ମନ୍ତ୍ରୀପୁଅଙ୍କ ଜାମିନ ପୁଣି ଖାରଜ

କେନ୍ଦୁଝର: ମରଣାନ୍ତକ ଆକ୍ରମଣ ମାମଲାରେ ଗିରଫ ହୋଇ କେନ୍ଦୁଝର ଜେଲ୍‌ରେ ଥିବା ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ଜାମିନ ଆବେଦନ ପୁଣି ଖାରଜ ହୋଇଯାଇଛି। ଜିଲ୍ଲା ଜଜ୍‌ ତାଙ୍କ ଜାମିନ ଆବେଦନକୁ ଆଗ୍ରାହ୍ୟ କରିଦେଇଛନ୍ତି। କ୍ୟାମ୍ପ୍‌ କୋର୍ଟରେ ଆଜି ଦେବାଶିଷଙ୍କ ଜାମିନ ଶୁଣାଣି ଥିଲା। ଏଥିପାଇଁ ଆକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଥିବା ସତ୍ୟବ୍ରତ ପାତ୍ରଙ୍କ ବାପା ଅମିନ ପାତ୍ରଙ୍କୁ ନୋଟିସ୍‌ ହୋଇଥିଲା। ଅମିନ ଆଜି ସକାଳ ୧୦ଟାରୁ ଆସି କେନ୍ଦୁଝର ଜେଲ୍‌ ନିକଟରେ ପହଞ୍ଚିଥିଲେ। ଉପଯୁକ୍ତ ସମୟରେ ବିଚାରପତିମାନେ କ୍ୟାମ୍ପ କୋର୍ଟକୁ ଯାଇଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କୁ ଡକାଯାଇ ନଥିଲା। ଦିନ ଗୋଟାଏବେଳେ କ୍ୟାମ୍ପ କୋର୍ଟ ସାରି ବିଚାରପତିମାନେ ଫେରିଯିବା ପରେ ସେ ଜିଲ୍ଲା ଜଜ୍‌ଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଅପରାହ୍‌ଣ ସାଢ଼େ ଦୁଇଟାବେଳେ ଜିଲ୍ଲା ଜଜ୍‌ଙ୍କୁ ଦେଖା କରି ନିଜ ପକ୍ଷ ରଖିଥିଲେ। ତାଙ୍କ ପୁଅକୁ ଦେବାଶିଷ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଏହି ମାମଲାରେ ସେ ଏବେ ଜେଲ୍‌ରେ ଥିଲେ ମଧ୍ୟ ତାଙ୍କ ଭାଇ ଦେବପ୍ରିୟ ପାତ୍ର ତାଙ୍କ ଘରକୁ ଆସୁଥିବା ବନ୍ଧୁଙ୍କୁ ଆକ୍ରମଣ କରି ଖୁଲମଖୁଲା ବୁଲୁଛନ୍ତି। ଏପରିସ୍ଥଳେ ଦେବାଶିଷ ଜାମିନ ପାଇଲେ ତାଙ୍କ ଅବସ୍ଥା ଆହୁରି ସା˚ଘାତିକ ହେବ ବୋଲି ଅମିନ କହିଥିଲେ। ଏବଂ, ଦେବାଶିଷଙ୍କୁ ଜାମିନ ଦିଆ ନଯାଉ ବୋଲି ସେ ଜଜ୍‌ଙ୍କୁ ନିବେଦନ କରିଥିଲେ। ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଜଜ୍‌ ଦେବାଶିଷଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହାକୁ ମିଶାଇ ତାଙ୍କର ୩ ଥର ଜାମିନ୍‌ ଆବେଦନ ପ୍ରତ୍ୟାହାର ହୋଇଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୧ ତାରିଖରେ ଦେବାଶିଷଙ୍କ ନାମରେ ଘସିପୁରା ଥାନା କେସ୍‌ ନ˚ ୧୮୪/୧୮ରେ ଦଙ୍ଗା, ମାରଣାସ୍ତ୍ର ଦେଖାଇ ଦଙ୍ଗା, ହତ୍ୟା ଉଦ୍ୟମ, ଗାଳି ଗୁଲଜ ଓ ଜାତିଆଣ ମନ୍ତବ୍ୟ ଦେବା ଭଳି ଦଫାରେ ମାମଲା ରୁଜୁ ହୋଇଥିଲା। ପୂର୍ବରୁ ସେହି ଥାନାରେ ସେ‌େପ୍ଟମ୍ବର ୬ ତାରିଖରେ କେସ୍‌ ନଂ ୧୮୧/୧୮ରେ ମଧୢ ଏକ ମାମଲା ରୁଜୁ ହୋଇଥିଲା। ସେହିପରି ରାମଚନ୍ଦ୍ରପୁର ଥାନାରେ ସେପ୍ଟେମ୍ବର ୧୮ ତାରିଖରେ କେସ୍‌ ନଂ ୧୩୮/୧୮ରେ ଦେବାଶିଷଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା। ସେପ୍ଟେମ୍ବର ୧୯ ତାରିଖରେ ତାଙ୍କୁ ଘସିପୁରା ପୁଲିସ ଟାଙ୍ଗି ନିକଟରୁ ତାଙ୍କୁ ଗିରଫ କରିଥିଲା। ଜାମିନ୍‌ ଆଗ୍ରାହ୍ୟ ହେବାରୁ ଦେବାଶିଷଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର