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିନଥିଲା। ମହାପ୍ରଭୁ ବିନା ଭକ୍ତରେ ବୁଲିବାକୁ ଆସି, ପୁଣି ଭକ୍ତ ଶୂନ୍ୟ ଦାଣ୍ଡରେ ବାହୁଡ଼ି ‌ଯାଇଥିଲେ। ବାହୁଡ଼ା ଯାତ୍ରାର ଏହି ମହାପର୍ବରେ ପୂର୍ବାହ୍‌ଣରେ ଟାଇଁଟାଇଁ ଖରା ହେଉଥିବା ବେଳେ ଅପରାହ୍‌ଣ ବେଳକୁ ଜୋର୍‌ରେ ବର୍ଷା ବର୍ଷିଥିଲା। ତେବେ ଏହି ଢୁ ଢୁ ବର୍ଷାରେ ଆକର୍ଷଣ ସାଜିଥିଲା ସେବାୟତଙ୍କ ଭକ୍ତିପୂତ ସେବା।

ବର୍ଷା କଚାଡ଼ୁଥିଲେ ହେଁ ରଥ ଦଉଡ଼ି ଛାଡ଼ିନଥିଲେ ସେବାୟତ। ବରଂ ବର୍ଷାର ଆଗମନରେ ଜୋର୍‌ରେ ହରିବୋଲ ପକାଇ ରଥ ଟାଣି ନେଇଥିଲେ। ତେବେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆଜି ଚାଲିଥିଲା ଭକ୍ତି ପରୀକ୍ଷା। ବଡ଼ଦାଣ୍ଡରେ ଘର କରିଥିବା ଭକ୍ତଟିଏ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଉଚ୍ଛନ୍ନ ହେଉଥିଲେ ହେଁ ସୁପ୍ରିମକୋର୍ଟ ଗାଇଡ୍‌ଲାଇନ୍‌ ମାନି ଝରକା କବାଟ କିଳିଦେଇ ବନ୍ଦ ଘରେ ରହିବାକୁ ପଡ଼ିଥିଲା। କିଛି ଭକ୍ତ ବଡ଼ଦାଣ୍ଡଠୁ ଦୂ‌ରରେ ଉଚ୍ଚ କୋଠାମାନଙ୍କରେ ସମବେତ ହୋଇ ଦର୍ଶନ କରୁଥିବା ବେଳେ ଆଉ କିଛି ନିଜ ସାହି ଗଳିର ଶେଷ ମୁଣ୍ଡରେ ଛିଡ଼ା ହୋଇ ମହାପ୍ରଭୁଙ୍କ ରଥ ଦେଖିବାକୁ ହାତ ଯୋଡ଼ି ବ୍ୟାକୁଳ ହେଉଥିଲେ। ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିବାରୁ ଭକ୍ତମାନେ ଆଜି ବି ନିଜ ଘରେ ଟିଭି ସମ୍ମୁଖରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।‌ ସେଇଠି ମହାପ୍ରଭୁଙ୍କ ପାଖରେ ଦୀପ ଜାଳି ଗୁହାରି ବାଢ଼ିଥିଲେ।

ଆଜି ସୁନାବେଶ
ପୁରୀ: ବୁଧବାର ଆଷ‌ାଢ଼ ଶୁକ୍ଳ ଦ୍ବାଦଶୀ ତିଥିରେ ମହାପ୍ରଭୁଙ୍କ ସୁନାବେଶ(ବଡ଼ତଢ଼ାଉ ବେଶ) ଅନୁଷ୍ଠିତ ହେବ। ବାହୁଡ଼ାଯାତ୍ରା ପରେ ସିଂହଦ୍ବାରରେ ସୁନାବେଶରେ ଦର୍ଶନ ଦେବେ ରଥାରୁଢ଼ ଶ୍ରୀଜିଉ। ବର୍ଷର ବିଭିନ୍ନ ସମୟରେ ରତ୍ନବେଦିରେ ସୁନାବେଶରେ ଦର୍ଶନ ଦେଉଥିବା ଶ୍ରୀଜିଉ ରତ୍ନଖଚିତ ମହଣ ମହଣ ସୁନାର ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ ଦେବେ ଦର୍ଶନ। ସୁନାର କିରୀଟ, କୁଣ୍ଡଳ, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ ଆଦି ଆଭୂଷଣ ପିନ୍ଧି ମହାପ୍ରଭୁ ଦର୍ଶନ ଦେବେ। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହେବା ସହ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଅପରାହ୍‌ଣ ୪ଟାରୁ ସୁନାବେଶ ଆରମ୍ଭ ହେବ। ରାତି ୧୧ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ। କିନ୍ତୁ ଭୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଦୁର୍ଲ୍ଲଭ ଦର୍ଶନରୁ ଭକ୍ତଙ୍କୁ ବଞ୍ଚିତ ରଖାଯାଇଛି। କେବଳ ଟେଲିଭିଜନ୍‌ ପରଦାରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ବ୍ୟବସ୍ଥା କରାଯାଇଛି। ଦୂରଦର୍ଶନ ଫିଡ୍‌ରେ ସିଧାପ୍ରସାରଣର ବ୍ୟବସ୍ଥା କରାଯାଇଛି।

ବାହୁଡ଼ାଯାତ୍ରା ଭଳି ସୁନାବେଶରେ ବି ପୁରୀ ସହରରେ କର୍ଫ୍ୟୁ କଟକଣା ବଳବତ୍ତର ରଖାଯାଇଛି। ଆଇନଶୃଙ୍ଖଳା ଦୃଷ୍ଟିରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ବ୍ୟବସ୍ଥା କରାଯାଇଛି। ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସଂଯୋଗପଥକୁ ସିଲ୍‌ କରାଯାଇଛି। ମାଳମାଳ ପୁଲିସ ବିଭିନ୍ନ ପ୍ରବେଶ ପଥରେ ଜଗି ରହିଛନ୍ତି। ବଡ଼ଦାଣ୍ଡରେ ମୋଚିସାହି ଛକରୁ ଜନସାଧାରଣଙ୍କ ପ୍ରବେଶରେ ରୋକ୍‌ ଲଗାଯାଇଛି।
ନିର୍ଘଣ୍ଟ ନୀତି ଅନୁଯାୟୀ, ଆସନ୍ତାକାଲି ଭୋର ୬ଟାରୁ ସାଢ଼େ ୬ଟା ଭିତରେ ତିନି ରଥରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହେବ। ସକାଳ ୭ଟାରେ ମଇଲମ ଓ ତଡ଼ପଲାଗି, ୮ଟାରେ ଅବକାଶ, ୯ଟାରେ ବେଶଶେଷ, ପୂର୍ବାହ୍‌ଣ ୧୦ଟାରୁ ସାଢ଼େ ୧୦ଟା ଗୋପାଳବଲ୍ଲଭ, ପୂର୍ବାହ୍ଣ ୧୧ଟାରୁ ୧୨ଟା ସକାଳଧୂପ, ମଧ୍ୟାହ୍ନ ସାଢ଼େ ୧୨ଟାରେ ମଇଲମ, ଅପରାହ୍ଣ ଗୋଟାଏରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ସାଢ଼େ ଗୋଟାଏରେ ବେଶ ଶେଷ, ଅପରାହ୍ଣ ୨ଟାରୁ ୩ଟା ଭିତରେ ମଧ୍ୟାହ୍ନ ଧୂପ, ଅପରାହ୍ଣ ସାଢ଼େ ୩ଟାରେ ମଇଲମ, ଅପରାହ୍‌ଣ ୪ଟାରେ ମେକାପ ସର୍ବାଙ୍ଗ ନୀତି ସଂପନ୍ନ ହେବ। ଅପରାହ୍‌ଣ ୪ଟାରୁ ୫ଟା ଭିତରେ ତିନି ଠାକୁରଙ୍କୁ ସୁନାବେଶ କରାଯିବ। ରାତି ୮ଟାରୁ ୯ଟା ସନ୍ଧ୍ୟାଧୂପ, ରାତି ୧୧ଟାରୁ ୧୨ଟା ସୁନାବେଶ ମଇଲମ, ସାଢ଼େ ୧୨ଟାରେ ଚନ୍ଦନଲାଗି, ରାତି ଗୋଟାଏରେ ବଡସିଂହାର ବେଶ, ସାଢ଼େ ଗୋଟାଏରେ ବଡ଼ସିଂହାର ଭୋଗ, ରାତି ୨ଟାରେ ପହୁଡ଼ ନୀତି ଅନୁଷ୍ଠିତ ହେବ। ସୁନାବେଶ ଶେଷ ପରେ ଜୁଲାଇ ୨୨ ତାରିଖରେ ଅଧରପଣା ନୀତି, ୨୩ ତାରିଖରେ ନୀଳଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

ବର୍ଷରେ ୪ ଥର ଶ୍ରୀମନ୍ଦିର ରତ୍ନ ସଂହାସନରେ ମହାପ୍ରଭୁଙ୍କର ସୁନାବେଶ ହୋଇଆସୁଛି। କିନ୍ତୁ ଏହାକୁ ସମସ୍ତେ ଦେଖିବାର ସୁଯୋଗ ପାଉନାହାନ୍ତି। ଏଣୁ ବାହୁଡ଼ା ଦଶମୀ ପରେ ଏକାଦଶୀ ଦିନ ଏହି ବେଶରେ ରଥ ଉପରେ ଦର୍ଶନ ଦେବା ପାଇଁ ତତ୍କାଳୀନ ତଢ଼ାଉକରଣ ଅନୁରୋଧ କରିଥିଲେ। ସେବେଠାରୁ ଏହି ବଡ଼ତଢ଼ାଉ ବେଶ ବା ସୁନାବେଶ ହୋଇଆସୁଛି। ଚଳିତବର୍ଷ ଯୁଗ୍ମ ଦିନ (ଏକାଦଶୀ ଓ ଦ୍ବାଦଶୀ ମିଶି କରି) ପଡ଼ୁଥିବାରୁ ଦ୍ବାଦଶୀରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେଉଛି।

ସମ୍ବନ୍ଧିତ ଖବର