ସମ୍ବଲପୁର: ଗତ ୧୨ ତାରିଖର ଆନ୍ଦୋଳନ ଓ ଭଙ୍ଗାରୁଜା ଘଟଣାରେ ୧୩ ତାରିଖ ଦିନ ଗିରଫ ହୋଇଥିବା ୧୪ ଜଣ ଆଇନ୍ଜୀବୀଙ୍କ ଜାମିନ ଆବେଦନ ଶୁକ୍ରବାର ସ୍ଥାନୀୟ ଏସ୍ଡିଜେଏମ୍ଙ୍କ କୋର୍ଟରେ ଖାରଜ ହୋଇଯାଇଛି। ସମ୍ବଲପୁର ଓକିଲ ସଂଘରେ ପଞ୍ଜିକୃତ ସମସ୍ତ ଆଇନ୍ଜୀବୀଙ୍କ ଲାଇସନ୍ସକୁ ସସ୍ପେଣ୍ଡ କରା ଯାଇଥିବାବେଳେ କୁଚିଣ୍ଡାରୁ ଆସିଥିବା ୩ ଜଣ ଓକିଲ ରଂଜନ ଶର୍ମା, ସଚିତା ଶର୍ମା ଏବଂ ଯଦୁମଣି ପୃଷେଠ୍ ସେମାନଙ୍କ ପାଇଁ ଜାମିନ ଆବେଦନ କରିଥିଲେ।
ହେଲେ ବହୁ ଗୁରୁତର ଦଫା ଲାଗିଥିବାରୁ ଏସ୍ଡିଜିଏମ୍ ଏହାକୁ ଖାରଜ କରି ଦେଇଥିଲେ। ଶନିବାର ପୁଣି ଜିଲ୍ଲା ଜଜ୍ଙ୍କ ଅଦାଲତରେ ସମସ୍ତ ଓକିଲଙ୍କ ଜାମିନ ପାଇଁ ଆବେଦନ କରାଯିବ ବୋଲି ଆଇନ୍ଜୀବୀ ରଂଜନ ଶର୍ମା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଗତ ୧୨ ତାରିଖରେ ହୋଇଥିବା ଆନ୍ଦୋଳନ ଓ ସତ୍ୟାଗ୍ରହବେଳେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା। କିଛି ଆନ୍ଦୋଳନକାରୀ ଜିଲ୍ଲା ଜଜ୍ ଓ ବିଚାରପତିମାନଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ସେମାନଙ୍କୁ ବାହାର କରିଦେବା ସହ ଭଙ୍ଗାରୁଜା କରିଥିଲେ। ସେହିଦିନ ସୁପ୍ରିମ୍୍ କୋର୍ଟ ଉକ୍ତ ଘଟଣାର ଭିଡିଓ ଫୁଟେଜ୍ ଦେଖି ଅତ୍ୟନ୍ତ ବିରକ୍ତି ପ୍ରକାଶ କରିବା ସହ ପୁଲିସ୍ର ବିଫଳତା ନେଇ ବର୍ଷିଥିଲେ। ଓକିଲମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେହି ରାତିରୁ ସମ୍ବଲପୁର ପୁଲିସ୍ ଆଇନ୍ଜୀବୀମାନଙ୍କୁ ଆକ୍ରୋଶମୂଳକଭାବେ ଗିରଫ କରିବା ଆରମ୍ଭ କରିଛି। ମଙ୍ଗଳବାର ସୁଦ୍ଧା ଉକ୍ତ ଘଟଣାରେ ପୁଲିସ୍ ୨୩ ଆଇନ୍ଜୀବୀଙ୍କ ସମେତ ମୋଟ ୩୨ ଜଣଙ୍କୁ ଗିରଫ କରି ସାରିଛି। ସେମାନଙ୍କ ନାମରେ ସମ୍ବଲପୁର ଟାଉନ୍ ଥାନାରେ ଅନେକ ଗୁରୁତର ଦଫା ସମ୍ବଳିତ ୪ଟି ମାମଲା ରୁଜୁ କରାଯାଇଛି।