ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବୈଜୟନ୍ତ

ବିମୁଦ୍ରାକରଣ ସପକ୍ଷରେ କହି ଚର୍ଚ୍ଚାରେ ଥିଲେ

ଭୁବନେଶ୍ୱର : ବିମୁଦ୍ରାକରଣ ପ୍ରସଙ୍ଗକୁ ନେଇ ସମଗ୍ର ଦେଶରେ ବିତର୍କ ଜାରି ରହିଥିବା ବେଳେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଏହା ସପକ୍ଷରେ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ମତ ରଖିଥିଲେ। ଏହାକୁ ନେଇ ବିଜେଡି ଶିବିରରେ ଚର୍ଚ୍ଚା ଜୋର ଧରିଛି। ସାଂସଦଙ୍କ ଏଭଳି ବକ୍ତବ୍ୟ ପଛର କାରଣ ଓ ଯୁକ୍ତି ଖୋଜୁଛନ୍ତି ଦଳୀୟ ନେତା।

ଠିକ୍‌ ଏମିତି ସମୟରେ ଆଜି ସାଂସଦ ଶ୍ରୀ ପଣ୍ଡା ଆଲୋଚନାକୁ ଖୋରାକ ଯୋଗାଇଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି ଏମ୍‌ ଭେଙ୍କିୟାନାଇଡୁଙ୍କୁ ସାକ୍ଷାତ କରିବା ଲାଗି ଶ୍ରୀ ପଣ୍ଡା ରାଜଭବନ ଯାଇଥିଲେ। ଗସ୍ତ ସୌଜନ୍ୟମୂଳକ ଥିଲା ବା ନିର୍ଦିଷ୍ଟ କେଉଁ ପ୍ରସଙ୍ଗକୁ ଆୟୁଧ କରି ସେ ଉପରାଷ୍ଟ୍ରପତିଙ୍କୁ ସାଂସଦ ଭେଟିଲେ ତାହା ଜଣାପଡିନାହିଁ। ହେଲେ ରାଜନୈତିକ ମହଲରେ କିନ୍ତୁ ଏହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି। କେହି କେହି ବିଜେପି ସହିତ ସାଂସଦଙ୍କ ସଂପର୍କ ବଢୁଥିବା କହୁଥିବା ବେଳେ ଆଉ କେତେକ ବିଜେଡିକୁ ଚିଡାଇବା ଲାଗି ଏହା ଏକ କୌଶଳ ହୋଇପାରେ ବୋଲି ମତ ରଖୁଛନ୍ତି।

ଉଲ୍ଲେଖଯୋଗ୍ୟ, ବିମୁଦ୍ରାକରଣ ପ୍ରସଙ୍ଗରେ ଶ୍ରୀ ପଣ୍ଡା କହିଥିଲେ ଯେ ମାସର ପ୍ରାୟ ୧୨ ଦିନ ସେ ନିଜ ନିର୍ବାଚନମଣ୍ଡଳୀରେ କାଟୁଛନ୍ତି। ହେଲେ ଜଣେ ହେଲେ ବି କାହାରିକୁ ଦେଖି ନାହିଁନ୍ତି ଯିଏ ବିମୁଦ୍ରାକରଣକୁ ବିରୋଧ କରୁଛି। ଶ୍ରୀ ପଣ୍ଡା କହିଥିଲେ, ବିମୁଦ୍ରାକରଣକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ମାତ୍ର ଏ ନେଇ ମତ ରଖି ସେ ସମାଲୋଚନାର ଶିକାର ହୋଇଥିଲେ। ବୈଜୟନ୍ତଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଥିଲେ, ତାଙ୍କର ଉଭା ଯେତେ ପୋତା ସେତେ। ସାଧାରଣ ଲୋକଙ୍କ ଦୁଃଖ ବୁଝିବାକୁ ତାଙ୍କର ସାମର୍ଥ୍ୟ ନାହିଁ। ଟଙ୍କା ଯୁଆଡେ ସେ ସିଆଡେ। ବିମୁଦ୍ରାକରଣ ପରେ ଦେଶର କୋଟି କୋଟି ଲୋକ କେଉଁ ଅବସ୍ଥାରେ ଅଛନ୍ତି ତାଙ୍କୁ ବୁଝିବାକୁ ବେଳ ନଥାଏ।

ସମ୍ବନ୍ଧିତ ଖବର