ମନ୍ତ୍ରୀ ପୁଅଙ୍କ ଜାମିନ ପୁଣି ଖାରଜ

କେନ୍ଦୁଝର : ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ଜାମିନ ପୁଣି ଖାରଜ ହୋଇ ଯାଇଛି। କେନ୍ଦୁଝର ଜେଲ୍‌ରୁ ଆଜି ପ୍ରିଜନ୍‌ ପିଟିସନର ଶୁଣାଣି ଭିଡିଓ କନଫରେନ୍ସ ଜରିଆରେ ହୋଇଥିଲାବେଳେ ଜାମିନ ଖାରଜ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଘସିପୁରା ଥାନାରେ ସତ୍ୟବ୍ରତ ଜେନାଙ୍କୁ ଆକ୍ରମଣ ଘଟଣାରେ ୧୮୪/୧୮ ମାମଲାରେ ଦେବାଶିଷଙ୍କୁ ଘଷିପୁରା ପୁଲିସ ଟାଙ୍ଗି ଅଞ୍ଚଳରୁ ଗିରଫ କରିବା ପରେ କେନ୍ଦୁଝର କୋର୍ଟରେ ହାଜର କରାଯାଇଥିଲା। ରାଜ୍ୟବ୍ୟାପୀ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଜାମିନ ଆବେଦନ ହୋଇ ପାରି ନ ଥିଲା। ଏଣୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଏହାପରେ ଶ୍ରୀ ପାତ୍ର ଜିଲ୍ଲା ଜଜ୍‌ଙ୍କ ପାଖରେ ପ୍ରିଜନ୍‌ ପିଟିସନ ଦାଖଲ କରିଥିଲେ। ଏହି ପ୍ରିଜନ୍‌ ପିଟିସନକୁ ଗ୍ରହଣ କରାଯିବା ପରେ ଆଜି ଜାମିନର ଶୁଣାଣି ହୋଇଥିଲା। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ଆଜି ଦେବାଶିଷ ପାତ୍ରଙ୍କୁ କୋର୍ଟରେ ହାଜର କରାନଯାଇ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଶୁଣାଣି କରାଯାଇଥିଲା। ଜିଲ୍ଲା ଜଜ୍‌ ଲକ୍ଷ୍ମୀଧର ବିଶ୍ବାଳ ଏହି ଶୁଣାଣି କରିଥିଲେ। ଅଭିଯୋଗକାରୀ ସତ୍ୟବ୍ରତ ଜେନା ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାରୁ ତାଙ୍କ ବାପା ଅମିନ ଜେନା କୋର୍ଟରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର