ବୈତରଣୀକୁ ଧସିଲା ୨୦୦ ଫୁଟ୍‌ର ସୁରକ୍ଷାବନ୍ଧ

ମୁଆଁ ଗାଁର ୪୦ ପରିବାର ଆତଙ୍କିତ

ଚାନ୍ଦବାଲି/ଆରଡ଼ି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆରଡ଼ି ପଞ୍ଚାୟତର ମୁଆଁ ଗାଁରେ ବୈତରଣୀକୁ ପ୍ରାୟ ୨ଶହ ଫୁଟ୍‌ର ନଦୀବନ୍ଧ ଧସିଯାଇଛି। ଏହାଫଳରେ ନଦୀକୂଳିଆ ଲୋକେ ଆତଙ୍କିତ ହୋଇଛନ୍ତି। ମୁଆଁ ଗାଁରେ ନଦୀବନ୍ଧର ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ସ୍ଥାୟୀ ମରାମତି କାର୍ଯ୍ୟ ଚାଲୁଥିବା ସମୟରେ ଆଜି ଦିନ ୧୧ଟା ସମୟରେ ପ୍ରାୟ ୨ଶହ ଫୁଟର ସୁରକ୍ଷାବନ୍ଧ ନଦୀ ମଧ୍ୟକୁ ଧସି ଯାଇଥିଲା। ଯାହାକୁ ନେଇ ମୁଆଁ ଗାଁ ଲୋକଙ୍କ ସହ ନଦୀ କୂଳିଆ ପ୍ରାୟ ୪୦ ପରିବାର ଏବେ ଆତଙ୍କିତ ହୋଇ ପଡ଼ିଛନ୍ତି। ସେହିପରି ନଦୀର ସୁରକ୍ଷାବନ୍ଧର ପଥର ଓ ମାଟି କ୍ରମଶଃ ନଦୀ ମଧ୍ୟକୁ ଧସୁଥିବାରୁ ସ୍ଥାୟୀ ସୁରକ୍ଷା ପାଇଁ ଗାଁ ଲୋକଙ୍କ ସମେତ ନଈକୂଳିଆବାସୀ ନଦୀବନ୍ଧରେ ପିଲାଛୁଆଙ୍କୁ ଧରି ବସି ରହିଛନ୍ତି। ମୁଆଁ ଗାଁର ଉକ୍ତ ସ୍ଥାନରେ ପୂର୍ବରୁ ବାରମ୍ବାର ଧସିବା ଫଳରେ ଚାଷଜମି ଓ ବଡ଼ବଡ଼ ଗଛ ନଈରେ ଲୀନ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଖବର ଅନୁଯାୟୀ, କିଛି ବର୍ଷ ହେଲା ବୈତରଣୀ ନଦୀ ତା’ର ଗତିପଥ ବଦଳାଇ ମୁଆଁ ଗାଁ ଆଡକୁ ମାଡ଼ି ଆସିବା ସହିତ ବାରମ୍ବାର ନଦୀବନ୍ଧକୁ ଖାଉଛି। ଫଳରେ ବହୁ ଧନଜୀବନ ହାନି ହେବା ସହିତ ପୁରୁଷପୁରୁଷ ଧରି ଘରକରି ରହୁଥିବା ୪୦ ପରିବାର ଏବେ ବାସଶୂନ୍ୟ ହେବେ ବୋଲି ଆଶଙ୍କା ଦେଖାଦେଇଛି। ଏ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। ପ୍ରଶାସନ କାମ ଆରମ୍ଭ କରିଥିଲେ। ମାତ୍ର ଧସିଯିବା ଫଳରେ ପ୍ରଶାସନକୁ ଅଧିକ ଚିନ୍ତାରେ ପକାଇଛି। ତେବେ ଗାଁର ସୁରକ୍ଷା ପାଇଁ ବିଭାଗ ତରଫରୁ କ୍ଷେତ୍ର ପରିଦର୍ଶନ ସହିତ କ୍ଷତିଗ୍ରସ୍ତ ପରିବାରକୁ ଥଇଥା‌ନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଏପରି ଘଟଣା ସମ୍ପର୍କରେ ଯାଜପୁର ଜଳସେଚନ ଡିଭିଜନର ଏସ୍‌ଡିଓ ଭୁବନାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ବର୍ତ୍ତମାନ ଉକ୍ତ ସ୍ଥାନରେ ନଦୀବନ୍ଧର ସ୍ଥାୟୀ ମରାମତି ଚାଲୁଛି, ତା’ସହ ଗଭୀର ସ୍ଥାନ ହୋଇଥିବାରୁ ସେଠାରେ ପଥର ଡମ୍ପି˚ କରାଯାଇ ସ୍ଥାୟୀ ପ୍ରତିକାର କରାଯିବ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର