ବୈଦେଶ୍ୱର ବାଲିଘାଟ କାହା କବ୍‌ଜାରେ? ବାହାର ରାଜ୍ୟରେ ଅମୂଲ ମୂଲ ବାଙ୍କୀ ବୈଦେଶ୍ବର ବାଲି

ନିଲାମ ପୂର୍ବରୁ କୋଟିକୋଟି ଟଙ୍କାର ବାଲି ଚାଲାଣ

କଟକ/ବାଙ୍କୀ : ମହାନଦୀର ବାଙ୍କୀ ବୈଦେଶ୍ବର ବାଲିଘାଟ କାହା କବ୍‌ଜାରେ? ଏହି ବାଲିର ସ୍ବତନ୍ତ୍ର ଚାହିଦା ରାଜ୍ୟ ବାହାରେ ଥିବାରୁ ନିଲାମ ଅନୁମତି ପୂର୍ବରୁ ଏଠାରୁ କୋଟି କୋଟି ଟଙ୍କାର ବାଲି ଚାଲାଣ ପଛରେ କାହାର ହାତ ରହିଛି? ମହାନଦୀରେ ଏବେ ପାଣି ଆସିବା ପୂର୍ବରୁ ଏହି ବାଲିଘାଟକୁ କବଜା କରିଥିବା ମାଫିଆଙ୍କ ପ୍ରତି ପ୍ରଶାସନ କାହିଁକି କୋହଳ ମନୋଭାବ ଦେଖାଇ ଆସିଛି? ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଘଟଣାର ଉଚ୍ଚସ୍ତରୀୟ ଯାଞ୍ଚ ପାଇଁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହେଉଛି।

ସୂଚନା ଅନୁଯାୟୀ ବୈଦେଶ୍ବର ଓ ଓସ୍ତିଆ ଘାଟ ପାଇଁ ଗତ ସପ୍ତାହରେ ପରିବେଶ ମଞ୍ଜୁରି ଆସିଛି। କିନ୍ତୁ ପରିବେଶ ମଞ୍ଜୁରି ଆସିବା ପୂର୍ବରୁ ‌ବୈଦେଶ୍ବର ଘାଟରୁ ବେଆଇନ ଭାବେ ବାଲି ଚାଲାଣ ଚାଲିଛି। ପୂର୍ବରୁ କେବଳ ଦୋଷ ଛଡ଼ାଇବା ଢଙ୍ଗରେ ସ୍ଥାନୀୟ ପ୍ରଶାସନ ଚଢାଉ କରି ଦିନେ ଦୁଇ ଦିନ ଚ‌ାଲାଣ ବନ୍ଦ କରିଥିବା ବେଳେ ପୁଣି ତାହା ବେଧଡକ ଜାରି ରହିଛି।

ବାଙ୍କୀ ତହସିଲ ଅଧୀନରେ ରହିଛି ୫ଟି ସରକାରୀ ବାଲିଘାଟ। ସେଗୁଡିକ ହେଲା ବୈଦେଶ୍ବର, ଅନୁଆରୀ, ତେନ୍ତୁଳିଆ, ସୁନାଦେଈ ଓ ଓସ୍ତିଆ । କିନ୍ତୁ ଏହାକୁ ବାଦ୍‌ ଦେଇ ଅନେକ ଚୋରା ଘାଟ ବି ରହିଛି ଯେଉଁଠୁ ବାଲି ଉଠୁଛି। ଏହିସବୁ ବାଲିଘାଟ ପାଇଁ ୫ ବର୍ଷିଆ ନିଲାମ ପ୍ରକ୍ରିୟା ଶେଷ ହୋଇଛି। ହେଲେ ପରିବେଶ ମଞ୍ଜୁରୀ ମିଳି ନ ଥିବାରୁ ସରକାରୀ ଭାବେ ତାହା କାର୍ଯ୍ୟକ୍ଷମ ହୋଇ ନଥିଲେ ବି ସବୁ ଘାଟରୁ ବାଲି ଚାଲାଣ ହେଉଛି। ସୁନାଦେଈ ଘାଟକୁ ନେଇ ଏକ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ ସେହି ବାଲିଘାଟ ବନ୍ଦ ରହିଛି। ମହାନଦୀର ଉତ୍ତର ପାର୍ଶ୍ବରେ ଥିବା ଓସ୍ତିଆ ବାଲିଘାଟ ସବୁଠାରୁ ଛୋଟ। ୫ ଏକରରୁ କମ୍‌ ଅଞ୍ଚଳରେ ଥିବା ଏହି ଘାଟରେ ବାଲିଚାଲାଣ କରାଯାଉଥିବା ଅଭିଯୋଗ ପାଇବା ପରେ ବିଭିନ୍ନ ସମୟରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଥିବା ସୂଚନା ଦିଆଯାଇଛି। ବାଲିଘାଟର ପ୍ରବେଶ ପଥକୁ ଖୋଳାଯାଇ ଚୋରା ଚାଲାଣକୁ ବନ୍ଦ କରାଯାଇଥିବା କୁହାଯାଉଛି। କିନ୍ତୁ ନିକଟସ୍ଥ ତେନ୍ତୁଳିଆ ଘାଟ ରାସ୍ତାକୁ ବନ୍ଦ କରାଯାଇ ନ ଥିବାରୁ ସେଠାରୁ ଅବାଧରେ ବାଲି ଚୋରାଚାଲାଣ ଚାଲିଛି। ବାଙ୍କୀ ଅଞ୍ଚଳର ମହାନଦୀ ବାଲିର ଚାହିଦା ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, ବିହାର ଆଦି ଅଞ୍ଚଳରେ ରହିଛି। ବିଶେଷକରି ବୈଦେଶ୍ବର ଘାଟର ବାଲିର ସବୁଠାରୁ ଅଧିକ ଚାହିଦା ଥିବାରୁ ଏହି ବାଲିକୁ ଆଣି ତ୍ରିଶୂଳିଆ ଓ ଆଖପାଖ ଅଞ୍ଚଳରେ ଗଚ୍ଛିତ ରଖାଯାଏ। ସେଠାରୁ ବାଲିକୁ ପ୍ୟାକେଟ୍‌ କରି ବାହାର ରାଜ୍ୟକୁ ଚାଲାଣ କରାଯାଏ। ଏବେ ନଈରେ ପାଣି ଆସି ଥିଲେ ବି ତା ପୂର୍ବରୁ ମାଫିଆ ବାଲି ଉଠାଇ ତାହାକୁ ଗଚ୍ଛିତ ରଖିବା ସହିତ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ମହାନଦୀର ୩୩ ଏକର ପରିମିତ ଅର୍ଥାତ ୧୩. ୩୫୫ ହେକ୍ଟର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ବୈଦେଶ୍ବର ଘାଟକୁ ୫ ବର୍ଷ ପାଇଁ ୫ କୋଟିରୁ ଅଧିକ ଟଙ୍କାରେ ନିଲାମଧାରୀ ନିଲାମ ନେଇଥିବା ଜଣାପଡ଼ିଛି। ଏଠାରୁ ଦୈନିକ ୯୪ ହଜାର ୧୨୦ କ୍ୟୁବିକ୍‌ ମିଟର ହିସାବରେ ୫ ବର୍ଷରେ ୪ ଲକ୍ଷ ୭୦ ହଜାର ୬୦୦ କ୍ୟୁବିକ୍‌ ମିଟର ବାଲି ଉତ୍ତୋଳନ କରିବା ନେଇ ନିଲାମଧାରୀ ବିଡ୍‌ ଦାଖଲ କରିଛନ୍ତି। କିନ୍ତୁ ଏଥିପାଇଁ ଗଲା ସପ୍ତାହରେ ପରିବେଶ ମଞ୍ଜୁରୀ ମିଳିଥିଲେ ବି ଘାଟରୁ କିନ୍ତୁ ନିୟମିତ ବାଲି ଉତ୍ତୋଳନ ଚାଲିଥିବା ଅଭିଯୋଗ ହୋଇଛି।

ଏଭଳି ବେଆଇନ ବାଲି ଚାଲାଣ ସଂପର୍କରେ ଆଇନଜୀବୀ ଭବାନୀପ୍ରସାଦ ଧଳ, ସାମାଜିକ କର୍ମୀ ବିଭୁପ୍ରସାଦ ନାୟକ, ସିଦ୍ଧେଶ୍ବର ପାଇକରାୟ, ପ୍ରସନ୍ନ ସ୍ବାଇଁ, ନକୁଳ ପ୍ରଧାନ, ଆଶିଷ ମହାପାତ୍ରଙ୍କ ସମେତ ବହୁ ପରିବେଶବିତ୍‌ ଓ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ବାଙ୍କୀ ତହସିଲଦାର ସତ୍ୟରଞ୍ଜନ ପଣ୍ଡା କହିବା ଅନୁଯାୟୀ ବିଭିନ୍ନ ସମୟରେ ବାଲି ଚୋରା ଚାଲାଣକାରୀଙ୍କ ଉପରେ ଚଢ଼ଉ କରାଯାଉଛି। ଜରିମାନା ଆଦାୟ ସହ ଗାଡ଼ି ମଧ୍ୟ ଜବତ କରାଯାଉଛି। ଗତ ସପ୍ତାହରେ ବୈଦେଶ୍ବର, ଓସ୍ତିଆର ପରିବେଶ ମଞ୍ଜୁରୀ ଆସିଛି। ବାକି ତିନୋଟି ଘାଟର ପରିବେଶ ମଂଜୁରୀ ଆସିନି। ତେବେ ଏବେ ନଦୀରେ ପାଣି ଭର୍ତ୍ତି ଅଛି। ବାଲି ଚୋରା ଚାଲାଣ ହେଉନି। ଅଭିଯୋଗ ଆସିଲେ ଚଢଉ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର