ଭୁବନେଶ୍ବର : ଓଡ଼ିଶାରେ ପଞ୍ଚାୟତ ନିର୍ବାଚନରେ ବିଜେଡି ଯେପରି ୯୦% ଜିଲ୍ଲା ପରିଷଦ ଆସନ ଜିତିଲା ଆସାମରେ ପୌର ନିର୍ବାଚନରେ ବିଜେପି ସେହିପରି ମୂଳପୋଛ କରିଛି। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଯାଦୁ ଦେଖିବାକୁ ମିଳିଥିବାବେଳେ ଆସାମରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ରଣନୀତି କାମ ଦେଇଛି। ବୈଜୟନ୍ତଙ୍କ ଗୋଟି ଚାଳନାରେ ବିଜେପି ଆସାମରେ ମୋଟ୍ ୮୦ଟି ମ୍ୟୁନିସପାଲଟି ବୋର୍ଡରୁ ୭୭ଟି ମ୍ୟୁନିସପାଲଟି ବୋର୍ଡ ଗଠନ କରିବାକୁ ଯାଉଛି।
ଅନ୍ତର୍ଜାତୀୟ ତଥା ଜାତୀୟ ରାଜନୀତି ଦୃଷ୍ଟିରୁ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଆସାମରେ ବିଧାନସଭା ରାୟର ପୁନରାବୃତ୍ତି ହୋଇଛି। ବିଧାନସଭା ନିର୍ବାଚନରେ ବୈଜୟନ୍ତଙ୍କ ରଣନୀତି କାମ ଦେଇଥିବାରୁ ତାଙ୍କୁ କେନ୍ଦ୍ରୀୟ ନେତୃତ୍ବ ପୌର ନିର୍ବାଚନ ଦାୟିତ୍ବ ଦେଇଥିଲେ। ଯାହାକୁ ସଫଳତାର ସହ ପରିଚାଳନା କରି ବୈଜୟନ୍ତ ପୁଣି ତାଙ୍କ ଦକ୍ଷତାର ପରିଚୟ ଦେଇଛନ୍ତି। ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର-ପୂର୍ବାଞ୍ଚଳରେ ପୂର୍ବୋଦୟର ନାରା ଦେଉଥିବାରୁ ବୈଜୟନ୍ତ ତାହାକୁ ଅଧିକ ମଜବୁତ୍ କରିଛନ୍ତି।
ଆସାମରେ ୨୪ଟି ଜିଲ୍ଲାରେ ୯୭୭ଟି ୱାର୍ଡରେ ୮୦ଟି ମ୍ୟୁନିସପାଲଟି ବୋର୍ଡ ନିର୍ବାଚନରେ ବିଜେପି ୭୭ଟି ମ୍ୟୁନିସପାଲଟି ବୋର୍ଡ ଗଠନ କରିବାକୁ ଯାଉଥିବାବେଳେ କଂଗ୍ରେସ ମାତ୍ର ଗୋଟିଏ ଏବଂ ସ୍ବାଧୀନ ଦୁଇଟି ବୋର୍ଡ ଗଠନ କରିବାକୁ ଯାଉଛନ୍ତି। ବିଜେପିର ଏହି ବିପୁଳ ବିଜୟ ପରେ ଶ୍ରୀ ପଣ୍ଡା ଆସାମର ଜନସାଧାରଣଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶ ତଥା ଆସାମ ଓ ଉତ୍ତର-ପୂର୍ବାଞ୍ଚଳ ବିକାଶ ପ୍ରତି ସ୍ବତନ୍ତ୍ର ଗୁରୁତ୍ବକୁ ଭରସା କରୁଛନ୍ତି ବୋଲି କହିଛନ୍ତି। ଯେଉଁ ଅଞ୍ଚଳରେ ବିଜେପିର ଶାସନ ନଥିଲା ସେଠି ମଧ୍ୟ ଆଗାମୀ ଦିନରେ ବିଜେପି ସଫଳତା ହାସଲ କରିବ ବୋଲି ଶ୍ରୀ ପଣ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି।