ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ନିକଟରେ ତାଙ୍କ ପିତା ତଥା ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ମୃତ୍ୟୁପରେ କୌଣସି ବିଜେଡି ନେତା ତାଙ୍କ ଶେଷ ଦର୍ଶନ ପାଇଁ ଯାଇ ନ ଥିବାରୁ ଏହା ଶ୍ରୀ ପଣ୍ଡାଙ୍କୁ ବେଶ୍ ବ୍ୟଥିତ କରିଥିଲା। ଦଳ ଭିତରେ ନିଜକୁ ଅଲୋଡ଼ା ଭାବିବା ସହିତ ତାଙ୍କ ଭିତରେ ଥିବା ସମସ୍ତ କ୍ଷୋଭକୁ ଏକ ୩ ପୃଷ୍ଠା ସମ୍ବଳିତ ପତ୍ରରେ ଉଲ୍ଲେଖ କରିବା ସହିତ ଶ୍ରୀ ପଣ୍ଡା ବିଜେଡିରୁ ଇସ୍ତଫା ଦେଉଥିବା ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ପରେ ପିତାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଶେଷ ହେବା ପରେ ସେ ଲୋକ ସଭାର ବାଚସ୍ପତିଙ୍କୁ ସାଂସଦ ପଦରୁ ଇସ୍ତଫା ନେଇ ତାଙ୍କ ପତ୍ର ପ୍ରଦାନ କରିବେ ବୋଲି ଣ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବୈଜୟନ୍ତ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ବିଜୁ ପଟ୍ଟନାୟକଙ୍କ ସହିତ ଘନିଷ୍ଠ ଥିବା ତାଙ୍କ ବାପା ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କ ଶେଷଦର୍ଶନ ପାଇଁ ବିଜେଡି ନେତାଙ୍କୁ ବାରଣ କରାଯାଇଥିବା ଜଣାପଡ଼ିବା ପରେ ଏହା ତାଙ୍କୁ ବେଶ ବ୍ୟଥିତ କରିଛି। ଏଥିରୁ ସେ ହୃଦବୋଧ କରିଛନ୍ତି ଯେ ବିଜେଡି ଆଉ ତାଙ୍କୁ ଚାହୁଁନାହିଁ । ଏହା ତାଙ୍କ ଆତ୍ମସମ୍ମାନରେ ଆଞ୍ଚ ଆଣିଛି। ଦଳର ଏଭଳି ସଂକୀର୍ଣ୍ଣ ପରିବେଶ ଭିତରେ ସେ ନିଜର ଆତ୍ମ ସମ୍ମାନକୁ ବଳି ଦେବାକୁ ଚାହୁଁ ନ ଥିବାରୁ ବିଜେଡିରୁ ଇସ୍ତଫା ଦେଉଛନ୍ତି ବୋଲି ସାଂସଦ ଶ୍ରୀ ପଣ୍ଡା ଲେଖିଛନ୍ତି।
ସୂଚନାଯୋଗ୍ୟ ଯେ ଦଳବିରୋଧୀ କାର୍ଯ୍ୟ ପାଇଁ ଗତ ଜାନୁଆରି ୨୪ ତାରିଖ ଦିନ ବିଜେଡି ସାଂସଦ ଶ୍ରୀ ପଣ୍ଡାଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ନିଲମ୍ବିତ କରିଥିଲେ।