ବୈପାରିଗୁଡ଼ା: ନଗଦ ୨ ଲକ୍ଷ ଟଙ୍କା ଧରି ବସ୍‌ରେ ଘରକୁ ଯାଉଥିବା ବେଳେ ସୋମବାର ସନ୍ଧ୍ୟାରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନାବାବୁ ସୁଶାନ୍ତ କୁମାର ଶତପଥୀଙ୍କୁ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଧରିପକାଇଛନ୍ତି। ଫଳରେ ଶ୍ରୀ ଶତପଥୀ ଭିଜିଲାନ୍ସର ଜାଲରେ ଛନ୍ଦି ହୋଇଯାଇଛନ୍ତି। ସଂପୃକ୍ତ ପୁଲିସ ବାବୁଙ୍କୁ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ବସ୍‌ରୁ ଓହ୍ଲାଇ ପଚରାଉଚରା କରୁଛନ୍ତି।

Advertisment

ସୂଚନା ଅନୁସାରେ ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କ ନିଜ ଘର କଟକ ଜିଲ୍ଲାରେ। ସେ ଆଜି ବୈପାରିଗୁଡ଼ାରୁ ଏକ ଘରୋଇ ବସ୍‌ (ରିଲାଏନ୍ସ )ରେ କଟକ ଯାଉଥିଲେ। ପାଖରେ ନଗଦ ୨ ଲକ୍ଷ ଟଙ୍କା ମଧ୍ୟ ରଖିଥିଲେ। ଏନେଇ ଭିଜିଲାନ୍ସ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୂର୍ବ ସୂଚନା ଆଧାରରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ କଟକ ଅଭିମୁଖେ ଯାଉଥିବା ରିଲାଏନ୍ସ ବସ୍‌ ଉପରେ ଅତର୍କିତ ଚଢ଼ଉ କରିଥିଲେ। ସେହି ସମୟରେ ବସ୍‌ଟି ଜୟପୁରସ୍ଥିତ ଟାଙ୍କୁଆ ନିକଟରେ ଥିଲା।

ଚଢଉ ସମୟରେ ଭିଜିଲାନ୍ସ କର୍ମଚାରୀଙ୍କୁ ଶ୍ରୀ ଶତପଥୀଙ୍କ ନିକଟରୁ ଦୁଇ ଲକ୍ଷ ଟଙ୍କା ମିଳିଥିଲା। ଏହି ଟଙ୍କାକୁ ଭିଜିଲାନ୍ସ ବିଭାଗ ଜବତ କରିଛି। ଶ୍ରୀ ଶତପଥୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଶ୍ରୀ ଶତପଥୀ ବିପୁଳ ପରିମାଣର ନଗଦ ଟଙ୍କା କେଉଁଠୁ ପାଇଲେ,‌ ସେନେଇ ତଦନ୍ତ ଜାରି ରହିଛି।