ହାଇକୋର୍ଟରେ ଶର୍ମିଷ୍ଠା ରାଉତଙ୍କ ଜାମିନ ଖାରଜ  

କଟକ: କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ପଛର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ହାଇକୋର୍ଟରେ ଖାରଜ ହୋଇଛି। ଶର୍ମିଷ୍ଠାଙ୍କୁ ହାଇକୋର୍ଟ ଆଗୁଆ ଜାମିନ ଦେବାକୁ ମନା କରିଛନ୍ତି। ଏଥି ସହିତ ହାଇକୋର୍ଟ କହିଛନ୍ତି ଯେ ଆବେଦନକାରୀ ଚାହିଁଲେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରି ଜାମିନ ପାଇଁ ଆବେଦନ କରି ପାରିବେ। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଚାନ୍ଦବାଲି ଥାନାରେ ମାନସଙ୍କ ନିଖୋଜ ନେଇ ୨୦୨୨, ଫେବ୍ରୁଆରି ୧୪ରେ ପରିବାର ତରଫରୁ ଏତଲା ଦିଆଯିବା ପରେ ପୁଲିସ ଆଇପିସିର ଦଫା ୩୬୩ ଓ ୩୪ରେ ମାମଲା ରୁଜୁ କରିଥିଲା। ଏହାପରେ ଚାନ୍ଦବାଲି ଥାନାରେ ରୁଜୁ ୬୩/୨୦୨୨ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡାଇବା ପାଇଁ ଶର୍ମିଷ୍ଠା  ଫେବ୍ରୁଆରି ୨୩ରେ ହାଇକୋର୍ଟରେ ଆଗୁଆ ଜାମିନ ଲୋଡି ଆବେଦନ କରିଥିଲେ।

ହାଇକୋର୍ଟରେ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ମୂଳରୁ ଅପହରଣ ଅଭିଯୋଗ ନେଇ ଆଇପିସିର ଦଫା ୩୬୩,୩୪ରେ ଏତଲା ରୁଜୁ ହୋଇଥିବା ବେଳେ ଇତି ମଧ୍ୟରେ ଏହା ଅପହରଣ, ହତ୍ୟା, ପ୍ରମାଣ ନଷ୍ଟ ମାମଲାକୁ ପରିବର୍ତ୍ତିତ ହୋଇ ସାରିଛି। ଏହି ମାମଲା ଏବେ ଆଇପିସିର ଦଫା ୩୬୩, ୩୬୪, ୩୦୨, ୪୬୫, ୪୭୧, ୨୦୧, ୩୪କୁ ପରିବର୍ତ୍ତିତ ହୋଇଥିବା ବେଳେ କେତେକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଆବେଦନକାରୀଙ୍କ ସହିତ ଅନ୍ୟ ଅଭିଯୁକ୍ତ ଗିରଫ ହୋଇ ପାରି ନାହାନ୍ତି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ହାଇକୋର୍ଟ ଏଭଳି ତଥ୍ୟକୁ ବିଚାରକୁ ନେଇ ଆବେଦନକାରୀଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଛନ୍ତି।

ସମ୍ବନ୍ଧିତ ଖବର