୪୬ ବର୍ଷୀୟ ରାମ ଅକାଳ ବାର୍ଦ୍ଧକ୍ୟର ଶିକାର; ମଜୁରି କରି ପରିବାର ପୋଷୁଛନ୍ତି ସ୍ତ୍ରୀ, ଝିଅର ପାଠ ପଢ଼ା ବନ୍ଦ

ବୈପାରିଗୁଡା: ପରିବାରର ମୁଖ୍ୟ ଯେତେବେଳେ ରୋଗୀଣା ହୋଇଯାଏ, ଏହାର ପ୍ରଭାବ ଅନ୍ୟମାନଙ୍କ ଉପରେ ପଡ଼ିଥାଏ। ଘରର ମୁଖ୍ୟ ଶଯ୍ୟାଶାୟୀ ହୋଇଗଲେ ସ୍ତ୍ରୀଙ୍କୁ ଘରୁ ପାଦ କାଢ଼ିବାକୁ ପଡେ ଏବଂ ପିଲାମାନଙ୍କର ପାଠପଢ଼ାରେ ବ୍ରେକ୍‌ ଲାଗିଯାଇଥାଏ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ପଞ୍ଚାୟତର ଗୁମ୍ମାଭାଲୁଗୁଡା ଗ୍ରାମର ରାମ ପୂଜାରୀ(୪୬)ଙ୍କ କ୍ଷେତ୍ରରେ ଏହା ହିଁ ହୋଇଛି।

ଶାରୀରିକ ଅକ୍ଷମତା ହେତୁ ଅଚଳ ହୋଇପଡିଥିବା ରାମ ପୂଜାରୀ ଚିକିତ୍ସା ପାଇଁ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ପଞ୍ଚାୟତର ଗୁମ୍ମାଭାଲୁଗୁଡା ଗ୍ରାମର ରାମ ପୂଜାରୀ ସୁସ୍ଥ ସବଳ ମଣିଷ ଭାବେ ନିଜ ପରିବାରକୁ ପ୍ରତିପୋଷଣ କରୁଥିବା ବେଳେ ଗତ ତିନି ବର୍ଷ ତଳେ ତାଙ୍କ ସୁଖର ସଂସାର ଉପରେ ଦୁଃଖର କଳାବାଦଲ ଦେଖା ଦେଇଥିଲା। ହଠାତ୍ ଦିନେ ତାଙ୍କର ବାମ ଗୋଡ଼ ଏବଂ ବାମ ହାତ ଅଚଳ ହୋଇପଡିଥିଲା। ଯାହାଫଳରେ ସେ ସଂପୂର୍ଣ୍ଣ ଅକ୍ଷମ ହୋଇପଡ଼ିବା ଫଳରେ ଘରେ ଚୁଲି ଜଳିବା ମଧ୍ୟ ମୁସ୍କିଲ ହୋଇପଡ଼ିଲା। ଶେଷରେ ତାଙ୍କ ପତ୍ନୀ ଦିନ ମଜୁରିଆ ଭାବେ କାମ କରିବା ପାଇଁ ବାଧ୍ୟ ହେଲେ। ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବାର ବର୍ଷର ଝିଅର ପାଠ ପଢ଼ାରେ ଡୋରି ବନ୍ଧା ହେଲା। ନିଜର ଚିକିତ୍ସା ପାଇଁ ରାମ କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜକୁ ଯାଇଥିଲେ। ଚିକିତ୍ସା ପରେ ରାମ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ।

ତେବେ କିଛି ଦିନ ପରେ ସେ ପୁଣିଥରେ ପୂର୍ବାବସ୍ଥାକୁ ଫେରିଆସିଲେ। ଦ୍ବିତୀୟ ଥର ଡାକ୍ତରଖାନାକୁ ଯାଇଥିଲେ ମଧ୍ୟ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ଯିବାପାଇଁ ପରାମର୍ଶ ଦିଆଯାଇଥିଲା। ତେବେ ରାମ ପୂଜାରୀଙ୍କ ଅର୍ଥ ନଥିବାରୁ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି। ଦିନକୁ ଦିନ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଘଟିବାରେ ଲାଗିରହିଥିବାରୁ ଚିକିତ୍ସା ପାଇଁ ସରକାରୀ ସହାୟତା ନିମନ୍ତେ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର