କଟକ: ଦୌରା ଜଜ୍‌ ଅଦାଲତଙ୍କ ଜାମିନ ମଞ୍ଜୁର ନିର୍ଦ୍ଦେଶରେ ଦୁଇ ଜାମିନଦାରଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କ କୁଟୁମ୍ବ/ସଂପର୍କୀୟ ହୋଇଥିବେ ବୋଲି ରଖାଯାଇଥିବା ସର୍ତ୍ତକୁ ହାଇକୋର୍ଟ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି ସର୍ତ୍ତ ଜାମିନର ମୂଳ ଉଦ୍ଦେଶ୍ୟକୁ ପ୍ରତିହତ କରୁଛି ‌ବୋଲି ହାଇକୋର୍ଟ କହିବା ସହିତ ଭବାନୀପାଟଣାସ୍ଥିତ ଦୌରା ଅଦାଲତଙ୍କ ନିର୍ଦ୍ଦେଶରେ ରହିଥିବା ଏପରି ସର୍ତ୍ତକୁ ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୌରା ଜଜ୍ ଅଦାଲତଙ୍କ ନିର୍ଦ୍ଦେଶର ଅବଶିଷ୍ଟ ଅଂଶ ଅପରିବର୍ତ୍ତିତ ରହିବ ବୋଲି ହାଇକୋର୍ଟ କହିଛନ୍ତି।

Advertisment

ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ହର୍ଷ ସିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ବେଳେ ବେଳେ କ ଠୋର ସର୍ତ୍ତ ରଖାଯିବା ଜାମିନ ପ୍ରଦାନ ପାଇଁ ମନା କରିବା ସହିତ ସମାନ ହୋଇଥାଏ। ଜାମିନ ମଞ୍ଜୁର କରିବା ପରେ କଠୋର ତଥା ଅତ୍ୟଧିକ ସର୍ତ୍ତ ରଖାଯିବା ତାଙ୍କୁ ଆଇନର ବିନା ଅନୁମତିରେ ବ୍ୟକ୍ତିଗତ ସ୍ବାଧୀନତାରୁ ବଞ୍ଚିତ କରାଯିବା ସହ ସମାନ ବୋଲି ରାୟରେ ଉଲ୍ଲେଖ କରାଯାଇଛି।  ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏକ ଫୌଜଦାରୀ ମାମଲାରେ ଗିରଫ ହୋଇଥିବା ଆବେଦନକାରୀଙ୍କୁ ଭବାନୀପାଟଣାସ୍ଥିତ ଦୌରା ଅଦାଲତ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ଦୁଇ ଜାମିନଦାରଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କ କୁଟୁମ୍ବ/ସଂପର୍କୀୟ ହୋଇଥିବେ ବୋଲି ସର୍ତ୍ତାରୋପ କରାଯାଇଥିଲା। ଏପରି ସର୍ତ୍ତ ପୂରଣ କରିବାରେ ଅସମର୍ଥ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏପରି ସର୍ତ୍ତ ପାଇଁ ସେ ଜାମିନ ପାଇବା ପରେ ମଧ୍ୟ ଜେଲ୍‌ରୁ ମୁକୁଳି ପାରୁ ନାହାନ୍ତି। ତେଣୁ ଏପରି ସର୍ତ୍ତକୁ କୋହଳ କରଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଧନଞ୍ଜୟ ମୁଣ୍ଡ ମାମଲା ପରିଚାଳନା କରୁଥିଲେ।