‘ଟ୍ୱିଟ୍‌’ କରି ବିବାଦରେ ବୈଜୟନ୍ତ

ଓଡ଼ିଶା ସ୍ଥିତି ସହ ପାକିସ୍ତାନକୁ ତୁଳନା କରି ଅକଳରେ

ସାମାଜିକ ଗଣମାଧ୍ୟମରେ ହଇଚଇ, ବୟାନ ଯୁଦ୍ଧ ଜାରି
ବିଜେଡି ଗର୍ଜିଲା, କଂଗ୍ରେସ ବି, ଦୂରେଇ ରହିଲା ବିଜେପି
ସ୍ପଷ୍ଟୀକରଣ ଦେଲେ ବୈଜୟନ୍ତ, ତଥାପି ଥମୁନି

ଭୁବନେଶ୍ବର : ‘ମହାରାଷ୍ଟ୍ର ଓ ଓଡ଼ିଶା ପୁଲିସ୍ ସାମ୍ବାଦିକଙ୍କୁ ଉଠାଇନେବା, ଦୁର୍ବ୍ୟବହାର କରିବା ଓ ହେପାଜତକୁ ନେଇ ଜେରା କରିବା ଲଜ୍ଜାଜନକ। ତାହା ପୁଣି, ଆଇନକୁ ଅନୁସରଣ ନ କରି ପୁଲିସ କରୁଛି, ଠିକ୍ ପାକିସ୍ତାନ ଭଳି। ଏହା ହେଉଛି ପ୍ରକୃତ ଫାସିବାଦ।’

ଓଟିଭିର ଜଣେ ସାମ୍ବାଦିକଙ୍କ ବିରୋଧରେ ଓଡ଼ିଶା ପୁଲିସ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କରିଥିବା ଏଭଳି ଟ୍ବିଟ୍ ଏବେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ବୈଜୟନ୍ତ ସାମ୍ବାଦିକଙ୍କ ସପକ୍ଷରେ ଯୁକ୍ତି ରଖୁ ରଖିବାକୁ ଯାଇ ପୂରା ପାକିସ୍ତାନ ଯାଏ ପହଞ୍ଚିଯାଇଛନ୍ତି, ଯାହା ତାଙ୍କୁ ବିବାଦୀୟ ପରିସ୍ଥିତିରେ ପକାଇ ଦେଇଛି।

କେବଳ ସେତିକି ନୁହେଁ, ଏକ ଜାତୀୟ ଗଣମାଧ୍ୟମରେ ବୈଜୟନ୍ତ ଏହି ପ୍ରସଙ୍ଗରେ ଆହୁରି ସାଂଘାତିକ ମତ ରଖି କହିଛନ୍ତି, ରାସ୍ତାରୁ ସାମ୍ବାଦିକଙ୍କୁ ଉଠାଇ ନେବା ଘଟଣା ପାକିସ୍ତାନର ବେଲୁଚିସ୍ତାନରେ ଘଟୁଥିବା ଆମେ ପଢ଼ିଛୁ। ଏବେ ଓଡ଼ିଶା ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ଏହା ଘଟୁଛି। ଆଇନ-ଶୃଙ୍ଖଳାର କଥା କହିବାକୁ ଯାଇ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ଓ ଫାଶୀବାଦ ବ୍ୟବସ୍ଥା ବୋଲି କଟାକ୍ଷ କରିବା ଘଟଣାକୁ ରାଜନୈତିକ ମହଲ ଓ ବୁଦ୍ଧିଜୀବୀ ଗମ୍ଭୀରତାର ସହିତ ନେଇଛନ୍ତି। ସ୍ବାଭାବିକ ଭାବେ ବିଜେଡି ଓ କଂଗ୍ରେସ ବିରୋଧ କରିଛନ୍ତି। ବିଜେପି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ସୁରକ୍ଷା ପାଇଁ ଆସିନାହିଁ।

ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ବୈଜୟନ୍ତ ଇତିମଧ୍ୟରେ ନିଜ ଟ୍ବିଟ୍‌ ସଂପର୍କରେ ସ୍ପଷ୍ଟୀକରଣ ଦେଇଥିଲେ ହେଁ, ତାହା ଏହି ବିବାଦକୁ ଥମିବାରେ କୌଣସି ସାହାଯ୍ୟ କରିପାରିନାହିଁ। ବରଂ ବୈଜୟନ୍ତଙ୍କ ସାଙ୍ଗରେ ଏକଦା ଚିଲିକା, କୋଣାର୍କ ଆଦି ବୁଲିବା ବେଳେ ତଥାକଥିତ ସାମ୍ବାଦିକ ଅଭିଜିତ ଆୟର କିଭଳି ଓଡ଼ିଶାକୁ କଟାକ୍ଷ କରିଥିଲେ, ସେ ପ୍ରସଙ୍ଗ ପୁଣି ଥରେ ଆଜି ଚର୍ଚ୍ଚା ପରିସରକୁ ଆସିଛି।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ନିନ୍ଦନୀୟ।

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଟ୍ବିଟ୍ କରି କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଭୂମିକୁ ପାକିସ୍ତାନ ସହ ତୁଳନା କରିବାକୁ ଆପଣଙ୍କ ସାହସ କେମିତି ହେଲା? ଯେଉଁ ମହାପ୍ରଭୁଙ୍କ ମାଟିର ଲୋକମାନେ ଆପଣଙ୍କୁ ନିର୍ବାଚିତ କରି ବର୍ଷ ବର୍ଷ ଧରି ସେବା କରିବାକୁ ସୁଯୋଗ ଦେଇଥିଲେ ସେହି ମାଟିକୁ କିଭଳି ଆପଣ ଅପମାନ କରିପାରିଲେ? ଦେଶ ଏକଥା ଜାଣିବାକୁ ଚାହୁଛି। ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ବୈଜୟନ୍ତ ପଣ୍ଡା ମୁଁ ଆପଣଙ୍କୁ ମନେ ପକାଇଦେବାକୁ ଚାହେଁ କି, ଯେଉଁ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରୁଛନ୍ତି ୨୦୧୯ ନିର୍ବାଚନ ପରାଜୟ ପୂର୍ବରୁ ଏହି ମାଟି ହିଁ ଆପଣଙ୍କ ପରିଚୟ ଥିଲା। ତା’ହେଲେ କ’ଣ ପାକିସ୍ତାନରେ ଅଛି କେନ୍ଦ୍ରାପଡ଼ା? ଯଦି ହଁ ତାହା ହେଲେ ବର୍ତ୍ତମାନ ଓଡ଼ିଶା ଛାଡ଼ିଦିଅ; ଆଉ ସବୁଦିନ ପାଇଁ ପଳାଅ।

ବୈଜୟନ୍ତଙ୍କ ଟ୍ୱିଟ୍‌କୁ ସମର୍ଥନ କରୁଥିବା କିଛି ବ୍ୟକ୍ତିଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ଅନୁଭବ। କହିଛନ୍ତି, ଯେଉଁମାନେ ଆମ ମାତୃଭୂମିକୁ ଅପମାନ ଓ ଦୁର୍ବ୍ୟବହାର କରୁଛନ୍ତି, ସେମାନଙ୍କୁ ସମର୍ଥନ କରୁଥିବା କିଛି ମୁଣ୍ଡ ବିକାଙ୍କ ଉପରେ ଲଜ୍ଜା ଲାଗୁଛି। ଯଦି ଆମ ମାତୃଭୂମି ବାସ୍ତବରେ ପାକିସ୍ତାନ ହୋଇଥାନ୍ତା ତା’ହେଲେ ଏଭଳି ଅପାରଗ, କାପୁରୁଷମାନେ ବର୍ତ୍ତମାନ ସୁଦ୍ଧା ନର୍କରେ ଥାଆନ୍ତେ।

ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ କରି କହିଛନ୍ତି ଯେ ନିଜ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରିବା ଭଳି ଲଜ୍ଜାକର ଘଟଣା ଆଉ କିଛି ନାହିଁ। ଏହା ଓଡିଶା ସଂସ୍କୃତି, ଓଡିଆ ଲୋକଙ୍କ ପାଇଁ ଘୋର ଅସମ୍ମାନ। ତୁମର ସଦ୍‌ବୁଦ୍ଧି ଉଦୟ ହେଉ, ଏହା କେନ୍ଦ୍ରାପଡ଼ାବାସୀଙ୍କ ପାଇଁ ଅପମାନ, ଓଡ଼ିଶା ପ୍ରତି ଅପମାନ।

ବିଜେଡି ସାଂସଦ ସସ୍ମିତ ପାତ୍ର ଟ୍ୱିଟ୍ କରି କହିଛନ୍ତି ଯେ ବୈଜୟନ୍ତ ପଣ୍ଡାଙ୍କୁ ଓଡ଼ିଶା, ପାକିସ୍ତାନ ଭଳି ମନେ ହେବା ଦୁର୍ଭାଗ୍ୟଜନକ। ଯେଉଁ ରାଜ୍ୟ ତାଙ୍କୁ ସଂସଦର ଉଭୟ ସଦନକୁ ପଠାଇଥିଲା, କେନ୍ଦ୍ରାପଡ଼ାବାସୀ, ତୁଳସୀ କ୍ଷେତ୍ର ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା, ବୈଜୟନ୍ତ ପଣ୍ଡା ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ଓଡ଼ିଆଙ୍କ ପ୍ରତି ଅପମାନ, ଓଡ଼ିଆ ସଂସ୍କୃତିର ଅପମାନ।

ଅନ୍ୟପକ୍ଷରେ ବିଭିନ୍ନ ଆଡ଼ୁ ସମାଲୋଚିତ ହେବା ପରେ ପୁଣିଥରେ ଟ୍ବିଟ୍‌ କରି ବୈଜୟନ୍ତ ସ୍ପଷ୍ଟୀକରଣରେ କହିଛନ୍ତି, ତାଙ୍କ ଟ୍ୱିଟ୍‌ର ଅର୍ଥକୁ ଅନ୍ୟ ଅର୍ଥରେ ନେଇ ବିଜେଡି ତାଙ୍କ ନାମରେ ମିଛ ପ୍ରଚାର କରୁଛି। ସେ କହିଛନ୍ତି “ମୁଁ ଯାହା କହିଥିଲି ତାହାର ଅର୍ଥକୁ ବିକୃତ କରିବାକୁ ବିଜେଡି ଆତୁର ହୋଇ ଚେଷ୍ଟା କରୁଛି। ଯେକେହି ମୋର ଟ୍ୱିଟ୍ ଏବଂ ସାକ୍ଷାତକାର ପଢ଼ିପାରିବେ। ଓଡ଼ିଶା ପାକିସ୍ତାନ ଭଳି ବୋଲି ମୁଁ କହି ନ ଥିଲି। ମୁଁ କହିଥିଲି ଯେ ଓଡ଼ିଶା ଏବଂ ମହାରାଷ୍ଟ୍ର ପୋଲିସ ଆଇନଗତ ପ୍ରକ୍ରିୟାକୁ ଅବମାନନା କରି ପାକିସ୍ତାନ ପୋଲିସ ଭଳି ବ୍ୟବହାର କରୁଛି।’’

ସମ୍ବନ୍ଧିତ ଖବର