ବୈଜୟନ୍ତଙ୍କ ମୁହଁରେ ଧର୍ମେନ୍ଦ୍ରଙ୍କ ଭାଷା: ବିଜେଡି

Advertisment

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ତଥା ତୃତୀୟ ମହଲାକୁ ଆଜି ତିନିପଟୁ ମିଳିତ ଆକ୍ରମଣ କରାଯାଇଛି। ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ଦୁଇ ଦିନ ତଳେ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଆଜି ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବୁହାଳୋ ଗ୍ରାମରେ ପାଣି ଟାଙ୍କି ଉଦ୍‌ଘାଟନ ସଭାରେ ବୈଜୟନ୍ତ ନିଜ କ୍ରୋଧକୁ ଅଟକାଇ ପାରିନାହାନ୍ତି। ଏମିତି ରାଗିଥିଲେ ଯେ ଅଫିସରଙ୍କୁ ସୀମା ଦେଖାଇବା ସହିତ ବିଜୁ ବାବୁଙ୍କୁ ଢାଲ କରି ମାଡ଼ କଥା ଉଖାରିଥିଲେ।

କେବଳ ବୈଜୟନ୍ତ ନୁହେଁ, ବିଜେଡି ଛାଡ଼ି ବିଜେପିକୁ ଯିବା ଲାଗି ଗୋଡ଼ କାଢିଥିବା ପୂର୍ବତନ ବିଧାୟକ ରମାରଂଜନ ବଳିୟାର ସିଂହ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ଟାର୍ଗେଟ କରିଛନ୍ତି ତୃତୀୟ ମହଲାକୁ। କହିଛନ୍ତି, ନବୀନ ପଟ୍ଟନାୟକ ବିଜେଡି ଉପରୁ ନିୟନ୍ତ୍ରଣ ହରାଇଛନ୍ତି। ଆଉ ଜଣେ ଶାସନ କରୁଛନ୍ତି। ଶେଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଏହି ସୁଅରେ ନିଜ ଗୋଡ଼ ରଖିଛନ୍ତି। ଏକ ପ୍ରେସ ବିବୃତି ଜାରି କରି କହିଛନ୍ତି, ରାଜ୍ୟର ୫୫୦ ଥାନାକୁ ତୃତୀୟ ମହଲାରୁ ନିୟନ୍ତ୍ରଣ କରାଯାଉଛି। ମୁଖ୍ୟଶାସନ ସଚିବ, ପୁଲିସ ମହାନିର୍ଦେଶକ ଅସହାୟ।

ଗୋଟିଏ ଦିନରେ ତୃତୀୟ ମହଲାକୁ ଏଭଳି ତ୍ରିମୁଖୀ ଆକ୍ରମଣ ବିରୋଧୀ ଶିବିରରେ ଉତ୍ସାହ ସୃଷ୍ଟି କରିଛି। ତେବେ ବିଜେଡି ଅତ୍ୟନ୍ତ ଶାଣିତ ଢଙ୍ଗରେ ପ୍ରତିକ୍ରିୟା ଦେଇଛି। ବିଜେଡି ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଓଡ଼ିଶାର ଜଣେ ନେତା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ମୁହଁରେ ଏଭଳି ଭାଷା ଶୁଣାଯାଉଥିଲା। ଗତ ତିନି ବର୍ଷ ଧରି ଶ୍ରୀ ପ୍ରଧାନ ଦୋହରାଉଥିବା ପୁରୁଣା ବକ୍ତବ୍ୟ ସାଂସଦ ବୈଜୟନ୍ତ ପଣ୍ଡା ଘୋଷୁଛନ୍ତି। ପ୍ରତାପ ଦେବ ପରୋକ୍ଷରେ ସୂଚାଇଛନ୍ତି ଯେ ବୈଜୟନ୍ତ ବିଜେପିର
ନିକଟତର ହେଉଥିବା କାରଣରୁ ଏଭଳି ମନ୍ତବ୍ୟ ରଖିଛନ୍ତି। ଆହୁରି କହିଛନ୍ତି ଯେ ଆଗକୁ ନିର୍ବାଚନ ଅଛି, ବହୁ ନେତା ଆସିବେ, ଯିବେ ଓ ଏମିତି ବୟାନବାଜି ରହିପାରେ। ଓଡ଼ିଶା ରାଜନୀତିରେ ଆଗକୁ ଏଭଳି ପରସ୍ପର ବିରୋଧୀ ବୟାନ ବାଜି ବଢିବ ପଛେ କମିବ ନାହିଁ।

ତୃତୀୟ ମହଲାକୁ ଏଭଳି ଆକ୍ରମଣ ଘଟଣା ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ବିସ୍ମିତ କରିପାରି ନାହିଁ। ତାର କାରଣ ହେଉଛି, ସମ୍ଭବତଃ, ଆସନ୍ତା ୨୦ ତାରିଖ ଅପରାହ୍ନରେ ପୂର୍ବତନ ବିଧାୟକ ଶ୍ରୀ ବଳିଆର ସିଂହ ବିଜେପି ଦଳକୁ ଫେରିବେ। ସେଦିନ ସତ୍ୟବାଦୀରେ ଏକ ବଡ଼ ମିଶ୍ରଣ ପର୍ବର ଆୟୋଜନ କରାଯାଉଛି। ଏଣୁ ତାଙ୍କ ମୁହଁରେ ବିଜେପି ଭାଷା ଶୁଭିବା ଅପ୍ରାସଙ୍ଗିକ ନୁହେଁ। ତେବେ ମୁଖ୍ୟମନ୍ତ୍ରୀଙ୍କ ସମକକ୍ଷ ହେବା ଲାଗି ଦାବିଦାର ନେତାମାନେ କିନ୍ତୁ ନବୀନଙ୍କୁ ଟାର୍ଗେଟ କରିନାହାନ୍ତି କିମ୍ବା ତାଙ୍କ ଉପରେ ଆଙ୍ଗୁଳି ଉଠାଇ ନାହାନ୍ତି। କାରଣ ସାଧାରଣ ଲୋକଙ୍କ ମନରେ ନବୀନଙ୍କ ପ୍ରତି ଯେଉଁ ଭାବନା ରହିଛି, ବିରୋଧୀ ନେତାଙ୍କ ମଧ୍ୟରେ ସେ ବିଶ୍ୱାସ ରହିଛି, ଏକଥା ଆଜି ସେମାନଙ୍କ ବକ୍ତବ୍ୟ ପରୋକ୍ଷରେ ସୂଚାଇ ଦେଇଛି। ପୂର୍ବରୁ ପ୍ୟାରୀମୋହନ ମହାପାତ୍ର ସକ୍ରିୟ ଥିବା ବେଳେ ବି ବିରୋଧୀ ଏମିତି ଅଭିଯୋଗ ଆଣିଥିଲେ ଓ ପରିଣାମ ୨୦୧୪ ନିର୍ବାଚନରେ ଜବରଦସ୍ତ ପଡ଼ିଥିଲା।

ଉଲ୍ଲେଖଯୋଗ୍ୟ, ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଶ୍ରୀ ବଳିୟାରସିଂହ ଗଣମାଧ୍ୟମକୁ କହିଥିଲେ, ବିଜୁ ଜନତା ଦଳ ଉପରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକ ନିଜର ନିୟନ୍ତ୍ରଣ ହରାଇଛନ୍ତି। ପୂର୍ବରୁ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ର ଓ ଏବେ ତୃତୀୟ ମହଲାର ଆଉ ଜଣେ ବାବୁଙ୍କ ନିର୍ଦ୍ଦେଶରେ ଓଡ଼ିଶା ଚାଲିଛି। ଦଳ ଭିତରେ ଏପରି କାର୍ଯ୍ୟ ଚାଲିବାକୁ ଆମେ ବିରୋଧ କରିଥିଲୁ। ମାତ୍ର କେହି ଶୁଣୁନଥିଲେ। ସେଥିପାଇଁ ଅଶୋକ ପାଣିଗ୍ରାହୀ ବିଜେଡି ଛାଡ଼ି ବିଜେପିରେ ମିଶିଲେ। ଅଲେଖ ଜେନା ମଧ୍ୟ ଦଳ ଛାଡ଼ିଲେ ଓ ବିଜେପିରେ ମିଶିଲେ। ଆହୁରି ଅନେକ ଅଛନ୍ତି, ଯେଉଁମାନେ ବିଭିନ୍ନ ଦଳକୁ ଯିବା ପାଇଁ ଯୋଜନା କରୁଛନ୍ତି।

ସେହିଭଳି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ତୃତୀୟ ମହଲାର ଅଫିସରଙ୍କ କାରଣରୁ ଗତ କିଛି ଦିନ ଧରି ଓଡିଶାର ମୁଖ୍ୟ ଶାସନ ସଚିବ କେବଳ ନାମକୁ ମାତ୍ର ରହିଛନ୍ତି। ରାଜ୍ୟର ୫୫୦ ଥାନାକୁ ସିଧା ସିଧା ତୃତୀୟ ମହଲାରୁ ନିୟନ୍ତ୍ରଣ କରାଯାଉଛି। ଏମିତି ଯେ ରାଜ୍ୟର ପୋଲିସ ମହା ନିର୍ଦେଶକଙ୍କ ସାମନାରେ କିଛି ପ୍ରସଙ୍ଗ ଉଠାଇଲେ ସେ ଅସହାୟତା ପ୍ରକାଶ କରୁଛନ୍ତି। ବରିଷ୍ଠ ମନ୍ତ୍ରୀଙ୍କ ବହିଷ୍କାର ସମୟରେ ଇସ୍ତଫା ଦେବାକୁ ତୃତୀୟ ମହଲାର ଅଫିସର ତାଙ୍କୁ ସୂଚନା ଦେଇଥିବା ସଂପୃକ୍ତ ମନ୍ତ୍ରୀଙ୍କ ବୟାନ ଚିନ୍ତାର ବିଷୟ ହୋଇଛି।

ଗତ ପଂଚାୟତ ନିର୍ବାଚନ ସମୟର ଅଭିଯୋଗକୁ ମନେ ପକାଇ ସେ ଆହୁରି କହିଛନ୍ତି, ଶାସକ ଦଳର ନିର୍ବାଚନ ପରିଚାଳନା କିଏ କରୁଛି, ଦଳୀୟ କାମ କେଉଁ ମାନେ କରୁଛନ୍ତି, ଟଙ୍କା କିଏ ନେଇ ପହଞ୍ଚଉଛି ଓ କେଉଁ ସ୍ତରର ପୋଲିସ ଅଫିସରକୁ କିଏ ନିୟନ୍ତ୍ରଣ କରୁଛି ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କଲାଣି। ରାଜ୍ୟ ସରକାର ନିରପେକ୍ଷ ଥିଲେ ନିର୍ଦିଷ୍ଟ ଅଫିସର ମାନଙ୍କର ଟେଲିଫୋନ, ହ୍ଵାଟ୍‌ସଆପ୍‌, ଟେଲିଗ୍ରାମର ଯାଞ୍ଚ କରିବାକୁ ନିର୍ଦେଶ ଦିଅନ୍ତୁ।