ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କ ଜାମିନ୍ ଆବେଦନ ଖାରଜ

ଭୁବନେଶ୍ବର: ପାରାଦୀପ ବନ୍ଦରରେ  ଘରୋଇ ସଂସ୍ଥାକୁ ଅନୁକମ୍ପା ଓ ଲାଞ୍ଚ ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି।  ସିବିଆଇ କୋର୍ଟ ଚର୍ଚ୍ଚିତ ଓ ଦେବପ୍ରିୟ ମହାନ୍ତିଙ୍କ ଜାମିନ୍ ଖାରଜ କରିଛନ୍ତି। ଏହି ମାମଲାରେ କେବଳ ବିଲ୍ଡର ଶିଶିର ଦାସଙ୍କୁ ଜାମିନ ମିଳିଛି। ଅନ୍ୟପଟରେ ସିବିଆଇର ୯ ଦିନିଆ ରିମାଣ୍ଡ ଆବେଦନ ଖାରଜ ହୋଇଛି। ତେବେ ଚର୍ଚ୍ଚିତ ମିଶ୍ର ଜେଲ ଯିବା ସୁନିଶ୍ଚିତ ହୋଇଛି। 

ସୂଚନାଯୋଗ୍ୟ, ଚର୍ଚ୍ଚିତ ମିଶ୍ରଙ୍କୁ ସିବିଆଇ ଗତ ୬ ତାରିଖରେ ୪ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ରିମାଣ୍ଡ ସମୟରେ ସିବିଆଇର ଅଧିକାରୀମାନେ ଚର୍ଚ୍ଚିତଙ୍କୁ ଅଧିକ ପଚରାଉଚରା କରିଥିବା ଜଣାପଡ଼ିଛି। ଚର୍ଚ୍ଚିତଙ୍କ ରିମାଣ୍ଡ ଅବଦୀ ୯ ତାରିଖରେ ସରିଲା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ପୂର୍ବରୁ ଏହି ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୪ ଜଣଙ୍କୁ ସିବିଆଇ ଗିରଫ ହୋଇଥିଲେ। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଓ କେସିଟି ଗ୍ରୁପର ଶଙ୍ଖଶୁଭ୍ର ମିତ୍ର ଓ ଓଏସଏଲର ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁ ରହିଛନ୍ତି । ଏହାଛଡ଼ା କେସିଟି ଗ୍ରୁପର ଦେବପ୍ରିୟ ମହାନ୍ତି, ଓଏସଏଲର ଚର୍ଚ୍ଚିତ ମିଶ୍ରଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ଚର୍ଚ୍ଚିତ ମିଶ୍ର ସିବିଆଇ ନିକଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା ।

ସିବିଆଇ ରେଡ୍ ସମୟରେ ସେମାନଙ୍କଠାରୁ ୮୪.୫ ଲକ୍ଷ ଟଙ୍କା ଜବତ ହୋଇଥିଲା। ପାରାଦୀପ ପୋର୍ଟରେ ଠିକା ପାଇବା ଲାଗି ୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାକୁ ନେଇ ୨୪ ଘଣ୍ଟାର ମାରାଥନ ଚଢ଼ାଉ ପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏନେଇ ସିବିଆଇ ନୂଆଦିଲ୍ଲୀ ଅଫିସରେ ୩ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର