ସମ୍ବଲପୁରରେ କାର୍ଯ୍ୟକାରୀ ହେଲା ବୈଜାମୁଣ୍ଡା ସମନ୍ୱିତ ଭିତ୍ତିଭୂମି କଂପ୍ଲେକ୍ସ, ଭବ୍ୟ ଭବନରେ ରହିଲେ ନିରାଶ୍ରୟ

ସମ୍ବଲପୁର/ଧନକଉଡ଼ା : ସମ୍ବଲପୁର ମହାନଗର ନିଗମ ୨ ନମ୍ବର ୱାର୍ଡ ଅନ୍ତର୍ଗତ ବୈଜାମୁଣ୍ଡାଠାରେ ୨୫ କୋଟି ୪୩ ଲକ୍ଷ ୬୨ ହଜାର ଟଙ୍କା ବ୍ୟୟରେ ନିର୍ମିତ ଭବ୍ୟ ସମନ୍ବିତ ଭିତ୍ତିଭୂମି କଂପ୍ଲେକ୍ସକୁ ବୁଧବାରଠାରୁ କାର୍ଯ୍ୟକ୍ଷମ କରାଯାଇଛି। ନିରାଶ୍ରିତ ଓ ଅସହାୟ ଭିକ୍ଷୁକ, ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ତଥର ମହିଳାଙ୍କୁ ଥଇଥାନ କରାଯିବା ସହ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ ଲକ୍ଷ୍ୟ ନେଇ ଏହି ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସର କଳ୍ପନା କରା ଯାଇଥିଲା। ୮ ଏକର ଜମିରେ ବିସ୍ତୃତ ଏହି ସୁଦୃଶ୍ୟ ଭବନରେ ୧୨୨ଟି କୋଠରୀ ରହିଛି। ଗୋଟିଏ କୋଠରୀରେ ୩ ଜଣ ରହିବା ବ୍ୟବସ୍ଥା ହୋଇଛି। ବୁଧବାର ଏହାକୁ ଆରମ୍ଭ କରାଯିବା ଅବସରରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଏସ୍‌ପି ବି. ଗଙ୍ଗାଧର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଉମାକାନ୍ତ ରାଜ୍‌, ଏସ୍‌ଏମ୍‌ସି କମିସନର୍‌ ପ୍ରଦୀପ କୁମାର ସାହୁ, ଇଡ୍‌କୋ ବିଭାଗୀୟ ମୁଖ୍ୟ ବିଧାନ ଚନ୍ଦ୍ର ମାଝୀ, ନିର୍ମାଣ ଯନ୍ତ୍ରୀ ପାର୍ଥ ସାରଥୀ ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସର୍ଭେ କରାଯାଇ ବସଷ୍ଟାଣ୍ଡ, ରେଳ ଷ୍ଟେସନ, ମନ୍ଦିର, ମଲ ବାହାରେ ବସୁଥିବା ଭିକ୍ଷୁକଙ୍କୁ ଚିହ୍ନଟ କରା ଯାଇଥିଲା। ଉନ୍ନତ ମାନର ଖାଦ୍ୟପେୟ, ରହଣି, ମନୋରଞ୍ଜନ ଓ ଖେଳକୁଦ ପାଇଁ ଆବଶ୍ୟକ ସରଞ୍ଜାମ, ଦେହ ସୁସ୍ଥ ରହିବା ପାଇଁ ଯୋଗ ଓ ଚିକିତ୍ସା ଆଦି ବ୍ୟବସ୍ଥା ଏଠାରେ ଉପଲବ୍‌ଧ ରହିବ। ସମ୍ବଲପୁର ଜିଲ୍ଲାକୁ ଭିକାରୀ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ରଖିଥିବା ଲକ୍ଷ୍ୟ ହାସଲ ଦିଗରେ ଏହି କଂପ୍ଲେକ୍ସ ସହାୟକ ହେବ ବୋଲି କହାଯାଉଛି। ପ୍ରଥମ ଦିନ ୪୭ ଜଣ ଭିକ୍ଷୁକ ଓ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଏଠାରେ ଥଇଥାନ କରା ଯାଇଥିବା ଜିଲ୍ଲା ଭିନ୍ନକ୍ଷମ ଓ ପୁନର୍ବାସ ଅଧିକାରୀ ରବୀନ୍ଦ୍ର ଶତପଥୀ ସୂଚନା ଦେଇଛନ୍ତି। ଏହି ଅବସରରେ କମିସନର ଶ୍ରୀ ସାହୁ ବୈଜାମୁଣ୍ଡା ଗ୍ରାମର ରାଜକଣ୍ଟା, କଲ୍ୟାଣ ମଣ୍ଡପ, ପାଢ଼ୀମୁଣ୍ଡା କଲଭର୍ଟ ପରିଦର୍ଶନ କରି ପଞ୍ଚାୟତ ନିର୍ବାଚନ ପରେ କାର୍ଯ୍ୟକାରୀ କରାଯିବ ବୋଲି କହିଥିଲେ। ଗ୍ରାମର ସମାଜସେବୀ କୁଶ ବଗର୍ତ୍ତି ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର