ଅର୍ଦ୍ଧେନ୍ଦୁ ଦାସଙ୍କୁ ଜାମିନ, ୨୦ ଲକ୍ଷ ଟଙ୍କା ନିମ୍ନ ଅଦାଲତରେ ଜମା କରିବେ

କଟକ : ‘ବଡ଼ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି।

ଜାମିନରେ ଛାଡ଼ ପାଇବା ପାଇଁ ଶ୍ରୀ ଦାସ ନିମ୍ନ ଅଦାଲତରେ ୨୦ ଲକ୍ଷ ଟଙ୍କା ଜମା କରିବେ। ଏହି ଅର୍ଥ ବ୍ୟାଙ୍କରେ ଜମା କରାଯିବ ଓ ଏହାର ଭବିଷ୍ୟତ ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ। ମାମଲାର ତଦନ୍ତ ଶେଷହେବା ପର୍ଯ୍ୟନ୍ତ ଶ୍ରୀ ଦାସ ଅଦାଲତଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ। ତଦନ୍ତରେ ସେ ସହଯୋଗ କରିବେ ଓ ଆବଶ୍ୟକ ସ୍ଥଳେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବେ। ତଦନ୍ତକାରୀ ଅଧିକାରୀଙ୍କୁ ଶ୍ରୀ ଦାସ ନିଜ ମୋବାଇଲ ନମ୍ବର ଓ ଠିକଣା ସଂପର୍କରେ ଅବଗତ କରିବେ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ନିମ୍ନ ଅଦାଲତ ଅତିରିକ୍ତ ସର୍ତ୍ତ ଧାର୍ଯ୍ୟ କରିବ ବୋଲି ହାଇକୋର୍ଟ କହିଛନ୍ତି।

ମାମଲାରେ ୬୫ ଲକ୍ଷ ୯୦ ହଜାର ୭୦ ଟଙ୍କା ଠକେଇ ନେଇ ଅଭିଯୋଗ ରହିଥିବା ବେଳେ ୨୦ ଲକ୍ଷ ଟଙ୍କା ଜମା ପରେ ଅବଶିଷ୍ଟ ଅର୍ଥର ପରିମାଣ ହେଉଛି ୪୫ ଲକ୍ଷ ୯୦ ହଜାର ୭୦ ଟଙ୍କା। ଏହି ମାମଲାର ବିକଳ୍ପ ବିବାଦ ସମାଧାନ ପନ୍ଥା ମାଧ୍ୟମରେ ସମାଧାନ ପାଇଁ ଆବେଦନକାରୀ ଓ ଏତଲାକାରୀଙ୍କ ସହମତି ପରେ ହାଇକୋର୍ଟ ଉଭୟଙ୍କୁ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଦାସଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଓ ଏତଲାକାରୀଙ୍କ ତରଫରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଥିଲେ। ଶ୍ରୀ ନାୟକଙ୍କୁ ଆଇନଜୀବୀ ସତ୍ୟ ମହାନ୍ତି ଓ ପ୍ରତୀକ ନାୟକ ସହଯୋଗ କରୁଥିଲେ।

ସମ୍ବନ୍ଧିତ ଖବର