ବିପଦସଙ୍କେତ ଉପରେ ବୈତରଣୀ : ସଜାଗ ରହିବାକୁ କେନ୍ଦୁଝର ଓ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦେଶ, ତଳିଆ ଅଞ୍ଚଳ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ନେବାକୁ ପରାମର୍ଶ

ଭୁବନେଶ୍ବର : ଲଗାଣ ବର୍ଷା ଦ୍ବାରା ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜି ସନ୍ଧ୍ୟା ସୁଦ୍ଧା ଏଠାରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦୁଝର ଓ ଯାଜପୁରର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବୈତରଣୀ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ବୈତରଣୀ ନଦୀର ଜଳସ୍ତର ଆଖୁଆପଦାଠାରେ ୧୭.୮୭ ମିଟର ରହିଛି। ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଛି। ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ସୁବର୍ଣ୍ଣରେଖା ନଦୀର ଜଳସ୍ତର ଯଶବନ୍ତପୁରଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୪୯.୧୫ ମିଟର ଥିବା ବେଳେ ସନ୍ଧ୍ୟା ସୁଦ୍ଧା ଜଳସ୍ତର ୪୯.୩୦ ମିଟରରେ ପହଞ୍ଚିଛି। ତେବେ ଜଳସ୍ତର ଏଠାରେ ସ୍ଥିର ରହିଛି। ଗତ ୬ ଘଣ୍ଟା ଭିତରେ ଜଳସ୍ତର ବୃଦ୍ଧି ପାଇ ନାହିଁ। ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିଲେ ମଧ୍ୟ ଜଳସ୍ତର କମୁଛି। ଅପରାହ୍ନ ୩ଟା ସୁଦ୍ଧା ୬.୪୭ ମିଟରରେ ସ୍ଥିର ଥିବା ବେଳେ ସନ୍ଧ୍ୟା ୬ଟାରେ ୬.୪୬ ମିଟରରେ ପହଞ୍ଚିଛି। ଜଳସ୍ତର ହ୍ରାସ ପାଉଛି। ରାତି ୯ଟା ସୁଦ୍ଧା ବୈତରଣୀ ନଦୀର ଜଳପତ୍ତନ ଆଖୁଆପଦାଠାରେ ୧୮ ମିଟରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦୁଝର ଓ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ‌ ନେବା ଲାଗି କୁହାଯାଇଛି। ଅଶ୍ରୟସ୍ଥଳୀରେ ଥଇଥାନ ହୋଇଥିବା ଲୋକଙ୍କୁ ଖାଦ୍ୟ, ସ୍ବଚ୍ଛ ପାନୀୟ ଓ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ଲାଗି ପରାମର୍ଶ ଦିଆଯାଇଛି। ନଦୀର ଜଳପତ୍ତନ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ଅନ୍ୟପକ୍ଷରେ ସନ୍ଧ୍ୟା ସୁଦ୍ଧା ହୀରାକୁଦ ଜଳଭଣ୍ତାରର ଜଳସ୍ତର ୬୨୦.୪୫ ଫୁଟ ରହିଛି। ଏଠାରେ ୧ ଲକ୍ଷ ୫୪ ହଜାର ୩୩୭ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ‌ବେଳେ ୧୪ଟି ଗେଟ୍‌ ଦେଇ ୨ ଲକ୍ଷ ୩୭ ହଜାର ୧୮୬ କ୍ୟୁସେକ୍‌ ଜଳ ଛଡ଼ାଯାଉଛି। ଖଇରମାଳଠାରେ ୨ ଲକ୍ଷ ୪୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ବାରମୂଳାଠାରେ ୧ ଲକ୍ଷ ୮୯ ହଜାର ୮୭୫ କ୍ୟୁସେକ ଓ ମୁଣ୍ଡୁଳିଠାରେ ୨ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି।

ସମ୍ବନ୍ଧିତ ଖବର