କଟକ: ସିସୋର ଚିଟ୍ଫଣ୍ଡ ଲିଙ୍କ ଅଭିଯୋଗରେ ସିବିଆଇ ଦ୍ୱାରା ଗତ ସେପ୍ଟେମ୍ବର ୧୮ରେ ଗିରଫ ହୋଇଥିବା କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଶୁକ୍ରବାର ଖାରଜ କରି ଦେଇଛନ୍ତି। ବିଚାରପତି ବିଶ୍ୱଜିତ ରଥ ଏହି ମାମଲାକୁ ଖାରଜ କରି ଦେଇଛନ୍ତି। ଏ ବାବଦରେ ଗତ ନଭେମ୍ବର ୨୪ରେ ଶୁଣାଣି କରି ରାୟ ସଂରକ୍ଷିତ ରଖାଯାଇଥିଲା। ରାୟ ପ୍ରକାଶ ପାଇବା ପରେ ହାଇକୋର୍ଟ ମାମଲାର ତଦନ୍ତ ୨ମାସ ଭିତରେ ଶେଷ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଚାର୍ଜସିଟ୍ ଦାଖଲ ପରେ ପ୍ରଭାତ ନିମ୍ନ ଅଦାଲତରେ ଜାମିନ ପାଇଁ ଆବେଦନ କରିପାରିବେ ବୋଲି କୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ ବିଜେଡିର ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହେବା ପରେ ସେପ୍ଟେମ୍ବର ୨୬ରେ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ ଜାମିନ ଆବେଦନ ଖାରଜ କରି ଦେଇଥିଲେ। ପରେ ପ୍ରଭାତଙ୍କ ଓକିଲ ଅକ୍ଟୋବର ୩ରେ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟରେ ମଧ୍ୟ ପୂର୍ବରୁ ପ୍ରଭାତଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ସିବିଆଇ ଦ୍ୱାରା ଗିରଫ ହେବା ପରେ ପୁଲିସ ପ୍ରଭାତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା। କିନ୍ତୁ ରିମାଣ୍ଡ ଅବଧି ଶେଷ ହେବା ପୂର୍ବରୁ ପ୍ରଭାତଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେହି ଦିନଠାରୁ ପ୍ରଭାତଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।