କଟକ: ୨୦୧୬ରେ ସିଡିଏସ୍ଥିତ ଘରୁ ୨ କୋଟି ୬୭ ଲକ୍ଷ ୬୪ ହଜାର ୭୪୦ ଟଙ୍କା ଜବତ ଘଟଣାରେ ୨ ଗ୍ୟାଙ୍ଗଷ୍ଟରଙ୍କୁ ମିଳିଲା ଜାମିନ। ଗ୍ୟାଙ୍ଗଷ୍ଟର ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ୫୦ ହଜାର ଟଙ୍କାର ଦୁଇ ଜଣ ଲେଖାଏଁ ଜାମିନଦାରଙ୍କ ବଦଳରେ ସୁଶାନ୍ତ ଓ ସୁଶୀଲଙ୍କୁ ଜାମିନରେ ଛାଡ଼ିବାକୁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି ଘଟଣାରେ ଜାମିନ ମିଳିଥିଲେ ବି ଅନ୍ୟ ମାମଲା ରହିଥିବାରୁ ସୁଶାନ୍ତ ଓ ସୁଶୀଲ ଏବେ ଜେଲରୁ ମୁକୁଳିବେ ନାହିଁ। 

Advertisment

ଜାମିନ ଆବେଦନର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ଏହି ମାମଲାରେ ୨୦୧୬, ଏପ୍ରିଲ ୮ରୁ ସୁଶାନ୍ତ ଓ ସୁଶୀଲ ଜେଲରେ ଅଛନ୍ତି। ପୂର୍ବରୁ ହାଇକୋର୍ଟରେ ସେମାନଙ୍କ ଜାମିନ ଆବେଦନ ଖାରଜ ‌ହୋଇଥିଲା। ଏହାପରେ ପୁଣି ଦୌରା ଅଦାଲତରେ ଜାମିନ ଆବେଦନ କରି ଉଭୟ ନିରାଶ ହେବା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ଦୁଇ ଭାଇ ୯ ବର୍ଷ ୪ ମାସ ଜେଲରେ ରହି ସାରିଥିବା ବେଳେ ନିମ୍ନ ଅଦାଲତରେ ଟ୍ରାଏଲ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇ ନାହିଁ। ଚାର୍ଜସିଟରେ ୨୦ ଜଣ ସାକ୍ଷୀଙ୍କ ନାଁ ଉଲ୍ଲେଖ କରାଯାଇଥିବା ବେଳେ ଏଥି ମଧ୍ୟରୁ ମାତ୍ର ୮ଜଣଙ୍କ ଅଦାଲତରେ ସାକ୍ଷ୍ୟ ଗ୍ରହଣ ‌ଶେଷ ହୋଇଛି।

ସୁଶାନ୍ତ ୪ଟି ମାମଲାରେ ଓ ସୁଶୀଲ ଦୁଇଟି ମାମଲାରେ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ସବୁ ମାମଲାରେ ଜେଲ ଦଣ୍ଡ ୭ ବର୍ଷ ଅତିକ୍ରମ କରି ନାହିଁ। ୯ ବର୍ଷ ପରେ ମଧ୍ୟ ମାମଲାର ନିମ୍ନ ଅଦାଲତରେ ଟ୍ରାଏଲ ‌ଶେଷ ହୋଇ ନଥିବା ଘଟଣାକୁ ହାଇକୋର୍ଟ ବିଚାରକୁ ନେଇ ଉଭୟ ସୁଶାନ୍ତ ଓ ସୁଶୀଲଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଯେ ସୁଶାନ୍ତ ଓ ସୁଶୀଲଙ୍କ ସିଡିଏସ୍ଥିତ ଘରେ ପୁଲିସ ୨୦୧୬, ଜାନୁଆରି ୩୦ରେ ଚଢାଉ କରି ୨ କୋଟି ୬୭ ଲକ୍ଷ ୭୪୦ ଟଙ୍କା ଜବତ କରିଥିଲା। ଏ ନେଇ ଚାଉଳିଆଗଞ୍ଜ ଥାନାରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ବେଳେ  ୮ଟି ୧୦୦୦ ଟଙ୍କିଆ ଓ ୪ଟି ୫୦୦ ଟଙ୍କିଆ ନୋଟ୍ ଜାଲ ବୋଲି ଜଣା ପଡ଼ିଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଚନ୍ଦନ ସାମନ୍ତରାୟ ମାମଲା ପରିଚାଳନା କରୁଛନ୍ତି।