ନିଜ ହେଲିକପ୍ଟର ବ୍ୟବହାର କରିବାକୁ ବୈଜୟନ୍ତଙ୍କ ନିବେଦନ

ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ଖବରରେ ଗଭୀର ‌ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଭଳି ସମୟରେ ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିଜର ହେଲିକପ୍ଟର ବ୍ୟବହାର କରିବା ସହିତ ସମସ୍ତ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ଶ୍ରୀ ପଣ୍ଡା ଏକ ବାର୍ତ୍ତା ଜରିଆରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କୁ ଜଣାଇଛନ୍ତି।

ଉଦ୍ଧାର କାର୍ଯ୍ୟରେ ଯୋଗ ଦେବାପାଇଁ ଯଦି କୌଣସି ସରକାରୀ ଅଧିକାରୀ, ଡାକ୍ତରୀ ଦଳ କିମ୍ବା ବିପର୍ଯ୍ୟୟ ପରିଚାଳନା ଦଳ ଭୁବନେଶ୍ୱରରୁ ଦୁର୍ଘଟଣା ସ୍ଥଳକୁ ଯିବାକୁ ଚାହୁଁଥିବେ ଏଥିପାଇଁ ତାଙ୍କର ହେଲିକପ୍ଟର ପ୍ରସ୍ତୁତ। ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସହଯୋଗର ହାତ ବଢ଼ାଇବା ସହ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିସନରଙ୍କୁ ତାଙ୍କର ହେଲିକପ୍ଟର ବ୍ୟବହାର କରିବାକୁ ଶ୍ରୀ ପଣ୍ଡା ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର