ଲଗାଣ ବର୍ଷା ଆଣିଲା ବନ୍ୟା : ବିପଦ ସଙ୍କେତ ଉପରେ ବୈତରଣୀ

ବୁଢ଼ାବଳଙ୍ଗ, ଜଳକା, ଖରସ୍ରୋତା, କାଣୀ, ସାଳନ୍ଦୀ ବି ଫୁଲୁଛି
ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ାକୁ ବିପଦ
ସୁନ୍ଦରଗଡ଼, କେନ୍ଦୁଝର, ବାରିପଦାରେ ବି ବର୍ଷା ବିପତ୍ତି
ମୁଖ୍ୟମନ୍ତ୍ରୀ ସମୀକ୍ଷା କଲେ, ମୁଖ୍ୟସଚିବଙ୍କ ତନାଘନା
ନଦୀବନ୍ଧ ଜଗିବାକୁ ନିର୍ଦେଶ, ସବୁ ବିଭାଗକୁ ସଜାଗ କରାଗଲା

ଭୁବନେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ବୈତରଣୀ ଓ ତାର ଶାଖା ନଦୀ ସମେତ ବୁଢାବଳଙ୍ଗ, ଜଳକା, ଖରସ୍ରୋତା, କାଣୀ ପ୍ରମୁଖ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ନଦୀଗୁଡିକ କ୍ରମଶଃ ଫୁଲୁଛନ୍ତି ଓ ବିଶାଳ ରୂପ ଧାରଣ କଲେଣି। ବୈତରଣୀ ନଦୀ ବିପଦ ସଙ୍କେତର ଯଥେଷ୍ଟ ଉପରେ ପ୍ରବାହିତ ହେଉଛି। ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ରାତି ୯ଟା ସୁଦ୍ଧା ୧୯.୦୦ ମିଟର ରହିଛି। ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର। ଅନ୍ୟପକ୍ଷରେ ମହାନଦୀ, କୁଶଭଦ୍ରା, ବ୍ରାହ୍ମଣୀ ପ୍ରମୁଖ ନଦୀରେ ଜଳସ୍ତର ବୃଦ୍ଧି ପାଉଥିଲେ ହେଁ, ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ।

ରିପୋର୍ଟ ଲେଖା ହେଲାବେଳକୁ ହୀରାକୁଦର ୧୦ଟି ଗେଟ୍‌ ଖୋଲା ରହିଛି। ପ୍ରତି ସେକେଣ୍ଡ୍‌ ପିଛା ଜଳଭଣ୍ଡାରକୁ ୨ ଲକ୍ଷ ୯୭୭ ଘନଫୁଟ ପାଣି ପ୍ରବେଶ କରୁଥିବାବେଳେ ୧ ଲକ୍ଷ ୭୨,୩୭୭ ଘନଫୁଟ ପାଣି ନିଷ୍କାସିତ ହେଉଛି। ଏହାସତ୍ତ୍ବେ ଖଇରମାଳରେ ସେକେଣ୍ଡ୍‌ ପ୍ରତି ୫ ଲକ୍ଷ ୧୪ ହଜାର କ୍ୟୁସେକ୍‌ ପାଣି ଅତିକ୍ରମ କରୁଛି। ସେହିଭଳି ବରମୂଳରେ ଏହା ୬ ଲକ୍ଷ ୩୪ ହଜାର କ୍ୟୁସେକ୍‌ ଏବଂ ମୁଣ୍ଡୁଳିରେ ୪ ଲକ୍ଷ ୮୫,୪୩୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି।

ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରିଷ୍ଠ ଅଧିକାରୀମାନଙ୍କ ସହିତ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି। ପରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଆଜି ସନ୍ଧ୍ୟାରେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା, ୧୨ଟି ଜିଲ୍ଲାର ଜିଲ୍ଲାପାଳ, ତିନି ରାଜସ୍ବ ଆୟୁକ୍ତ ଓ ବନ୍ୟା ସହିତ ସଂପୃକ୍ତ ବିଭାଗୀୟ ସଚିବଙ୍କର ଏକ ବୈଠକ କରିଛନ୍ତି। ଯେ କୌଣସି ପରିସ୍ଥିତିରେ ବି ଧନଜୀବନ ଯେଭଳି ସୁରକ୍ଷିତ ରହେ, ସେ ନେଇ ଆବଶ୍ୟକ ପଦକ୍ଷେପ ନେବା ଲାଗି ନିର୍ଦେଶ ଦିଆଯାଇଛି। ଆବଶ୍ୟକସ୍ଥଳେ ତଳିଆ ଓ ପାଣିଘେରକୁ ଆସୁଥିବା ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ନେବା ସହିତ ରିଲିଫ୍ ବ୍ୟବସ୍ଥା ଲାଗି ନିର୍ଦେଶ ଦିଆଯାଇଛି। ମୁଖ୍ୟସଚିବ କହିଛନ୍ତି, ତିନି ଜଣ ଯାକ ଆର୍‌ଡିସି ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ। ଜଳସଂପଦ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସହିତ ମିଶି ନଦୀବନ୍ଧ ଓ ତଳିଆ ଅଞ୍ଚଳରେ ପାଟ୍ରୋଲିଂ କରିବେ। ଜ​ଳସଂପଦ ବିଭାଗର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବେ।

ସ୍ଥିତି ସଂପର୍କରେ ସୂଚନା ଦେଇ ଏସଆର୍‌ସି ଶ୍ରୀ ଜେନା କହିଛନ୍ତି, ସମଗ୍ର ରାଜ୍ୟରେ ବର୍ଷା ହେବା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି ଏବଂ ଜଳକା, ସାଳନ୍ଦୀ ଓ ବୁଢାବଳଙ୍ଗ ବି। ଆଜି ରାତି ଠାରୁ ଆସନ୍ତା କାଲି ମଧ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ତେଲ ନଦୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ।

ଲୋକଙ୍କୁ ବନ୍ୟା ସମୟରେ ଉଦ୍ଧାର କରିବା ପାଇଁ ୧୦ଟି ଓଡ୍ରାଫ୍, ଏନ୍‌ଡିଆର୍‌ଏଫ୍ ଟିମ୍ ଓ ଜିଲ୍ଲାରେ ଥିବା ଅଗ୍ନିଶମ ସେବା ୟୁନିଟ୍‌ ନିୟୋଜିତ ହୋଇଛନ୍ତି। ନଦୀବନ୍ଧ ଗୁଡିକରେ ପାଟ୍ରୋଲିଂ ଜାରି ରହିଛି। ଜଳପ୍ଲାବିତ ଅଞ୍ଚଳ ଗୁଡିକରେ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉଛି। ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ କେତେକ ଅଞ୍ଚଳରେ ଚାଷଜମି ଜଳମଗ୍ନ ହୋଇଛି। ଜଗତସିଂହପୁର ଜିଲ୍ଲାରେ ଏହା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିଲା। ସେହିଭଳି ବିଭିନ୍ନ ଜିଲ୍ଲାରେ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଛି। ସେମାନଙ୍କୁ ତୁରନ୍ତ ପଲିଥିନ୍ ଦେବାକୁ ନିର୍ଦେଶ ଦିଆଯାଇଛି।

ମୟୂରଭଞ୍ଜ ଜିଲ୍ଲାର ସୁକୃଳି ତହସିଲ ଅନ୍ତର୍ଗତ ମହୁଲିଆସୁଲି ଗ୍ରାମର ନଳିନୀ ମୁଣ୍ଡା (୬୨)ଅତ୍ୟଧିକ ବର୍ଷା ଯୋଗୁଁ କାନ୍ଥପଡି ପ୍ରାଣ ହରାଇଛନ୍ତି।

ବରାଳୀ ଓ ସରାଳୀ ନଦୀର ଜଳସ୍ତର ବୃଦ୍ଧିପାଇ ମୟୁରଭଞ୍ଜ ଜିଲ୍ଲାର ବାରିପଦା ସହରର ଅଳ୍ପ କେତେକ ଅଞ୍ଚଳ ଜଳମଗ୍ନ ହୋଇଥିଲା। ବାରିପଦାରେ ଗୋଟିଏ କୋଠା ଘର ଭୁଶୁଡି଼ ପଡ଼ିଛି। କେନ୍ଦ୍ରାପଡା ସହରରେ ବି ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆସନ୍ତାକାଲିଠାରୁ ଜିଲ୍ଲାରେ ବନ୍ୟାର ପ୍ରଭାବ ଅନୁଭୂତ ହେବ।

ବୈତରଣୀ ବନ୍ୟା କାରଣରୁ କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ପୋଲ ବୁଡିଯାଇଛି। ମୁମ୍ବାଇ-କଲିକତା ଜାତୀୟ ରାଜପଥରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ସୁନ୍ଦରଗଡରେ ଲଗାଣ ବର୍ଷାରେ ୫୨୦ନଂ ଜାତୀୟ ରାଜପଥ ନାରାୟଣପୋଷ ନିକଟ କାରା ପୋଲ ଭାସିଯାଇଛି। ଫଳରେ କୋଇଡା କାଲଟା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ ବିଚ୍ଛିନ୍ନ ହୋଇଛି।
ଭଦ୍ରକ ଆଖଣ୍ଡଳମଣି ମନ୍ଦିରରେ ବି ବାବା ପାଣିରେ ବୁଡ଼ିଛନ୍ତି। ରେବ ଓ କପାଳି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। କେତେକ ରାସ୍ତା ମଧ୍ୟ ବନ୍ୟା ଜଳରେ ବୁଡି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ଏବଂ ତାହାର ନିଷ୍କାସନ ବ୍ୟବସ୍ଥା କରାଯାଇଛି ବୋଲି ଏସ୍‌ଆରସି କହିଛନ୍ତି। ସେହିଭଳି ଦଶରଥପୁର ବ୍ଲକ କସପା ପଞ୍ଚାୟତ ପଲାସାହିଠାରେ ବୈତରଣୀ ନଦୀବନ୍ଧର ପ୍ରାୟ ୧୦୦ ଫୁଟ ନଦୀ ଗର୍ଭକୁ ଧସି ଯାଇଛି।

ବର୍ଷା ବିତ୍ପାତ କାରଣରୁ ରାଜ୍ୟର ବହୁ ସହରତଳି ଅଞ୍ଚଳ ଜଳମଗ୍ନ ହୋଇରହିଛି। ସେସବୁ ସ୍ଥାନକୁ ତୁରନ୍ତ ଜଳବନ୍ଦୀ ମୁକ୍ତ କରିବା ଲାଗି ସରକାର ନିର୍ଦେଶ ଦେଇଛନ୍ତି। ସେହିଭଳି କୃଷି କ୍ଷୟକ୍ଷତି ଆକଳନ କରିବା ଲାଗି କୁହାଯାଇଛି।

ସମ୍ବନ୍ଧିତ ଖବର