ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ବିଧାୟକ ପ୍ରଦୀପଙ୍କ ଜାମିନ‌ ଆବେଦନ ଖାରଜ

ବ୍ରହ୍ମପୁର: ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ଘଟଣାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ୍‌ ଖାରଜ୍‌ ହୋଇଛି। ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ୩ଟି ଠକେଇ ମାମଲା (ଜିଆର୍‌-୨୨୨୫/୨୦, ଜିଆର-୨୨୬୮/୨୦ ଓ ଜିଆର-୬୨/୨୧)ରେ ଜାମିନ୍‌ ପାଇଁ ଆଜି ତାଙ୍କ ଓକିଲ ହାଇକୋର୍ଟଙ୍କ ଦ୍ବାରା ଜାରି ହୋଇଥିବା କାଗଜପତ୍ର ଦାଖଲ କରିଥିଲେ। ସେହି କାଗଜପତ୍ରରେ ଗୋଳନ୍ଥରା ଥାନାର କେସ୍ ନମ୍ବର କି ଜିଆର୍‌ ନମ୍ବର ନଥିବାରୁ ଜିଲ୍ଲାଜଜ୍‌ ରାମଶଙ୍କର ହୋତା ଜାମିନ୍‌କୁ ଖାରଜ୍‌ କରି ଦେଇଛନ୍ତି। ଏହା ସହିତ ତଳ କୋର୍ଟରେ ଧାର୍ଯ୍ୟ ନିୟମ ଅନୁସାରେ ଜାମିନ୍‌ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଟାଟା ମୋଟର୍ସରେ ଚାକିରି ନାଁରେ ବିଧାୟକ ପ୍ରଦୀପଙ୍କ ନାମରେ କଟକ କ୍ରାଇମ୍‌ବ୍ରାଞ୍ଚ ଥାନାରେ ଅଭିଯୋଗ ହୋଇଥିଲା। ପ୍ରାୟ ୪୭ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା। ଗତ ଡିସେମ୍ବର ମାସରେ ଏଭଳି ଚାକିରି ପାଇଁ ଟଙ୍କା ଠକେଇ ନେଇ ଗୋଳନ୍ଥରା ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା। ସେହିପରି ଜାନୁଆରି ମାସରେ ପୁଣି ଏକ ମାମଲା ରୁଜୁ ହୋଇଥିଲା। ଏହି ୩ଟି ମାମଲ‌ାରେ ମୋଟ ୧୪ଲକ୍ଷ ଠକେଇ ନେଇ ଅଭିଯୋଗକାରୀ ମାମଲା ରୁଜୁ କରିଥିଲେ।

ଏହି ମାମଲାରେ ଗୋଳନ୍ଥରା ଥାନା ପୁଲିସ ବିଧାୟକ ପ୍ରଦୀପଙ୍କୁ ଜଡ଼ିତ କରିଥିଲା। ଏହି ୪ଟି ମାମଲାରେ ଜାମିନ୍‌ ପାଇଁ ବିଧାୟକ ପ୍ରଦୀପଙ୍କ ଓକିଲ ମାନ୍ୟବର ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ଜାମିନ୍‌ ଶୁଣାଣି କରି କ୍ରାଇମ୍‌ବ୍ରାଞ୍ଚ ସମେତ ଅନ୍ୟ ୩ଟି ମାମଲାରେ ଜାମିନ୍‌ ମଂଜୁର କରିଥିଲେ। ସେହି କାଗଜପତ୍ର ଆଜି ଗଞ୍ଜାମ ଜିଲ୍ଲାଜଜ୍‌ଙ୍କ କୋର୍ଟରେ ଦାଖଲ କରାଯାଇଥିଲା। କିନ୍ତୁ ସେଥିରେ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ମାମଲା ନଥିବାରୁ ଜିଲ୍ଲାଜଜ୍‌ ତାହା ଖାରଜ୍‌ କରି ଦେଇଥିଲେ। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ନରେଶ ପ୍ରସାଦ ପାତ୍ର ଓ ବିଧାୟକ ପ୍ରଦୀପଙ୍କ ତରଫରୁ ଆଇନଜୀବୀ ଦୀପକ ପଟ୍ଟନାୟକ, ଅସିତ ଶତପଥୀ ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର