ବିପଦ ସଂକେତ ଉପରେ ବୈତରଣୀ, କାଣୀ

କାଣୀ ନଦୀବନ୍ଧର ପୁଣି ୩ଟି ସ୍ଥାନରେ ଅତଡ଼ା ଧସିଲା, ପୂର୍ବରୁ ୪ଟି ସ୍ଥାନରେ ଅତଡ଼ା ଧସିଥିଲା

ଦଶରଥପୁର/ପାଣିକୋଇଲି/କେନ୍ଦୁଝର : ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଆଖୁଆପଦାଠାରେ ବୈତରଣୀ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆଖୁଆପଦାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ରବିବାର ସଂଧ୍ୟା ୬ଟା ବେଳେ ୧୭.୯୮ ମିଟର ଉଚ୍ଚରେ ପାଣି ପ୍ରବାହିତ ହେଉଥିଲା। କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାରୁ ରାତିରେ ବୈତରଣୀ ଜଳସ୍ତର ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି। ବୈତରଣୀ ଓ କାଣୀ ନଦୀର ବନ୍ୟାପାଣି ଦଶରଥପୁର ବ୍ଲକ୍‌ ପାଇଁ ବିପଦ ସୃଷ୍ଟି କରିଛି। କାଣୀ ନଦୀବନ୍ଧର ଅନେକ ସ୍ଥାନରେ ଅତଡ଼ା ଧସୁଥିବାରୁ ନଈକୂଳିଆ ଗାଁଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି।

ସେହିପରି କେନ୍ଦୁଝର ଜିଲ୍ଲାର ଆନନ୍ଦପୁରଠାରେ ବୈତରଣୀର ସତର୍କ ସଂକେତ ସ୍ତର ହେଉଛି ୩୭.୪୫ ମିଟର। ଏଠାରେ ବିପଦ ସଂକେତ ସ୍ତର ହେଉଛି ୩୮.୩୬ ମିଟର। ରବିବାର ସଂଧ୍ୟା ୭ଟା ବେଳେ ଆନନ୍ଦପୁରରେ ବୈତରଣୀ ଜଳସ୍ତର ୩୭.୨୭ ମିଟର ରହିଥିଲା। ରାତିରେ ଏଠାରେ ବିପଦ ସଂକେତ ପାର ହୋଇଯିବ ବୋଲି ଅନୁମାନ କରାଯାଉଛି। ରବିବାର ଦିନ କେନ୍ଦୁଝର ସଦର ବ୍ଲକ୍‌ରେ ୮୭.୨ ମିମି ବର୍ଷା ହୋଇଥିବା ବେଳେ ବାଂଶପାଳ ବ୍ଲକ୍‌ରେ ୮୫.୧ ମିମି, ତେଲକୋଇରେ ୧୦୯ ମିମି, ପାଟଣା ବ୍ଲକ୍‌ରେ ୩୨.୮ ମିମି, ସାହାରପଡ଼ାରେ ୧୬.୨ ମିମି, ଘଟଗାଁରେ ୭୧.୨ ମିମି, ହରିଚନ୍ଦନପୁର ବ୍ଲକ୍‌ରେ ୮୬.୫ ମିମି, ଆନନ୍ଦପୁରରେ ୨୧.୮ ମିମି, ଘସିପୁରାରେ ୩୨.୨ ମିମି, ହାଟଡିହିରେ ୬୭.୩ ମିମି, ଚମ୍ପୁଆରେ ୪୧.୧ ମିମି, ଯୋଡ଼ାରେ ୬୮.୨ ମିମି ଏବଂ ଝୁମ୍ପୁରା ବ୍ଲକ୍‌ରେ ୯୧.୨ ମିମି ବର୍ଷା ରେକର୍ଡ କରାଯାଇଛି। ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛି ବୈତରଣୀ।

ଦଶରଥପୁର ବ୍ଲକ ଦେଇ ପ୍ରବାହିତ ବୈତରଣୀର ଶାଖା କାଣୀ ନଦୀବନ୍ଧ ପୁଣି ଧସିଯାଇଥିବା ଦେଖିବାକୁ ମିଳିଛି । ନଦୀର ଉଭୟ ପାର୍ଶ୍ବର ୩ଟି ସ୍ଥାନରେ ବନ୍ଧ ଧସିଯାଇଛି । ଦୁଦୁରାଅନ୍ତା ପଞ୍ଚାୟତ କଣ୍ଟପଡା ଗ୍ରାମ ନିକଟରେ ବନ୍ଧ ଧସିଯାଇଛି । ଗାଁର ହଗନ ମଲ୍ଲିକ ଏବଂ ରାଜେନ୍ଦ୍ର ମଲ୍ଲିକଙ୍କ ଘର ନିକଟରେ ବନ୍ଧ ଧସିଯିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହାକୁ ନଜର ରଖି ପ୍ରଶାସନ ପକ୍ଷରୁ ବାଲିବସ୍ତା ପକାଯାଉଥିବା ଦେଖିବାକୁ ମିଳିଛି । ଅନ୍ୟ ପାର୍ଶ୍ବରେ ପୂର୍ବରୁ ହୋଇଥିବା ଘାଇ ନିକଟରେ ୨ଟି ସ୍ଥାନରେ ମଧ୍ୟ ଅତଡ଼ା ଖାଇଯାଇଛି । ବୈତରଣୀ ନଦୀର ଜଳସ୍ତର ଦଶରଥପୁର ବ୍ଲକରେ ବିପଦ ସଂକେତ ୯.୫୨ମିଟର ରହିଥିବାବେଳେ ସଂଧ୍ୟା ୬ଟା ସୁଦ୍ଧା ୧୦.୬୦ ମିଟର ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଉପରମୁଣ୍ଡରେ ବର୍ଷା ହୋଇଥିବାରୁ ଆହୁରି ଏକ ଫୁଟ ଉଚ୍ଚତାରେ ପାଣି ବଢିପାରେ ବୋଲି ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ତ୍ରୀପାଠି କହିଛନ୍ତି ।

କାଣୀ ନଦୀର ଦୁଦୁରାଅନ୍ତା ପଞ୍ଚାୟତ କଣ୍ଟପଡା ଠାରେ ପୂର୍ବ ବର୍ଷ ହୋଇଥିବା ଘାଇ ମୁକୁଳା ରହିଥିବାରୁ ସେହିବାଟ ଦେଇ ବନ୍ୟାଜଳ ଚାଷ ଜମିକୁ ମାଡିଯାଉଛି । ଫଳରେ ମଲ୍ଲିକାପୁର, ଦୁଦୁରାଅନ୍ତା, ଦତ୍ତପୁର, କୟାଁ, କମାରଡିହି ଆଦି ପଞ୍ଚାୟତର ଶହଶହ ହେକ୍ଟର ଚାଷଜମିରେ ବନ୍ୟାଜଳ ମାଡ଼ିଯାଇଛି । ଲଗାଣ ବର୍ଷା ଏବଂ ବନ୍ୟାଜଳ ପ୍ରବେଶ କାରଣରୁ ଦଶରଥପୁର ବ୍ଲକର ୨୧୭୫ ହେକ୍ଟର ଚାଷ ଜମି ପାଣିରେ ବୁଡ଼ିରହିଥିବା ବ୍ଲକ୍‌ କୃଷି ଅଧିକାରୀ ପ୍ରଦୀପ ବେହୁରା ସୂଚନା ଦେଇଛନ୍ତି। ପ୍ରକାଶଥାଉକି, ଗତକାଲି କାଣୀ ନଦୀର ୪ଟି ସ୍ଥାନରେ ପ୍ରାୟ ୫୦୦ ମିଟରରୁ ଅଧିକ ଧସିଯାଇଥିଲା ।

ସମ୍ବନ୍ଧିତ ଖବର