‘ବୈଶାଳୀ’ର ଶୁଭମୁକ୍ତି ଆଜି

କେସିଙ୍ଗା : ତ୍ୟାଗ ଓ ପ୍ରେମର ପରିଭାଷାକୁ ନେଇ ବୈଶାଳୀ ପ୍ରଡକ୍ସନର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ବୈଶାଳୀ’ ୧୯ ତାରିଖ ଶୁକ୍ରବାର ଭବାନୀପାଟଣା ସିନେପ୍ଲେକ୍ସ ସହ ରାଜ୍ୟର ୪୯ଟି ଟକିଜରେ ମୁକ୍ତିଲାଭ କରିବାକୁ ଯାଉଛି।

ଏହି ବିଗ୍‌ ବଜେଟ ଚଳଚ୍ଚିତ୍ରର ଟାଇଟଲ ଗୀତ ସହ ୪ଟି ଗୀତର ଅଡିଓ ରିଲିଜ ପରେ ବେଶ୍ ଲୋକପ୍ରିୟତା ସାଉଁଟିଛି। ଚଳଚ୍ଚିତ୍ରର ନା‌ୟକ ପ୍ରୀତ, ନା‌ୟିକା ସୁମନ ପ୍ରିୟା ଓ ଅନ୍ୟ କଳାକାରମାନେ ବିଭିନ୍ନ ସ୍ଥାନରେ ପ୍ରମୋସନ କରି ଏହାକୁ ହିଟ୍‌ କରିବାରେ ଚେଷ୍ଟା କରିଛନ୍ତି। ଓଡ଼ିଆ ଗୀତ ସାଙ୍ଗକୁ ସମ୍ବଲପୁରୀ ଗୀତର ରିମିକ୍ସ ଚଳଚ୍ଚିତ୍ରକୁ ଲୋକାଭିମୁଖୀ କରିଛି। ଟ୍ରେଲର ବି ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହି ଚଳଚ୍ଚିତ୍ରରେ ନାୟିକା ବୈଶାଳୀ ଓ ଦୀପାଳି ନାମରେ ଡବଲ ରୋଲ୍‌ ଥିବା ବେଳେ ୨ଜଣ ହିରୋ ରହିଛନ୍ତି। ଏହି ଓଡ଼ିଆ ଚଳଚ୍ଚିତ୍ରର ସମସ୍ତ ସୁଟିଂ ଓଡ଼ିଶା, ସିକିମର ଗାଙ୍ଗଟକ ଓ ରାଜସ୍ଥାନରେ ହୋଇଛି। ଅଭିଷେକ ରଥ ଓ ଡାକ୍ତର ପ୍ରୀତ ଜୈନ ହିରୋ, ସୁମନ ପ୍ରିୟା ହିରୋଇନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଏଥିରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି, ଅପରାଜିତା, ପୃଥ୍ୱୀରାଜ ନାୟକ, ପ୍ରତିଭା ପଣ୍ଡା, ମନୀଷା ମିଶ୍ର, ଯୋଗେଶ ଜୋଜୋ, ପ୍ରଜ୍ଞା, ରବି ମିଶ୍ର, ଜୀବନ ପଣ୍ଡା, ସୂର୍ଯ୍ୟ ଆଚାର୍ଯ୍ୟ ଓ ଗୋଲ୍‌ଡି ମଧ୍ୟ ଅଭିନୟ କରିଛନ୍ତି। ସଙ୍ଗୀତ ନିର୍ଦେଶକ ଅଭିଜିତ ମଜୁମଦାରଙ୍କ ନିର୍ଦେଶନାରେ ଓ ଗୀତିକାର ନିର୍ମଳ ନାଏକ ଓ ଅରୁଣ ମନ୍ତ୍ରୀଙ୍କ ଗୀତକୁ ପ୍ରଖ୍ୟାତ ଗାୟକ ଉଦିତ ନାରାୟଣ, ପ୍ରମିଳା ଜୈନ, ହ୍ୟୁମାନ ସାଗର, ଦୀପ୍ତିରେଖା, ମଣ୍ଟୁ ଛୁରିଆ, ଅରବିନ୍ଦ ଦତ୍ତ ଓ ଅମରିତା ନାଏକ ଗାଇଛନ୍ତି। ସୁଧୀର ଜୈନଙ୍କ ପ୍ରଯୋଜନାରେ ନିର୍ଦ୍ଦେଶକ ଭାବରେ ଆଶୁତୋଷ ଦାଶ ଦେଥିବା ବେଳେ ଅଜୟ ସାମଲଙ୍କ ଲିଖିତ ଏହି ଚଳଚ୍ଚିତ୍ରକୁ ସୁକୁମାର ରଣା ଏଡିଟ କରିଛନ୍ତି।

ସମ୍ବନ୍ଧିତ ଖବର