ଚର୍ଚ୍ଚ ପୋଡ଼ି ଓ ଫାଦର ଅରୁଲ ଦୋଶ୍ ହତ୍ୟା ମାମଲା: ଦାରା ସିଂ ଓ ଅନ୍ୟ ତିନି ଜଣଙ୍କ ଆଜୀବନ କରାଦଣ୍ଡ ହାଇକୋର୍ଟରେ କାଏମ

କଟକ: ବହୁ ଚର୍ଚ୍ଚିତ ଜାମବଣି ଚର୍ଚ୍ଚ ପୋଡି ଓ ଫାଦର ଅରୁଲ ଦୋଶ୍‌ଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲ, ଯଦୁନାଥ ମହାନ୍ତ, ରାଜକିଶୋର ମହାନ୍ତ ଓ ଚେମା ହୋଙ୍କୁ ନିମ୍ନ ଅଦାଲତ ପ୍ରଦାନ କରିଥିବା ଆଜୀବନ କରାଦଣ୍ଡ ରାୟ ହାଇକୋର୍ଟରେ କାଏମ ରହିଛି। ମୟୂରଭଞ୍ଜ ଜିଲ୍ଲା ଓ ଦୌରା ଜଜ୍ ୨୦୦୭, ସେପ୍ଟେମ୍ବର ୨୨ରେ ଏ ସଂପର୍କିତ ମାମଲାର ଶୁଣାଣି କରି ଆଇପିସିର ଦଫା ୩୨୩, ୩୦୨, ୪୩୬, ୪୫୨, ୧୪୯, ୧୪୭, ୧୪୮ରେ ଦାରା ସିଂ, ରାଜକିଶୋର, ଯଦୁନାଥ ଓ ଚେମାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କରାଦଣ୍ଡ ପ୍ରଦାନ କରିଥିଲେ। ଏହି ରାୟକୁ ଚାଲେଞ୍ଜ କରି ଦାରା ଓ ଅନ୍ୟ ତିନି ଆସାମୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜ‌ଷ୍ଟିସ ଚିିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଆଜି ରାୟ ପ୍ରକାଶ କରିଛନ୍ତି। ନିମ୍ନ ଅଦାଲତ ଦଫା ୩୨୩, ୩୦୨, ୪୩୬, ୪୫୨ରେ ଦୋଷୀ ସାବ୍ୟସ୍ତ କରି ଚାରି ଆବେଦନକାରୀଙ୍କୁ  ପ୍ରଦାନ କରିଥିବା ଦଣ୍ଡାଦେଶକୁ କାଏମ ରଖିଛନ୍ତି। ଅନ୍ୟପକ୍ଷରେ ଆଇପିସିର ଦଫା ୧୪୭, ୧୪୮, ଓ ୧୪୯ରୁ ଆବେଦନକାରୀଙ୍କୁ ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି। ହାଇକୋର୍ଟରେ ଏ ସଂପର୍କିତ ଆବେଦନ ବିଚାରାଧୀନ ଥିବା ବେଳେ ଯଦୁନାଥ ମହାନ୍ତ, ରାଜକିଶୋର ମହାନ୍ତ ଓ ଚେମା ହୋ ଅନ୍ତରୀଣ ଜାମିନରେ ରହିଥିବା ବେଳେ ସେମାନଙ୍କ ବେଲ୍ ବଣ୍ଡ ହାଇକୋର୍ଟ ରଦ୍ଦ କରିଛନ୍ତି। ଏହି ତିନି ଆବେଦନକାରୀଙ୍କୁ ସେପ୍ଟେମ୍ବର ୨୩ ସୁଦ୍ଧା ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୯, ସେପ୍ଟେମ୍ବର୧/୨ ତାରିଖ ରାତି ପ୍ରାୟ ୨ଟା ବେଳେ ଜାମବଣି ଗ୍ରାମର ଚର୍ଚ୍ଚ‌ ବାହାରେ କିଛି ଲୋକ ନାଚଗୀତରେ ବ୍ୟସ୍ତ ଥିବା ବେଳେ କେତେକ ବ୍ୟକ୍ତି ସେଠାରେ ଲାଠି ସହିତ ପହଞ୍ଚି ଫାଦର ଅରୁଲ ଦୋଶ୍‌ଙ୍କୁ ଖୋଜିଥିଲେ। ‌ଏହି ବ୍ୟକ୍ତିମାନେ ଫାଦରଙ୍କୁ ହତ୍ୟା କରିବା ସହିିତ ଚର୍ଚ୍ଚରେ ନିଆଁ ଲଗାଇ ଦେଇଥିଲେ।

ଏ ନେଇ ମହୁଲଡିହ ଥାନାରେ ୧୯୯୯, ସେପ୍ଟେମ୍ବର ୨ରେ ଏ ନେଇ ଏତଲା ରୁଜୁ ହୋଇଥିଲା। ଚାର୍ଜସିଟ ପରେ ଦାରା ସିଂଙ୍କ ସମେତ ୧୭ ଜଣଙ୍କ ବିରୋଧରେ ମାମଲାର ଶୁଣାଣି ହୋଇଥିଲା। ପ୍ରସିକ୍ୟୁସନ ତରଫରୁ ୨୩ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ମୟୂରଭଞ୍ଜ ଦୌରା ଅଦାଲତ ମାମଲାର ଶୁଣାଣି କରି ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲ, ଯଦୁନାଥ ମହାନ୍ତ, ରାଜକିଶୋର ମହାନ୍ତ ଓ ଚେମା ହୋଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଅନ୍ୟମାନଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ। ଦୌରା ଅଦାଲତଙ୍କ ଏହି ରାୟକୁ ଚାଲେଞ୍ଜ କରି ଦାରା ସିଂ ଓ ଅନ୍ୟ ତିନି ଜଣ ୨୦୦୭ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସରକାରଙ୍କ ତରଫରୁ ଏଜିଏ ଜନ୍ମେଜୟ କଟିକିଆ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର