ବାହୁଡ଼ିଲେ ମହାବାହୁ, ଆଜି ହେବ ସୁନାବେଶ

୪ ଘଣ୍ଟା ଆଗରୁ ପହଣ୍ଡି, ରଥଟଣା, ସିଂହଦ୍ବାର ଚକଡ଼ାରେ ତିନି ରଥ

ପୁରୀ: ଜନ୍ମବେଦିରେ ନବଦିନାତ୍ମକ ଲୀଳା ସାରି ଖରା-ବର୍ଷାର ଲୁଚକାଳି ଖେଳ ଭିତରେ ବାହୁଡ଼ିଛନ୍ତି ଲୀଳାମୟ କାଳିଆ ସାଆନ୍ତ। ବଡ଼ଦାଣ୍ଡରେ ପୁଣିଥରେ ଗଡ଼ିଛି ତିନିରଥ। ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନି ସହ ରଥ ଚକାର ଘର୍‌ଘର୍‌ ଶବ୍ଦରେ କମ୍ପିଛି ବଡ଼ଦାଣ୍ଡ। ଅପରାହ୍ଣରେ ପ୍ରବଳ ବର୍ଷା ସତ୍ତ୍ବେ ଅଟକିନି ତିନି ରଥ। ବର୍ଷାରେ ଭିଜି ଭିଜି ସେବାୟତ ତିନି ରଥକୁ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ସିଂହଦ୍ବାର ଚକଡ଼ାରେ ପହଞ୍ଚାଇଛନ୍ତି। କିନ୍ତୁ କାଳିଆର ପ୍ରିୟ ଭକ୍ତଙ୍କୁ ଆଜି ବଡ଼ଦାଣ୍ଡରେ ଦେଖିବାକୁ ମିଳିନି। ଭାବ ବିନୋଦିଆ ମହାବାହୁ ଆଜି ବିନା ଭକ୍ତରେ ବଡ଼ ଭାଇ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଭଉଣୀ ମା’ ସୁଭଦ୍ରାଙ୍କ ସହ ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି। ନିର୍ଘଣ୍ଟ ନୀତିର ୪ ଘଣ୍ଟା ଆଗରୁ ପହଣ୍ଡି ସହ ରଥଟଣା ଆରମ୍ଭ ହୋଇଛି। ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ପାଇଁ ନୀତି ନିର୍ଘଣ୍ଟ ହୋଇଥିଲେ ବି ୭ଟା ୪୦ରୁ ପହଣ୍ଡି ଆରମ୍ଭ ହୋଇଛି। ସନ୍ଧ୍ୟା ସୁଦ୍ଧା ତିନି ରଥ ସିଂହଦ୍ବାର ଚକଡ଼ାରେ ବିଜେ କରିଛନ୍ତି। ତିନି ରଥ ସିଂହଦ୍ବାରରେ ପହଞ୍ଚିବା ପରେ ଆସନ୍ତାକାଲି ସୁନାବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ବାହୁଡ଼ାଯାତ୍ରା ପାଇଁ ଗତକାଲି କୋଠ ସୁଆଁସିଆମାନେ ବାହୁଟକଣ୍ଟ, ଚାରବନ୍ଧା କାମ ‌ଶେଷ କରିବାପରେ ରାତି ସାଢ଼େ ୧୦ଟାରେ କୁସୁମଲାଗି ପାଇଁ ଦଇତାପତିମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଥିଲେ। ରାତି ୩ଟା ୫୫ରେ କୁସୁମଲାଗି ସାରି ଦଇତାପତିମାନେ ବାହାରିବା ପରେ ଆଜିର ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଥିଲା। ଆଜି ଭୋର ୪ଟାରୁ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ‌ଦ୍ବାରପାଳ ପୂଜା, ବେଶ ଶେଷ ହୋଇ ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ସମ୍ପନ୍ନ ହୋଇଥିଲା। ମହାପ୍ରଭୁଙ୍କୁ ଖେଚୁଡ଼ି ଭୋଗ ଲାଗି ହୋଇଥିଲା। ସେନାପଟା ଲାଗି ପରେ ୭ଟା ୪୦ରେ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥକୁ ବିଜେ କରିଥିଲେ। ପ୍ରଥମେ ପ୍ରଭୁ ସୁଦର୍ଶନ ଶରଧାବାଲିରେ ଦଣ୍ଡାୟମାନ ରଥରେ ବିଜେ କରିଥିଲେ। ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥରେ ବିଜେ କରିଥିଲେ। ପୂର୍ବାହ୍ନ ୧୦ଟା ୨୦ ସୁଦ୍ଧା ବାହୁଡ଼ା ପହଣ୍ଡି ଶେଷ ପରେ ୧୦ଟା ୨୫ରୁ ୧୦ଟା ୪୫ ଭିତରେ ମଦନମୋହନ ଓ ରାମ-କୃଷ୍ଣ ରଥରେ ବିଜେ କରିଥିଲେ। ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ସ୍ବତନ୍ତ୍ର ମେହେନାରେ ଶୋଭାଯାତ୍ରାରେ ଶରଧାବାଲିରେ ପହଞ୍ଚିବା ପରେ ଛେରା ପହଁରା ନୀତି ଆରମ୍ଭ ହୋଇଥିଲା। ପ୍ରଥମେ ବଡ଼ଠାକୁର ଶ୍ରୀବଳଭଦ୍ର ତାଳଧ୍ବଜ ରଥ, ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥ ଓ ଶେଷରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ଛେରା ପହଁରା ହୋଇଥିଲା।

