ବିପଦରେ ବାଇଗଣବାଡ଼ିଆ, ଉଲୁଡ଼ା-ଖଳାବାଡ଼ିଆ ଟିଆର୍‌ଇ

ଜଳେଶ୍ବର: ଆଉ ଦୁଇ ସପ୍ତାହ ପରେ ବର୍ଷାଦିନ ଆସୁଛି। ଏହା ପୂର୍ବରୁ ବାଲେଶ୍ବର ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ବାଇଗଣବାଡ଼ିଆ, ଖଳାବାଡ଼ିଆ ଓ ଉଲୁଡ଼ା ଟିଆରଇ(ଟେଷ୍ଟ ରିଲିଫ ଏମବାକ୍‌ମେଣ୍ଟ) ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଜଳେଶ୍ବର ଓ ଭୋଗରାଇର ପାଖାପାଖି ୫୦ରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଯାଇଛି।

ବାଇଗଣବାଡ଼ିଆ ଟିଆରଇର ମୋଟ ଦୈର୍ଘ୍ୟ ୪ କିମି ଥିବା ବେଳେ ଉଲୁଡ଼ା, ଖଳାବାଡ଼ିଆ ଟିଆରଇର ଦୈର୍ଘ୍ୟ ୭କିମି ରହିଛି। ତେବେ ଏହି ୧୧ କିମି ଟିଆରଇ ସ୍ଥାନୀୟ ୫୦ ମୌଜା ଅଞ୍ଚଳକୁ ବନ୍ୟା ଦାଉରୁ ସୁରକ୍ଷା ଦେଇଥାଏ। ପୁଣି ନଦୀ ତଟବର୍ତ୍ତୀ ଲୋକଙ୍କ ଗମନାଗମନ ସୁବିଧା ପାଇଁ ଏହି ଟିଆରଇର‌ ବେଶ ଗୁରୁତ୍ବ ରହିଛି। ମାତ୍ର ଆଶ୍ଚର୍ଯ୍ୟର କଥା ଏହି ୧୧ କିମି ଟିଆରଇ ମଧ୍ୟରୁ ମାତ୍ର ୪ କିମି କଂକ୍ରିଟ ରହିଛି। ଅବଶିଷ୍ଟ ୭ କିମି ଟିଆରଇ ପିଚୁ ଓ ମେଟାଲିଂ ରହିଥିବା ବେଳେ ଏହା ବ୍ରିଟିସ ଅମଳରୁ ନିର୍ମିତ ହୋଇଥିବାରୁ ଅଧିକାଂଶ ସ୍ଥାନରେ ପିଚୁ ଓ ମେଟାଲିଂର ଚିହ୍ନବର୍ଣ୍ଣ ନାହିଁ। ଫଳରେ ପ୍ରତିବର୍ଷ ବର୍ଷାଦିନେ ଓ ବିଶେଷ କରି ସୁବର୍ଣ୍ଣରେଖା ବନ୍ୟା ସମୟରେ ଏହି ଟିଆରଇ ଗୁଡ଼ିକରୁ ମୃତ୍ତିକା କ୍ଷୟ ହେବା ସହ ଅନେକ ସ୍ଥାନରେ ଏହା ନଦୀର ଆଁ ଭିତରେ ରହିଛି। ସେହିପରି ନମକନା ଗାଁ ନିକଟରେ ୪୦୦ ମିଟର ଟିଆରଇର ଚିହ୍ନବର୍ଣ୍ଣ ନାହିଁ କହିଲେ ଚଳେ। ଝାଡ଼ପିପଳ ଠାରେ ମଧ୍ୟ ଟିଆରଇ ବିପଦସଙ୍କୁଳ ଅବସ୍ଥାରେ ରହିଛି।

ମୋଟାମୋଟି ଭାବେ କହିବାକୁ ଗଲେ ୧୧କିମିର ଏହି ଟିଆରଇ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ନଦୀ ତଟବର୍ତ୍ତୀ ଗାଁ ଜଳେଶ୍ବରର ବାଇଗଣବାଡ଼ିଆ, ଝାଡ଼ପିପଳ, କଣ୍ଟାପାଳ, ଆକନା, ଛୋଟଖାନପୁର, ଚଡ଼ ନମକନା ଓ ନମକନା, ଭୋଗରାଇ ବ୍ଲକର ରସୁଲପୁର, ମନୁନଗର, ହରଣକୁଲି, ଆରୁହାବୃତ୍ତି(୧), ଆରୁହାବୃତ୍ତି(୨), ଖରିଦପିପଳ, ଦହମୁଣ୍ଡା, ଉଲୁଡ଼ା ଆଦି ଗାଁ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ଟିଆରଇର ଅଧିକାଂଶ ସ୍ଥାନ ବ୍ୟକ୍ତିଗତ ମାଲିକାନାରେ ଥିବାରୁ ଜମି ମାଲିକମାନେ ତାକୁ ଛାଡୁ ନାହାନ୍ତି। ଫଳରେ ଜଳସମ୍ପଦ ବିଭାଗ ତରଫରୁ ତଟ ସୁରକ୍ଷା ବା ଟିଆରଇର ନବୀକରଣ ପାଇଁ ବାରମ୍ବାର ଯୋଜନା କରାଯାଉଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନି।

ସମ୍ବନ୍ଧିତ ଖବର