ବିଜେଡ଼ିର ଅଭିଯୋଗ : ୪ ସହଯୋଗୀଙ୍କ ଜରିଆରେ ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି ବୈଜୟନ୍ତ

ଭୁବନେଶ୍ୱର : କେନ୍ଦ୍ରାପଡ଼ାର ବିଜେପି ସାଂସଦ ପ୍ରାର୍ଥୀଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ (ସିଇଓ)ଙ୍କ ନିକଟରେ ଫେରାଦ ହେଲା ବିଜେଡ଼ିର ପ୍ରତିନିଧି ଦଳ । ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ନେଇ ସିଇଓଙ୍କ ଦ୍ୱାରସ୍ଥ ହୋଇଛି ବିଜେଡ଼ି । ଆଉ ମାତ୍ର ୨ଦିନ ପରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ କରିଛି ବିଜେଡ଼ି । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିମ୍ନ ସ୍ତରକୁ ଖସିଯାଇଛନ୍ତି ବୋଲି କହି ବିଜେଡ଼ି ଅଭିଯୋଗ କରିଛ । ମିଳିଥିବା  ସୂଚନା ଅନୁଯାୟୀ, ବୈଜୟନ୍ତ ପଣ୍ଡା ୪ଜଣ ସହଯୋଗୀଙ୍କୁ ଟଙ୍କା ବାଣ୍ଟିବା କାମରେ ଲଗାଇ ଦେଇଛନ୍ତି । ନିର୍ବାଚନ ଜିତିବା ପାଇଁ ଅତ୍ୟନ୍ତ କୁତ୍ସିତ ରାସ୍ତା ଆପଣାଇଛି ବିଜେପି । କେନ୍ଦ୍ରାପଡ଼ାରେ ବଉଳ ବିହାରରେ ଥିବା ବୈଜୟନ୍ତ ପଣ୍ଡାଙ୍କ ଏକ ଅଫିସରେ ଏହି କାମ କରାଯାଉଛି । ବୈଜୟନ୍ତ ପଣ୍ଡାଙ୍କ ପ୍ରମୁଖ ୪ଜଣ ସହଯୋଗୀ କଳା ଟଙ୍କା କାରବାର କରୁଛନ୍ତି ବୋଲି ବିଜେଡ଼ି ଅଭିଯୋଗ ଆଣିଛି ।

ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କେନ୍ଦ୍ରାପଡ଼ାରେ କଳାଟଙ୍କାର ବ୍ୟାପାର ଖେଳାଇଛନ୍ତି ବୈଜୟନ୍ତ ପଣ୍ଡାଙ୍କ ମୁଖ୍ୟ ସହଯୋଗୀ ଦୀପକ ପଣ୍ଡା । ଆଉ ତାଙ୍କୁ ଜ୍ୟୋତି ଘୋଷ, ବିଶ୍ୱଜିତ, ଏକେ ଦାସ ପ୍ରମୁଖ ସହଯୋଗ କରୁଥିବା ନେଇ ସୂଚନା ମିଳିଛି । ବିଜେଡ଼ି ଏନେଇ ସିଇଓଙ୍କ ନିକଟରେ ଫେରାଦ ହେବା ସହ ତାଙ୍କର ମୋବାଇଲ ନମ୍ବର ଓ ସମ୍ପୂର୍ଣ୍ଣ ବିବରଣୀ ହସ୍ତାନ୍ତର କରିଥିବା ଜଣା ପଡ଼ିଛି । ସିଇଓ ତୁରନ୍ତ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେଡ଼ି ଦାବି କରିବା ସହ ଏହି ବ୍ୟକ୍ତି ମାନଙ୍କର ମୋବଇଲ ଫୋନ ସର୍ଭିଲେନ୍‌ସରେ ରଖାଯାଉ ଏବଂ ତୁରନ୍ତ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରୁ ସେମାନଙ୍କୁ ବିତାଡ଼ିତ କରାଯାଉ ବୋଲି ଦାବି କରାଯାଇଛି ।

OrissaPOST

ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଗତ କିଛି ଦିନ ହେଲା ବୈଜୟନ୍ତ ପଣ୍ଡା ଅନେକ ଅନୈତିକ କାର୍ଯ୍ୟକରୁଛନ୍ତି । ଯାହା ଜନସାଧାରଣଙ୍କ ସମ୍ମୁଖକୁ ବିଜେଡ଼ି ସାମ୍ନାକୁ ଆଣିଥିଲା । ତେବେ ଭୋଟ ହାତେଇବା ପାଇଁ ଏପରି ଉପାୟ ଆପଣାଇବା, ବେଶ ଦୁର୍ଭାଗ୍ୟଜନକ । ହେଲେ ବିଜେପି ପ୍ରାର୍ଥୀଙ୍କ ଏହି କୁକାର୍ଯ୍ୟର ଉଚିତ ଜବାବ ଦେବେ କେନ୍ଦ୍ରାପଡ଼ାବାସୀ ।

ସମ୍ବନ୍ଧିତ ଖବର