ଛେରାପହଁରା ନୀତି ଶେଷ ପରେ ଚାରମାଳ ଫିଟାଯାଇ ତିନି ରଥରେ ଘୋଡ଼ା ଲାଗି ହୋଇଥିଲା। ଘୋଡ଼ା ଲାଗି ପରେ ଡାହୁକର ଗୀତର ତାଳେ ତାଳେ ବଡ଼ଦାଣ୍ଡରେ ଆଗେଇ ଚାଲିଥିଲେ ତିନି ରଥ। ମଧ୍ୟାହ୍ନ ୧୨ଟା ୨୦ରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥଟଣା ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ୧୨ଟା ୫୫ରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥ ଓ ଅପରାହ୍‌ଣ ଗୋଟାଏ ୨୦ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଥିଲା। ମଝିରେ ମଝିରେ ମୋଡ଼ ନେଇ ତାଳଧ୍ବଜ ଓ ଦେବଦଳନ ରଥ ସନ୍ଧ୍ୟା ପୂର୍ବରୁ ସିଂହଦ୍ବାର ଚକଡ଼ାରେ ପହଞ୍ଚିବା ପରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସାରି ସନ୍ଧ୍ୟା ପୂର୍ବରୁ ସିଂହଦ୍ବାରରେ ପହଞ୍ଚିଥିଲେ ଶ୍ରୀଜଗନ୍ନାଥ। ଅପରାହ୍‌ଣ ୩ଟା ୫୦ରେ ତାଳଧ୍ବଜ ରଥ, ଅପରାହ୍ଣ ୪ଟା ୨୦ରେ ଦେବଦଳନ ରଥ ଓ ସନ୍ଧ୍ୟା ୬ଟା ୧୦ରେ ନନ୍ଦିଘୋଷ ରଥ ସିଂହଦ୍ବାର ଚକଡ଼ରେ ପହଞ୍ଚିଥିଲେ। ତାଳଧ୍ବଜ ରଥ ପହଞ୍ଚିବାର କିଛି ସମୟ ପୂର୍ବରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ତିନି ରଥ ପହଞ୍ଚିବା ପର୍ଯ୍ୟନ୍ତ ବି ବର୍ଷା ଲାଗି ରହିଥିଲା।

ସମ୍ବନ୍ଧିତ ଖବର