କେନ୍ଦୁଝର : ଗୋଟିଏ ପଟେ ବିଭିନ୍ନ ଶିଳ୍ପସଂସ୍ଥା ବୈତରଣୀ ନଦୀରୁ ପାଣି ଶୋଷୁଥିବାବେଳେ ବ୍ୟାପକ ଲୁହାପଥର ଖନନ ଯୋଗୁଁ ପୋତି ହୋଇଯାଉଛି ବୈତରଣୀ। ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲାର ଖଣି ଅଞ୍ଚଳରେ ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁଁ ବର୍ଷା ପରିମାଣ କମ୍ ହେବା ସହ ଭୂତଳ ଜଳସ୍ତର ହ୍ରାସ ପାଉଛି। ଏହାର ପ୍ରଭାବ ମଧ୍ୟ ବୈତରଣୀ ଉପରେ ପଡ଼ୁଛି। ଏଥିପାଇଁ କେବଳ ବର୍ଷାଦିନକୁ ବାଦ୍ ଦେଲେ ଅଧିକାଂଶ ସମୟରେ ବୈତରଣୀ ନଦୀ ଶୁଖିଲା ପଡ଼ୁଥିବା ଦେଖିବାକୁ ମିଳୁଛି।
କିଛି ବର୍ଷ ତଳେ ତଳମୁଣ୍ଡ ଆନନ୍ଦପୁର ଅଞ୍ଚଳରେ ବୈତରଣୀ ନଦୀ ସଂପୂର୍ଣ୍ଣ ଶୁଖିଲା ପଡ଼ିଥିଲା। ଆନନ୍ଦପୁର ଉପଖଣ୍ଡର ସିଙ୍ଗନାଳୀ ନିକଟରେ ନଦୀରେ ଏକ ପାୱାର ପ୍ରୋଜେକ୍ଟ ନିର୍ମାଣ ଚାଲିଥିବା ବେଳେ ଏକ ଅସ୍ଥାୟୀ ବନ୍ଧ ନିର୍ମାଣ ହୋଇଥିଲା। କିନ୍ତୁ ବନ୍ଧର ତଳ ଭାଗରେ ପାଣିର ସ୍ରୋତ ସଂପୂର୍ଣ୍ଣ ବନ୍ଦ ହୋଇଯିବାରୁ ନଦୀ ଶୁଖିଲା ପଡ଼ିଥିଲା। ଏମିତିକି ପାଦ ଧୋଇବାକୁ ମଧ୍ୟ ପାଣି ଟୋପାଏ ନଥିଲା। ତଥ୍ୟ ଅନୁସାରେ, କେନ୍ଦୁଝର ଜିଲ୍ଲାର ଗୋନାସିକାରୁ ବାହାରିଥିବା ବୈତରଣୀ ଭଦ୍ରକର ଧାମରାଠାରେ ସମୁଦ୍ରରେ ମିଶିଛି। ନଦୀର ଅଧିକାଂଶ ଭାଗ କେନ୍ଦୁଝର ଜିଲ୍ଲାରେ ରହିଛି। ହେଲେ ଏହାର ଜଳକୁ କେନ୍ଦୁଝର ଜିଲ୍ଲାବାସୀ ବ୍ୟବହାର କରିବାରୁ ବଞ୍ଚିତ ହେଉଛନ୍ତି। ଅଧିକାଂଶ ଜଳକୁ ଶିଳ୍ପସଂସ୍ଥାମାନେ ଶୋଷି ନେଉଛନ୍ତି। କେନ୍ଦୁଝରରୁ ପାରାଦୀପକୁ ପାଇପ୍ ଯୋଗେ ଳୁହାପଥର ପରିବହନପାଇଁ ପ୍ରଚୁର ପରିମାଣର ଜଳ ଆବଶ୍ୟକ ହେଉଛି। ଏହାକୁ ବୈତରଣୀ ପୂରଣ କରୁଛି। ସେହିପରି ଏଠାକାର ବେନିଫିସିଏସନ୍ ପ୍ଲାଣ୍ଟରେ ମଧ୍ୟ ପ୍ରଚୁର ପରିମାଣରେ ବୈତରଣୀର ପାଣିକୁ ବ୍ୟବହାର କରାଯାଉଛି। ଯାହାର ପରିଣାମ ଶୀତଦିନେ ମଧ୍ୟ ବୈତରଣୀ ଶୁଖିଲା ପଡ଼ୁଥିବା ଦେଖିବାକୁ ମିଳୁଛି।
ଗତ ଦୁଇ ଦଶନ୍ଧି ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ବଢ଼ି ଚାଲିଥିବା ଖଣି ଭିତ୍ତିକ ଶିଳ୍ପ ମଧ୍ୟ ବୈତରଣୀପାଇଁ ବିପଦ ସୃଷ୍ଟି କରୁଛି। ନଦୀକୂଳରେ ଗଢ଼ି ଉଠିଥିବା ଖଣି ଓ ଶିଳ୍ପସଂସ୍ଥାଗୁଡ଼ିକ ପ୍ରାୟ ୩୦୦ ବର୍ଗ କିଲୋମିଟର ଅଞ୍ଚଳ ମାଡ଼ି ବସିଛନ୍ତି। ଏକାଧିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟ ଏବଂ ଶତାଧିକ ଆଇରନ କ୍ରସରରୁ ନିର୍ଗତ ଲୁହାପଥର ଗୁଣ୍ଡ ବର୍ଷାପାଣିରେ ଧୋଇ ହୋଇ ବୈତରଣୀରେ ମିଶୁଛି। ବର୍ଷ ବର୍ଷ ଧରି ଏହି ପ୍ରକ୍ରିୟା ଚାଲିଥିବାରୁ ଧୀରେ ଧୀରେ ବୈତରଣୀର ତଳ ଭାଗରେ ଏକ ମୋଟା ଆସ୍ତରଣ ସୃଷ୍ଟି ହେବା ସହ ନଦୀ ପୋତି ହେବାକୁ ଆରମ୍ଭ କଲାଣି। ଏହାଛଡ଼ା ବୈତରଣୀ ପାଇଁ ଏବେ ଆଉ ଏକ ନୂଆ ବିପଦ ମାଡ଼ି ଆସୁଛି। ପୂର୍ବରୁ ଖଣି ଖନନ ପାଇଁ ପ୍ରାୟ ୩୩ ହଜାର ୧୧୨ ହେକ୍ଟର ଜମିକୁ ସରକାର ଲିଜ୍ରେ ଦେଇଥିଲେ। ସେଥିରୁ ୨୪ ହଜାର ୫୬୦ ହେକ୍ଟର ଜଙ୍ଗଲ ଜମି ଥିଲା। ଏସବୁ ଜମିରେ ଥିବା ଲକ୍ଷ ଲକ୍ଷ ଗଛ କଟା ଯାଇଥିଲା। ଯାହାର ପ୍ରଭାବ ବୈତରଣୀ ଉପରେ ପଡ଼ିସାରିଛି। ଏବେ ପୁଣି ଯୋଡ଼ା-ବଣାଇ ଖଣି ଅଞ୍ଚଳର ୯ଟି ନୂଆ ଖଣିକୁ ଲିଜ୍ ଦେବାପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଛି। ଏହାଦ୍ବାରା ପ୍ରାୟ ୯ଶହ ହେକ୍ଟର ଜଙ୍ଗଲ ଧ୍ବଂସ ହେବ। କେନ୍ଦୁଝର ଜିଲ୍ଲାର ପରିବେଶ ସନ୍ତୁଳନକୁ ବିଗାଡ଼ିବାରେ ଏହା ପ୍ରମୁଖ ଭୂମିକା ନେବ। ଜିଲ୍ଲାରେ କମ୍ ବର୍ଷା ହେବ। ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ବୈତରଣୀ ଏକ ମୃତ ନଦୀରେ ପରିଣତ ହୋଇଯିବ ବୋଲି ପରିବେଶବିତ୍ ଆଶଙ୍କା ପ୍ରକାଶ କରିଛନ୍ତି।
ଏ ସଂପର୍କରେ କେନ୍ଦୁଝର ନାଗରିକ ମଞ୍ଚ ସଭାପତି ତଥା ପରିବେଶପ୍ରେମୀ କିରଣ ଶଙ୍କର ସାହୁ କହିଛନ୍ତି, ବ୍ୟାପକ ଜଙ୍ଗଲ ଧ୍ବଂସ ଓ ବୈତରଣୀରୁ ଶିଳ୍ପ ସଂସ୍ଥାଗୁଡ଼ିକ ଆଖିବୁଜା ଜଳ ଶୋଷୁଥିବାରୁ ଏହି ନଦୀ ଆଉ ଅଧିକ ଦିନ ଚିରସ୍ରୋତା ହୋଇ ରହିବ ନାହିଁ। ଏ ଦିଗରେ ସରକାର ପଦକ୍ଷେପ ନେବା ଦରକାର ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/baitarani-river.jpg)