ଚିଲିକା ଉପରେ ବେଆଇନ୍‌ ଉଡାଣ ଅଭିଯୋଗ: ବୈଜୟନ୍ତଙ୍କ ହେଲିକପ୍ଟର ସିଲ୍‌ମୁକ୍ତ କଲା ପୁରୀ ପୁଲିସ

ଭୁବନେଶ୍ୱର/ପୁରୀ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚିଲିକା ଉପରେ ବେଆଇନ୍‌ ଉଡାଣ କରିଥିବା ଅଭିଯୋଗରେ ପୁରୀ ପୁଲିସ୍‌ ତାଙ୍କର ଦୁଇଟି ହେଲିକପ୍ଟରକୁ ଜବତ କରି ସିଲ୍‌ କରିଥିଲା । ତେବେ ଡିଜିସିଏ ଏହି ଉଡାଣ ବେଆଇନ ନଥିଲା ବୋଲି ରିପୋର୍ଟ ଦେବା ପରେ ସେଥି ମଧ୍ୟରୁ ଗୋଟିଏକୁ ପୁଲିସ ସିଲମୁକ୍ତ କରିଥିଲା। ବୁଧବାର ପୁରୀ ପୁଲିସ ଦ୍ୱିତୀୟ ହେଲିକପ୍ଟରର ସିଲ୍‌ ଖୋଲିଛି। ମିଳିଥିବା ସୂଚନା ଅନୁସାରେ ପୁରୀ ଏସ୍‌ଡିଜେଏମ୍‌ଙ୍କ ଆଦେଶ ପରେ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ପୁରୀ ପୁଲିସ ସିଲ୍‌ ମୁକ୍ତ କରିଛି।

ସୂଚନାଯୋଗ୍ୟ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମରେ ଅଭିଯୋଗ ଆସିବା ପରେ ଭୁବନେଶ୍ୱରରେ ଥିବା ଇମ୍ଫାର ହ୍ୟାଙ୍ଗରକୁ ପୁରୀ ପୁଲିସ ଦ୍ୱାରା ସିଲ୍‌ କରାଯାଇଥିଲା। ଡିଜିସିଏଙ୍କ କ୍ଲିନଚିଟ୍‌ ପରେ ନଭେମ୍ବରରେ ପୁଲିସ ହ୍ୟାଙ୍ଗର ସିଲ୍‌ ଖୋଲିଥିଲା। ମାତ୍ର ହ୍ୟାଙ୍ଗର ଖୋଲିଥିଲେ ବି, ଅଭିଯୋଗ ଥିବା ହେଲିକପ୍ଟରକୁ ସିଲ୍‌ କରି ରଖିଥିଲା। ଏନେଇ ଇମ୍ଫା ଆଭିଏସନ୍‌ କର୍ତ୍ତୃପକ୍ଷ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ବୋଲି ଇମ୍ଫା ଆଭିଏସନ୍‌ ମୁଖ୍ୟ ହିମାଂଶୁ ମହାପାତ୍ର ସୂଚନା ଦେଇଛନ୍ତି।

ବିନା କାରଣରେ ହେଲିକପ୍ଟରକୁ ସିଲ୍‌ କରି ରଖିବା ଘଟଣାର ପ୍ରତିବାଦ କରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଏକ ପତ୍ର ଲେଖିଥିଲେ। ପତ୍ରରେ ସେ ଜଣାଇଥିଲେ ଯେ, ପୁରୀ ପୁଲିସ ହେଲିକପ୍ଟରକୁ ସିଲ୍‌ କରି ରଖିଥିବାରୁ ଏହାର ରକ୍ଷଣାବେକ୍ଷଣ ହୋଇପାରୁ ନାହିଁ। ଡିଜିସିଏ ପକ୍ଷରୁ ଉଡାଣ ନେଇ କ୍ଲିନଚିଟ୍‌ ମିଳିଥିଲେ ମଧ୍ୟ ପୁଲିସ କାହିଁକି ହେଲିକପ୍ଟରକୁ ସିଲ କରି ରଖିଛି, ତାହା ଜଣାପଡୁ ନାହିଁ। ପୁଲିସ ଉଦ୍ଦେଶ୍ୟମୂଳକ ଭାବେ ଏପରି କରିଛି ବୋଲି ବୈଜୟନ୍ତ ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର