କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ହାଇକୋର୍ଟରେ ଖାରଜ ହୋଇଛି। ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇ ମାରିଦେବାକୁ ଉଦ୍ୟମ ମାମଲାରେ ବାଣପୁର ପୁଲିସ ତାଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ସେ ନିଜେ ଗୁରୁତର ଆହତ ହୋଇଥିଲେ। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ।

Advertisment

ମୂଳ ଜାମିନ ଆବେଦନ ବିଚାରାଧୀନ ଥିବାବେଳେ ହାଇକୋର୍ଟ ତାଙ୍କୁ ଗତ ମାସରେ ଅନ୍ତରୀଣ ଜାମିନ ମଞ୍ଜୁର କରିଥିଲେ। ଏହାପରେ ମୂଳ ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ଚାଲିଥିଲା | ଆଉ ଆଜି ତାଙ୍କର ଜାମିନ ହାଇକୋର୍ଟରେ ଖାରଜ ହୋଇଛି | ତେଣୁ ଜାମିନ ଖାରଜ ହୋଇଥିବାରୁ ସେ ପୁଣି ଜେଲକୁ ଯାଇପାରନ୍ତି |

ସୂଚନା ଯୋଗ୍ୟ ଯେ ମାର୍ଚ୍ଚ ୧୨ ତାରିଖ ଦିନ ବାଣପୁର ବ୍ଲକ୍‌ରେ ଅଧ୍ୟକ୍ଷ ପଦବି ପାଇଁ ନିର୍ବାଚନ ଚାଲିଥିବା ବେଳେ ବ୍ଲକ୍‌ ଆଗରେ ଲୋକ ଗହଳି ଲାଗିରହିଥିଲା। ଏହି ସମୟରେ ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଭିତରକୁ ଗାଡ଼ି ଚଳାଇ ପଶି ଆସିଥିଲେ। ଫଳରେ ବିଜେପି ସମର୍ଥକଙ୍କ ସମେତ ପୁଲିସ ଅଧିକାରୀ ତଥା କେତେକ ସାଧାରଣ ଲୋକ ମଧ୍ୟ ଗୁରୁତର ଆହତ ହୋଇଥିଲେ। ବାଣପୁର ପୁଲିସ ଏ ନେଇ ୧୧୩/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ମାର୍ଚ୍ଚ ୨୨ ତାରିଖରେ ବାଣପୁର ପୁଲିସ ଭୁବନେଶ୍ବରରୁ ବିଧାୟକଙ୍କୁ ଗିରଫ କରିଥିଲା |