କେନ୍ଦୁଝର/ ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସିଂହନାଳୀରେ ୨୪ ମେଗାୱାଟ୍‌ ବିଶିଷ୍ଟ ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଉଦ୍‌ଘାଟନ କରିଛନ୍ତି ଏବଂ ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ ସବୁଜ ଓ ପୁନଃ ବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବୋଲି ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଜିଲ୍ଲା ଖଣିଜ ପାଣ୍ଠି ଟଙ୍କା ହେଉଛି ଲୋକଙ୍କର। ଏହାର ସବୁ ଟଙ୍କା କେବଳ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ। ଏହା ବ୍ୟତୀତ ଏହି ପ୍ରକଳ୍ପର ସବୁଠୁ ବଡ଼ ବିଶେଷତ୍ବ ହେଉଛି ଏହା ପରିବେଶ ଅନୁକୂଳ। ଏହାଦ୍ବାରା କେହି ଜଣେ ବି ବିସ୍ଥାପିତ ହୋଇନାହାନ୍ତି। ଏହିଭଳି ଅନେକ ଛୋଟ ଛୋଟ ଶକ୍ତି ପ୍ରକଳ୍ପଦ୍ବାରା ଓଡ଼ିଶା ପରିବେଶ ପରିବର୍ତ୍ତନ ଆହ୍ବାନକୁ ଠିକ୍ ଭାବରେ ମୁକାବିଲା କରିପାରିବ। ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ଉଭୟ ଦେଶ ଓ ରାଜ୍ୟ ଅର୍ଥନୀତିରେ କେନ୍ଦୁଝର ଜିଲ୍ଲାର ବିଶେଷ ଅବଦାନ ରହିଛି। କେନ୍ଦୁଝରରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଜିଲ୍ଲାର ସବୁ ରାସ୍ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଛି। ସେହିପରି ମେଗା ପିଇବା ପାଣି ପ୍ରକଳ୍ପରେ ଜିଲ୍ଲାର ସବୁ ଘର ଗାଁ ଓ ସହର ସବୁ ଅଞ୍ଚଳରେ ପାଇପ ପାଣି ଯୋଗାଇ ଦେବା ପାଇଁ କାମ ଚାଲିଛି।

Advertisment

ବୈତରଣୀ ନଦୀ ଉପରେ ନିର୍ମିତ ଏହି ପ୍ରକଳ୍ପ ହାଇଦ୍ରାବାଦସ୍ଥିତ ବୈତରଣୀ ପାୱାର ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ଦ୍ବାରା ସ୍ଥାପନ କରାଯାଇଛି। ଏଥିରୁ ରାଜ୍ୟ ଗ୍ରିଡ୍‌କୁ ବର୍ଷକୁ ୧୦୦ ମିଲିଅନ ୟୁନିଟ୍‌ ବିଜୁଳି ମିଳିବ। ଏହାଦ୍ବାରା ଆନନ୍ଦପୁର ଅଞ୍ଚଳର ଲୋକେ ଉନ୍ନତମାନର ବିଜୁଳି ସେବା ପାଇପାରିବେ। ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଥିଲେ, ଏହି ପ୍ରକଳ୍ପ ଦ୍ବାରା ଅକ୍ଷୟଶକ୍ତି କ୍ଷେତ୍ରରେ ରାଜ୍ୟର କ୍ଷମତା ବଢ଼ିଛି। ଏହାଦ୍ବାରା କେନ୍ଦୁଝର ସମେତ ଓଡ଼ିଶାବାସୀ ଉପକୃତ ହେବେ। ସେହିପରି ଭବାନୀପାଟଣାରେ ଉପସ୍ଥିତ ଥିବା ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ, ଏହି ପ୍ରକଳ୍ପ ଗ୍ରିଡ୍‌କୁ ଶକ୍ତି ଯୋଗାଇବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ବଳିଷ୍ଠ ନେତୃତ୍ବକୁ ପ୍ରଶଂସା କରିଥିଲେ। ଏହି ଅବସରରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଘାସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। ଲୋୟର ବୈତରଣୀ ପାୱାର ପ୍ରକଳ୍ପର ପରିଚାଳନା ନିର୍ଦ୍ଦେଶକ ପ୍ରକଳ୍ପ ସମ୍ପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ସ୍ବାଗତ ଭାଷଣ ଦେଇଥିବା ବେଳେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ୫-ଟି ସଚିବ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।