ପାଇକମାଳ/ଧଣ୍ଡାମୁଣ୍ଡା: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃସିଂହନାଥ ଓ ହରିଶଙ୍କର ପୀଠରେ ସୋମବାରଠାରୁ ବୈଶାଖ ମେଳା ଆରମ୍ଭ ହେବ। ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଚଳଚଞ୍ଚଳ ହୋଇଉଠିଛି ଗନ୍ଧମାର୍ଦ୍ଦନ ପାହାଡ଼ର ଉଭୟ ପଟେ ଥିବା ନୃସିଂହନାଥ ଓ ହରିଶଙ୍କର ପୀଠ। ରବିବାର ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର, ମନ୍ଦିର ଟ୍ରଷ୍ଟୀ ତଥା ବିଡିଓ ସୁରେନ୍ଦ୍ର ସାହୁ, ତହସିଲଦାର ଅକ୍ଷୟ ବାଘଙ୍କ ସମେତ ମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ମେଳା ପରିସର ବୁଲି ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ। ଚଳିତ ବର୍ଷ ନୃସିଂହନାଥ ବସ୍ଷ୍ଟାଣ୍ତର ଅପରପାର୍ଶ୍ବରେ ଏକ ନୂତନ ସାଂସ୍କୃତିକ ମଣ୍ତପ ନିର୍ମାଣ କରାଯାଇଛି। ଏଥିସହ ଚାଳଧାରରେ ବାଉଁଶରେ ତିଆରି ସ୍ବତନ୍ତ୍ର ଅସ୍ଥାୟୀ ରାସ୍ତା ନିର୍ମାଣ କାମ ଶେଷ ହୋଇଛି।
ମେଳା ପରିସରରେ ଶତାଧିକ ଦୋକାନ ଓ ମିନାବଜାର ବସି ସାରିଲାଣି। ସୋମବାରଠାରୁ ୫ ତାରିଖ ପର୍ଯ୍ୟନ୍ତ ବୈଶାଖ ମେଳା ଅନୁଷ୍ଠିତ ହେବ। ଏହି ଅବସରରେ ନୃସିଂହନାଥ ପୀଠାରେ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ କଳସ ଯାତ୍ରା, ମହାଯଜ୍ଞ ଆରମ୍ଭ ଓ ବୀଜମନ୍ତ୍ର ଜପ କରାଯିବ। ୪ ତାରିଖରେ ନୃସିଂହନାଥ ମହାପ୍ରଭୁ ମାର୍ଜାର କେଶରୀଙ୍କ ଜନ୍ମ ଉତ୍ସବ ପାଳନ, କନ୍ଧ ସମାଜ ଦ୍ବାରା ନୃସିଂହ ମହାପ୍ରଭୁଙ୍କୁ ପିତାକନ୍ଦା ଭୋଗ ଅର୍ପଣ ଏବଂ ଧ୍ବଜାରୋହଣ କରାଯିବ। ୫ ତାରିଖରେ ବିଶ୍ବଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୁତି ହେବ। ଚଳିତ ବର୍ଷ ମେଳା ସୁପରିଚାଳନା ନେଇ ୯ଟି ସବ୍କମିଟି କରାଯାଇଛି। ୩ ତାରିଖରୁ ୫ ତାରିଖ ପ୍ରତ୍ୟହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇଛନ୍ତି।
ସେହିପରି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ହରିଶଙ୍କର ପୀଠରେ ମଧ୍ୟ ବୈଶାଖ ମେଳା ସହ ହରିଶଙ୍କର ମହୋତ୍ସବ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଉତ୍ସବ ପାଞ୍ଚଦିନ ଧରି ଚାଲିବା ସହ ଉତ୍ସବରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମନ୍ଦିର ପ୍ରାଙ୍ଗଣ ଓ ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ। ତା ସାଙ୍ଗକୁ ହୋମଯଜ୍ଞ ଓ ପଲ୍ଲିଶ୍ରୀ ମେଳା ବିଭିନ୍ନ ବିଭାଗର ଷ୍ଟଲ ଯାତ୍ରା ପଡ଼ିଆରେ ଲାଗିବ। ଆଇନ ଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।