ପୁଣି ବୈଜୟନ୍ତଙ୍କ ଉଡାଣ ନେଇ ଚର୍ଚ୍ଚା: ଚିଲିକା ସହ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର ଉପରେ ଉଡ଼ାଇଥିଲେ ହେଲିକପ୍ଟର

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ଏବଂ କୋଣାର୍କ ମନ୍ଦିର ଉପରେ ହେଲିକପ୍ଟର ଉଡାଇବା ଅଭିଯୋଗ ଆସିବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଡ଼ୁଆ ବଢ଼ିଛି । ଚିଲିକାରେ ହେଲଇକପ୍ଟର ଉଡାଇ ଆଇନଗତ ମାମଲାରେ ଫସିବା ପରେ ପରେ ପୁଣି ଏହି ଘଟଣା ସାମ୍ନାକୁ ଆସିଛି । ଏ ନେଇ ଆଉ ଏକ ମାମଲା ରୁଜୁ କରିପାରେ ପୁରୀ ପୋଲିସ । ୧୫ ତାରିଖରେ ଓଡିଶା ବୁଲିବା ବେଳେ ବୈଜୟନ୍ତଙ୍କ ହେଲିକପ୍ଟରରେ ବସିଥିବା ଅଭିଜିତ ଆୟାର ମିତ୍ର ନିଜେ ଟ୍ୱିଟ କରି ପୁରୀ ଓ କୋଣାର୍କର ସବୁ ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଟ୍ୱିଟରେ ହେଲିକପ୍ଟରରେ ଉପରେ ବସି ଅଭିଜିତ ଆୟାର ମିତ୍ର ପୁରୀ ମନ୍ଦିର ଉପରେ ବୁଲିଥିବା ବେଳେ ଟ୍ୱିଟ କରି ସେ ଲେଖିଛନ୍ତି, ଶ୍ରୀମନ୍ଦିର ଉପରୁ ମୋର ସ୍ତ୍ରତନ୍ତ୍ର ମେସେଜ- ମନ୍ଦିର ସତରେ କେତେ ବଡ ଓ ପୂରା ସହର ମନ୍ଦିର ଚାରିପଟେ ଗଢ଼ି ଉଠିଛି।

ସେହିଭଳି କୋଣାର୍କ ମନ୍ଦିର ଉପରେ ଉଡ଼ିବା ବେଳେ ଅଭିଜିତ ଆୟାର ମିତ୍ର ନିଜେ ଟ୍ୱିଟରର ଭିଡିଓ ଓ ଫଟୋ ସେୟାର କରିଛନ୍ତି । ଏହି ସମୟରେ ହେଲକିପଟରରେ ସେ ବସିଥିବାର ଦୃଶ୍ୟ ରହିଛି । ଏଥିରେ ସେ କୋଣାର୍କ ମନ୍ଦିର ଚାରିପଟେ ବୁଲୁଥିବା ଦୃଶ୍ୟ ରହିଛି ।
କୋଣାର୍କ ମନ୍ଦିର ଓ ଏହାର କାରୁକାର୍ଯ୍ୟକୁ ସେ ଟ୍ୱିଟ କରି ପ୍ରଂଶସା ମଧ୍ୟ କରିଛନ୍ତି । ତେବେ ଏ ସବୁ ଟ୍ୱିଟ ପରେ ପୁରୀ ପୋଲିସ ତନାଘନା ଆରମ୍ଭ କରିଛି । ଆଜି ଏ ନେଇ ମାମଲା ମଧ୍ୟ ରୁଜୁ ହୋଇପାରେ । ତେଣୁ ବୈଜୟନ୍ତ ପଣ୍ଡାଙ୍କ ଅଡୁଆ ବଢିବାର ସମ୍ଭାବନା ରହିଛି ।

ଉଲ୍ଲେଖ ଥାଉ କି, ଚିଲିକାରେ ହେଲିକପ୍ଟର ଉଡାଇବା ଅଭିଯୋଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀ ପୋଲିସ । ଏହା ସହ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ସିଜ୍ କରିଛି ପୋଲିସ୍ । ଚିଲିକାର ନୋ ଫ୍ଲାଇଙ୍ଗ୍ ଜୋନରେ ହେଲିକପ୍ଟର ଉଡାଇବା ଅଭିଯୋଗରେ ଏହାକୁ ସିଜ୍ କରିଛି ପୋଲିସ୍ । ଆଜି ଏ ସମ୍ପର୍କରେ ପଚରାଉଚରା ପାଇଁ ଇମ୍ଫା କର୍ତୃପକ୍ଷଙ୍କୁ ବି ପୁରୀ ପୋଲିସ ଡାକିଛି । ଅଭିଯୋଗ ଅନୁସାରେ, ବୈଜୟନ୍ତ ପଣ୍ଡା ଅଭିଜିତ ଆୟାର ମିତ୍ର ଓ ଟିକୁ ସିଂଙ୍କୁ ଚିଲିକା ବୁଲାଇବାକୁ ନେଇଥିଲେ । ତେଣୁ ଏହି ଦୁଇଜଣଙ୍କୁ ବି ପୋଲିସ ପଚରାଉଚରା କରିବ । ବୈଜୟନ୍ତ ପଣ୍ଡା ଚିଲିକା ପାଣି ଉପରକୁ ବିମାନ ଖସାଇଥିଲେ । ଯଦିଓ ଗରଦପୁର, କୋଣାର୍କ ଓ ପୁରୀ ଆକାଶରେ ବିମାନ ଉଡାଇବାକୁ ସେ ଅନୁମତି ପାଇଥିଲେ, କିନ୍ତୁ ବେଆଇନ ଭାବେ ଚିଲିକା ଆକାଶକୁ ଯାଇଥିଲେ ।

ସେ କହିଛନ୍ତି ଡିଜିସିଏ ରିପୋର୍ଟ ଆଧାରରେ ତଦନ୍ତ ଆଗକୁ ବଢ଼ିଥିଲା । ହେଲିକପ୍ଟରରେ ବୈଜୟନ୍ତଙ୍କ ସମେତ ୨ଜଣ ଥିଲେ । ସମସ୍ତଙ୍କ ବୟାନ ରେକର୍ଡ କରାଯିବ । ଏନେଇ ତଦନ୍ତ ଜାରି ରହିଛି । ଇମ୍ଫାର ହ୍ୟାଙ୍ଗର ବା ପାର୍କିଂ ଅଂଚଳକୁ ସିଲ୍ କରିଛି ପୋଲିସ୍ । ଏହା ଧାର୍ଯ୍ୟ ଉଚ୍ଚତାରୁ ତଳେ ଉଡିଥିଲା କି ନାହିଁ, ତାହାର ତଥ୍ୟ ବ୍ଲାକବକ୍ସ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି । ଏନେଇ ପୁରୀ ମେରାଇନ ଥାନାରେ ଅଭିଯୋଗ କରିଥିଲେ ଚିଲିକା ଉନ୍ନୟନ କର୍ତୁପକ୍ଷ ଏସିଏଫ୍ ବିନୋଦ ଆଚାର୍ଯ୍ୟ । ଏପରିକି ନିକଟସ୍ଥ ଅଂଚଳରେ ଲ୍ୟାଣ୍ଡ କରିବାକୁ ହେଲିକପଟରର ପାଇଲଟ ଚେଷ୍ଟାକରିଥିଲେ ବୋଲି କୁହାଯାଇଥିଲା । ନୋ ଫ୍ଲାଇଙ୍ଗ ଓ ଇକୋ ସେନସିଟିଭ ଜୋନରେ ହେଲିକପ୍ଟର ଉଡିବା ପରେ ଆପତି ଉଠାଇଛି ସିଡିଏ । ଏହା ଲୋକଙ୍କ ଜୀବନ ଖାସ୍ କରି ପର୍ଯ୍ୟଟକ ଓ ଡଲଫିନ୍ଙ୍କ ପାଇଁ ବିପଦ ନେଇ ଆସିଥିଲା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର