ବୈତରଣୀ ବିପଦ ସଂକେତ ଟପିଲା, ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା

ବୁଢ଼ାବଳଙ୍ଗ ଫୁଲୁଛି, ୩୦ ଫୁଟର ଘାଇ

ଭୁବନେଶ୍ବର: ଲଘୁଚାପ ବର୍ଷାରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଜଳ ଆସିଛି। ବର୍ଷା କମିଯାଇଥିଲେ ବି ଶୁକ୍ରବାର ସମୁଦ୍ରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଏବଂ ଭଦ୍ରକ ଜିଲ୍ଲାରେ ଶନିବାର ପ୍ରବଳ ବର୍ଷିଛି। ଫଳରେ ଆନନ୍ଦପୁର ନିକଟରେ ବୈତରଣୀ ନଦୀ ବିପଦ ସଂକେତ ଟପିଛି। ଆନନ୍ଦପୁର ନିକଟରେ ବିପଦ ସଂକେତ ୩୮.୩୬୦ ଥିବାବେଳେ ବର୍ତ୍ତମାନ ୩୮.୩୯୦ ମିଟର ଉଚ୍ଚରରେ ବୈତରଣୀ ବହୁଥିବା ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କଠାରୁ ସୂଚନା ମିଳିଛି। ସେହପିର ଭଦ୍ରକ ଆଖୁଆପଦାରେ ବି ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସେଠାରେ ୧୭.୮୩ ମିଟର ବିପଦ ସଂକେତ ଥିବାବେଳେ ବର୍ତ୍ତମାନ ବୈତରଣୀ ୧୭.୮୭ ମିଟର ଉଚ୍ଚରେ ପ୍ରବାହିତ ହେଉଛି। ସେହିପରି ରାୟଗଡା ଜିଲ୍ଲା କାଶୀନଗର ଦେଇ ଯାଇଥିବା ବଂଶଧାରା ନଦୀ ବି ବିପଦ ସଂକେତ ଟପିଛି। ତେବେ ସଠିକ ସୂଚନା ମିଳିନାହିଁ।

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରହି ଉକ୍ତ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି। ନଦୀରେ ଜଳସ୍ତର ବଢ଼ୁଥିବାରୁ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ଉଚ୍ଚାସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଏନଡିଆରଏଫ ଓ ଓଡ୍ରାଫ ଟିମକୁ ସଜାଗ ରଖାଯାଇଛି। ଏଭଳି ସ୍ଥିତିରେ ବୁଢ଼ାବଳଙ୍ଗ ନଦୀରେ ଘାଇ ସୃଷ୍ଟି ହୋଇଛି। ବାଲେଶ୍ବରର ରେମୁଣା ପତୁକା ଶାସନ ନକଟରେ ୩୦ ଫୁଟର ବଡ଼ ଘାଇ ସୃଷ୍ଟି ହେବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ରବିବାର ସକାଳ ୯ଟା ସୁଦ୍ଧା ଏହି ନଦୀ ବିପଦ ସଂକେତ ଟପିବ ବୋଲି କୁହାଯାଉଛି। ଏସଆରସି ପ୍ରଦୀପ ଜେନା ଟୁଇଟ କରି କହିଛନ୍ତି ଯେ, ସୁବର୍ଣ୍ଣରେଖା ସିଷ୍ଟମରେ ବଡ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଝାଡଖଣ୍ଡ ଗାଲୁଡିହରେ ୧୬ଟି ଗେଟ ଖୋଲିଛି। ସେହି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଥିବାରୁ ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ଦେଖାଦେଇଛି। ସେଠାକାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର