ପୁରୀ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ ହେବା ପରେ ଆଜି ଏଠାରେ ପହଂଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସେଠାରୁ ସ୍ୱର୍ଗଦ୍ଵାର ଯାଇ ବିଜୁ ସ୍ମୃତି ପୀଠରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହ ସେଠାରେ ୧୫ ମିନିଟ ନିରବ ପ୍ରାର୍ଥନା କରିଥିଲେ। ସେଠାରୁ ବାହାରି ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିବା ଅବସରରେ ସେ କାନ୍ଦି ପକାଇଥିଲେ। କହିଥିଲେ, ମୁଁ ବାହାରେ ଥିଲି। ଦଳରୁ ନିଲମ୍ବନ କଥା ଜାଣିବା ପରେ ଗଭୀର ଆଘାତ ଲାଗିଛି। ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସିଥିଲି। ମୁଁ ଅପ୍ରିୟ ସତ୍ୟ କଥା କହିଲି; ଯାହା ଦଳରେ ୩ ବର୍ଷ ହେଲା ଚାଲିଥିଲେ ମଧ୍ୟ କେହି କହୁନଥିଲେ। ଦଳୀୟ ଫୋରମ୍ରେ ମଧ୍ୟ କହିଥିଲି। ୩ ବର୍ଷରେ କେତେକ ନିଜ ହିତ ପାଇଁ ଦଳକୁ କବଜା କରିଛନ୍ତି। ଦଳ ଆରମ୍ଭ ବେଳେ ୨୦ ବର୍ଷ ତଳେ ମଧ୍ୟ ଏଭଳି ଚାଲିଥିଲା। ହେଲେ ଦଳ ଏହାକୁ ସଜାଡ଼ି ସଫଳତା ପାଇଥିଲା। ଯେତେବେଳେ ପୁଣି ସେହି ସମସ୍ୟା ଆରମ୍ଭ ହେଲା ମୁଁ ଚେତାଇ ଦେଇଥିଲି। ନିଲମ୍ବନ ପାଇଁ ଯେଉଁ କାରଣ ମଧ୍ୟ ଦର୍ଶାଯାଇଛି ତାହାକୁ ମଧ୍ୟ ମୁଁ ସମ୍ପୂର୍ଣ୍ଣ ଖଣ୍ଡନ କରୁଛି। ପଦରେ ଥାଇ ସରକାରୀ ଅର୍ଥ ଗ୍ରହଣ କଲେ ତାହାର କାରଣ ଭିନ୍ନ ହୋଇଥାନ୍ତା ବା ଦୋଷ ହୋଇଥାନ୍ତା।
Sambad is now on WhatsApp
Join and get latest news updates delivered to you via WhatsApp
ଅଫିସ୍ ଅଫ୍ ପ୍ରଫିଟ୍ ଅଭିଯୋଗକୁ ଖଣ୍ଡନ
କେନ୍ଦ୍ରାପଡ଼ା : ଗତକାଲି ଅପରାହ୍ନ ସାଢ଼େ ଚାରିଟା ସମୟରେ ସାଂସଦ ବୈଜୟନ୍ତ ହେଲିକପ୍ଟରରେ ଆସି କେନ୍ଦ୍ରାପଡ଼ାରେ ପହଞ୍ଚଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ବିଜେଡି ଛାଡ଼ିବାକୁ ସେ କେବେହେଲେ ଚିନ୍ତା କରିନଥିଲେ। କିନ୍ତୁ, ତାଙ୍କୁ ଦଳରୁ ବାହାର କରିବା ପାଇଁ ଷଡଯନ୍ତ୍ର ହେଉଥିଲା। ଏହାକୁ ତାଙ୍କ ନେତା ନବୀନ ପଟ୍ଟନାୟକ ବୁଝି ପାରିନଥିଲେ। ଅଫିସ୍ ଅଫ୍ ପ୍ରଫିଟ୍ ଅଭିଯୋଗ ଉପରେ ବି ସାଂସଦ ବୈଜୟନ୍ତ ନିଜର ମତାମତ ରଖିଥିଲେ। ସେ କହିଥିଲେ ଯେ, କେଉଁଁ ଘରୋଇ ସଂସ୍ଥାର ପଦପଦବିରେ ରହିଲେ ସେ ସମ୍ପର୍କରେ ଉଲ୍ଲେଖ କରିବାର କୌଣସି ଆବଶ୍ୟକତା ନାହିଁ। ଏ ସଂକ୍ରାନ୍ତୀୟ ଅଭିଯୋଗକୁ ଖଣ୍ଡନ କରିବା ସହିତ ଇମ୍ଫାକୁ ଟାର୍ଗେଟ କରିବା ଉଚିତ ନୁହେଁ ବୋଲି କହିଥିଲେ। ସେ କହିଥିଲେ ଯେ, ଏହି ସଂସ୍ଥାର ହେଲିକପ୍ଟରକୁ ବିଜେଡିର ବହୁ ବିଧାୟକ, ସାଂସଦ ବ୍ୟବହାର କରି ଆସିଛନ୍ତି।। ନିଜେ ନବୀନ ବାବୁ ମଧ୍ୟ ବହୁ ସମୟରେ ହେଲିକପ୍ଟର, ପ୍ଲେନ୍ ବ୍ୟବହାର କରିଛନ୍ତି। ବିଜୁବାବୁ ମଧ୍ୟ ବର୍ଷ ବର୍ଷ ଧରି ଏହି ସଂସ୍ଥାର ହେଲିକପ୍ଟରରେ ନିର୍ବାଚନ ପ୍ରଚାର କରୁଥିଲେ। ଏହି ସଂସ୍ଥା ୬ ହଜାର ପରିବାରକୁ ଚାକିରି ଦେଇଛି। ତା’ ପଛରେ କାହିଁକି ପଡ଼ିଛନ୍ତି।