ଯାଜପୁରସଦର: ଯାଜପୁର ସହରର ଅଳିଆ ଆବର୍ଜନା ପାଇଁ ପବିତ୍ର ବୈତରଣୀ ପ୍ରଦୂଷିତ। ପୌରାଞ୍ଚଳର ବର୍ଜ୍ୟବସ୍ତୁକୁ ସିଧା ନଦୀଗର୍ଭରେ ନିକ୍ଷେପ କରାଯାଉଛି। ଯାଜପୁର ସହରରେ ଦୁଇବର୍ଷ ହେଲା ଦୁଇକୋଟି ଟଙ୍କାରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି) ନିର୍ମାଣ ହୋଇଥିଲେ ମଧ୍ୟଏହାକୁ ଉପଯୋଗ କରାଯାଉନାହିଁ। ୧୫୦ ବର୍ଷର ପୁରାତନ ଯାଜପୁର ପୌରପାଳିକାରେ ସ୍ୱଚ୍ଛତା ବ୍ୟବସ୍ଥା କେମିତି, ତାହା ବୈତରଣୀ ନଦୀପଠାକୁ ଦେଖିଲେ ଜଣେ ଜାଣି ପାରିବେ। ଏହା ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୈନିକ ଘଟୁଛି।
ଯାଜପୁର ପୌରପାଳିକାରେ ୧୮ଟି ୱାର୍ଡ ଥିବାବେଳେ ଶହେରୁ ଅଧିକ ସଫେଇ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ପାଖାପାଖି ୯୬ ଜଣ ଆଉଟସୋର୍ସିଂ କର୍ମଚାରୀ ଥିବାବେଳେ ୨୯ଜଣ ସ୍ଥାୟୀ କର୍ମଚାରୀ ରହିଛନ୍ତି। ସଂଗ୍ରହ କରାଯାଉଥିବା ଆବର୍ଜନା ସହରର ଦୁଇଟି ସ୍ଥାନରେ ଥିବା କେନ୍ଦ୍ରକୁ ଖତ ପ୍ରସ୍ତୁତ ପାଇଁ ଯାଉଛି। କେତେକ ଗାଡ଼ି ଏହି ପ୍ଲାଣ୍ଟକୁ ନଯାଇ ନଦୀପଠାରେ ଓ ଏହାର ଆଖପାଖ ଅଞ୍ଚଳରେ ଅଳିଆ ଢାଳି ଦେଉଛନ୍ତି। ବୈତରଣୀ ନଦୀପଠାରୁ ତାହା ଧୀରେଧୀରେ ଗଡ଼ିଯାଇ ନଦୀ ଜଳରେ ମିଶୁଛି। ଅଳିଆ ଢଳା ଯାଉଥିବା ସ୍ଥାନଠାରୁ କିଛି ଦୂରରେ ପବିତ୍ର ବୈତରଣୀ ନଦୀର ଦଶାଶ୍ୱମେଧ ଘାଟ ରହିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଶହଶହ ଶ୍ରଦ୍ଧାଳୁ ଏଠାରେ ବୁଡ଼ ପକାଇବାକୁ ଓ ପିଣ୍ଡଦାନ ପାଇଁ ଆସିଥାନ୍ତି। ପାଣି ପ୍ରଦୂଷିତ ହେଉଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ପୂର୍ବତନ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସମୟରେ ମଧ୍ୟ ଏପରି ମଇଳା ଢଳା ଚାଲିଥିଲା। ଏ ସଂପର୍କରେ ଜାଣିବା ପରେ ଆଉ ପୌରାଞ୍ଚଳର ଆବର୍ଜନା ବୈତରଣୀ ନଦୀକୁ ଯିବ ନାହିଁ ଏବଂ ସବୁ ଗାଡ଼ିରେ ଜିପିଏସ୍ ଲାଗିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏନେଇ ପୌର ନିର୍ବାହୀ ଅଧିକାରୀ ଅନିଲ ମହାନ୍ତି କହିଛନ୍ତି, ସବୁ ଅଳିଆ ଗାଡ଼ିକୁ କମ୍ପୋଷ୍ଟିଂ ସେଣ୍ଟରକୁ ନେବାର ନିର୍ଦେଶ ରହିଛି। କେହି କେହି ଲୁଚିଛପି ନଦୀପଠାରେ ଅଳିଆ ଢାଳୁଛନ୍ତି। ଏହାକୁ କଡ଼ାକଡ଼ି ଯାଞ୍ଚ ହେବା ସହ ଦରକାର ହେଲେ ସଫେଇ ପରିଚାଳନା ଦାୟିତ୍ବରେ ଥିବା ସ୍ବଚ୍ଛସାଥୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/XN2KoHozWVo9khOWXxPE.jpg)