ଭଦ୍ରକ : ଭଦ୍ରକ ଓ ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ହୋଇଛି ବୈତରଣୀ ନଦୀ। ଏଇ ନଦୀର ଦକ୍ଷିଣ ପାର୍ଶ୍ବରେ ରହିଛି ଯାଜପୁର ଓ ବାମ ପାର୍ଶ୍ବରେ ରହିଛି ଭଦ୍ରକ ଜିଲ୍ଲା। ଦକ୍ଷିଣ ପାର୍ଶ୍ବ ନଦୀବନ୍ଧ କ୍ୟାପିଟାଲ ଆମ୍ବାକମେଣ୍ଟ ହୋଇଥିବା ବେଳେ ବନ୍ୟାଦାଉରୁ ଯାଜପୁର ଜିଲ୍ଲା ଉଦ୍ଧାର ପାଇଯାଇଛି। ବାକି ରହିଛି ବୈତରଣୀର ବାମପାର୍ଶ୍ବ ବନ୍ଧ। ଏଇ ବନ୍ଧକୁ କ୍ୟାପିଟାଲ ଆମ୍ବାକମେଣ୍ଟ କରିବାକୁ ଭଦ୍ରକ ଜିଲ୍ଲାବାସୀ ବହୁ ଦିନରୁ ଦାବିକରି ଆସୁଛନ୍ତି। ପ୍ରତିବର୍ଷ ବନ୍ୟାରେ ଭଦ୍ରକର ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ଚାନ୍ଦବାଲି ବ୍ଲକର ୫୦ରୁ ଉର୍ଦ୍ଧ୍ବ ପଞ୍ଚାୟତ ଓ ୫୦୦ ରୁ ଉର୍ଦ୍ଧ୍ବ ଗାଁ ପାଣିରେ ବୁଡିଯାଉଛି। ବ୍ୟାପକ ଫସଲ ଓ ଚାଷ ନଷ୍ଟ ହେଉଛି। ପ୍ରତିବର୍ଷ ଭଦ୍ରକ ଜିଲ୍ଲାବାସୀ ବୈତରଣୀ ନଦୀର ବନ୍ୟାଜଳରେ ଯନ୍ତ୍ରଣା ପାଉଛନ୍ତି। ବୈତରଣୀର ବନ୍ୟାଦାଉରୁ ଯାଜପୁର ଜିଲ୍ଲା ଉଦ୍ଧାର ପାଇଥିବା ବେଳେ ଭଦ୍ରକ ଜିଲ୍ଲା କିଭଳି ଏଇ ବନ୍ୟା ଦାଉରୁ ଉଦ୍ଧାର ପାଇବ ସେ ଦିଗର ପ୍ରଶାସନଠାରୁ ଆରମ୍ଭ କରି ଆମ ଲୋକ ପ୍ରତିନିଧିଙ୍କର ବି ଚିନ୍ତା ନାହିଁ। ପ୍ରତିବର୍ଷ ବର୍ଷାଦିନ ଆସିଲେ ବୈତରଣୀ,ସାଳନ୍ଦୀ, କୋଚିଳା, ଗେଙ୍ଗୁଟି, ରେବ, କପାଳୀ, ନଦୀରେ ବନ୍ୟା ଆସେ। ଏଇସବୁ ନଦୀବନ୍ଧ ସୁଦୃଢ କରିବା ଦିଗରେ ଜଳ ସଂପଦ ବିଭାଗ ବିଫଳ ହୋଇଛି। ବର୍ଷାଦିନ ଆସିଲେ କେବଳ ବାଲିବସ୍ତା ପକାଇ ବନ୍ୟା ଜଳକୁ ନିୟନ୍ତରଣ କରିବାର ଯୋଜନା କରାଯାଏ। ଏବାବଦରେ ଜଳ ସଂପଦ ବିଭାଗ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଆଣି ଆତ୍ମସାତ କରୁଛି। ଯାଜପୁର ଜଳ ସଂପଦ ବିଭାଗ ଅଧୀନରେ ଯାଉଥିବା ଏଇ ନଦୀର ବିକାଶ ଦିଗରେ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମଧ୍ୟ ଦୃଷ୍ଟି ଦେଉନାହାନ୍ତି।

Advertisment

publive-image newindianexpress.com

ଭଦ୍ରକର ଆଖୁଆପଦାଠାରୁ ଆରମ୍ଭ କରି ବୈତରଣୀ ନଦୀ କୂଳ ଧାମନଗର, ଦେଇ ଆରଡି ପର୍ଯ୍ୟନ୍ତ ଲମ୍ବିଛି। ପ୍ରାୟ ୩୦ କିଲୋମିଟରର ଏଇ ନଦୀବନ୍ଧକୁ କ୍ୟାପିଟାଲ ଆମ୍ବାକମେଣ୍ଟ କରାଯିବାକୁ ଅତୀତରେ ବହୁ ନେତା ପ୍ରତିଶ୍ରୁତି ଦେଇଛନ୍ତି। ମାତ୍ର ତାହା କାର୍ଯ୍ୟକାରୀ କରାଯାଇ ପାରି ନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି। ବୈତରଣୀର ଯାଜପୁର ପାର୍ଶ୍ବ ନଦୀବନ୍ଧ ସୀମାରେ ଏସ୍କେପ୍ ନଥିବା ବେଳେ ଭଦ୍ରକ ବାମପାର୍ଶ୍ବ ବନ୍ଧରେ ଅନେକ ଏସ୍କେପ୍ ରହିଛି। ନଦୀ ବନ୍ୟା ଜଳ ଆସିଲେ ଭଦ୍ରକ ପାର୍ଶ୍ବର ସବୁ ଏସ୍କେପ୍ ଖୋଲି ଦିଆଯାଏ। ଫଳରେ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ। ଏଇସବୁ ଏସ୍କେପ୍ ଗୁଡିକ ଭଦ୍ରକ ସୀମାରୁ ବନ୍ଦ କରିବାର ଆବଶ୍ୟକତା ରହିଛି। ବୈତରଣୀର ବାମ ପର୍ଶ୍ବ ନଦୀବନ୍ଧ ଦୁର୍ବଳ ହୋଇଥିବାରୁ ବନ୍ୟା ଆସିଲେ ଭଦ୍ରକ ପାର୍ଶ୍ବ ବନ୍ଧ ଭାଙ୍ଗିଯାଏ। ଏହାଦ୍ବାରା ଲୋକଙ୍କର ଲକ୍ଷ ଲକ୍ଷ ଟଙ୍କାର ଚାଷବାସ ନଷ୍ଟ ହୋଇଯାଏ। ଅନେକ ଲୋକଙ୍କ ଘର ଦ୍ବାର ଭାଙ୍ଗି ଯିବା ସହ ରାସ୍ତାଘାଟ ବୁଡିଯାଏ। ବୈତରଣୀ ବନ୍ୟାର ରୂପ ବେଶ୍ ଭୟଙ୍କର ରୁହେ। ପ୍ରତିବର୍ଷ ଏଇ ଅଞ୍ଚଳର ଲୋକଙ୍କର ଧନ ଜୀବନ ନଷ୍ଟ ହେଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ଭଦ୍ରକ ଜିଲ୍ଲାର ଏଇ ସବୁଦିନିଆ ଦୁଃଖ ଦେଖି ଆଖିବୁଜି ଦେଇଛି।

ରାଜ୍ୟ ସରକାର ନିଜ ଆଡୁ ଭଦ୍ରକ ଜିଲ୍ଲାର ବୈତରଣୀ ନଦୀବନ୍ଧକୁ କ୍ୟାପିଟାଲ ଆମ୍ବାକମେଣ୍ଟ ଘୋଷଣା କରୁ ନାହାନ୍ତି କାହିଁକି! ଅତୀତରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫଲ୍ଲ ସାମଲ ବୈତରଣୀର ଭଦ୍ରକ ସୀମାକୁ କ୍ୟାପିଟାଲ ଆମ୍ବାକେମେଣ୍ଟ ଘୋଷଣା କରିବାକୁ ଦାବି କରିଥିଲେ। ଯାଜପୁର ଜଳ ସଂପଦ ଡିଭିଜନରୁ ଭଦ୍ରକ ସୀମାକୁ ଅନ୍ତର କରିବାକୁ ଦାବି କରିଥିଲେ। ମାତ୍ର ରାଜ୍ୟ ଜଳ ସଂପଦ ବିଭାଗ ଏ ଦିଗରେ କର୍ଣ୍ଣପାତ କଲେ ନାହିଁ। ଏଇ ନଦୀର ଭଣ୍ଡାରିପୋଖରୀ ସୀମାରୁ କଂକ୍ରିଟ୍ ୱାଲ ନିର୍ମାଣ କରାଯାଇ ଧାମନଗର ଓ ଚାନ୍ଦବାଲି ସୀମାର ଆରଡି ପର୍ଯ୍ୟନ୍ତ ୱାଲ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି। ବୈତରଣୀ ନଦୀର ଧାମନଗର ବ୍ଲକର ଗାନ୍ଧୀଘାଟ, ହସନାବଦ, ସାହୁସାହି, ସାଆଁଳପର, ବେତାରିଗାଁ, ଧୂଷୁରୀ ଦେଇ ଯେଉଁ ନଦୀବନ୍ଧ ସୁନ୍ଦରପୁର ଅର୍ଥାତ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ସୀମା ଛୁଇଁଛି। ଏଇ ବନ୍ଧ କାମ ପ୍ରତିବର୍ଷ କରାଯାଉଥିବା ବେଳେ ଏହି କାମର ମାନ ନିମ୍ନମାନର ହେଉଛି।ଯେଉଁଥି ପାଇଁ କେତେକ ସ୍ଥାନରେ ନଦୀବନ୍ଧ ବର୍ଷାଦିନେ ଭୁଷୁଡି ପଡୁଛି। ସେହିପରି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଉଦ୍ୟମରେ ସାଳନ୍ଦୀ ନଦୀର ସାଲାଇନ୍ ବନ୍ଧ ନିର୍ମାଣ ପାଇଁ ୮ କୋଟି ୪୦ ଲକ୍ଷ ଟଙ୍କା ଆସିଥିଲା। ଏଇ ଅନୁଦାନରେ ବୋଡକରୁ ତିନିତର ବନ୍ଧ ଓ ତିନିତରରୁ ଆରଡି-ନାନ୍ଦପୁର ପର୍ଯ୍ୟନ୍ତ ସାଳନ୍ଦୀ ସାଲାଇନ୍ ନଦୀବନ୍ଧ କାମ ହୋଇଛି। ଏଇ ମାଟିକାମ ଓ ପଥର ପେକିଂ କାର୍ଯ୍ୟ ନିମ୍ନମାନର ହୋଇଥିବା ବେଳେ ଠିକାଦାର ଓ ବୈତରଣୀ ଜଳ ସଂପଦ ବିଭାଗ ଯନ୍ତ୍ରୀଙ୍କ ମନମାନିରେ କାମ ହୋଇଛି। ଏଠାରେ ବ୍ୟାପକ ଅର୍ଥ ବାଟମାରଣା କରାଯାଇଛି। ପିସି ଖାଇ ବୈତରଣୀ ଡିଭିଜନର ଯନ୍ତ୍ରୀ ମାଲେମାଲ ହୋଇଛନ୍ତି। ସେହିପରି ଧାମନଗରର ପୂର୍ବତନ ବିଧାୟକ ମୁକ୍ତି ମଣ୍ଡଳଙ୍କ ଉଦ୍ୟମରେ ବୈତରଣୀ ବାମ ବନ୍ଧର ସୁଦୃଢୀକରଣ ପାଇଁ ବହୁ ଅନୁଦାନ ଆସିଥିଲା। ଯାହାକୁ ବୈତରଣୀ ଡିଭିଜନ୍ ଲୁଟି ଖାଇଛି।

publive-image commons.wikimedia.org

ବନ୍ଧ କାମ ହେଉଛି। ପୁଣି ମାଟି ଅତଡା ଖସୁଛି। ନଦୀବନ୍ଧ ଭୁସୁଡି ପଡୁଛି। ବୈତରଣୀର ଷାଠିବାଙ୍କୁଡାରୁ ବୋଡକ ନଦୀବନ୍ଧ ରାସ୍ତା ପାର୍ଶ୍ବରେ ଯାଜପୁର କୁଆଖିଆରୁ ଜୟନଗର ଘାଟ ଦେଇ ଆସିଛି ଏନଏଚ-୧୬। ଏନଏଚ-୧୬ର ରାସ୍ତାରେ ଅନେକ ସମୟରେ ଭୂସ୍ଖଳନ ହେଉଛି। ଷାଠିବାଙ୍କୁଡାଠାରେ ନଦୀର ୟୁଟର୍ଣ୍ଣ ହେଉଥିବାରୁ ଏଠାରେ ଭୂସ୍ଖଳନ ହେଉଥିବା ବିଶେଷଜ୍ଞମାନେ ମତ ଦେଉଥିବା ବେଳେ ଏହାର ଏପର୍ଯ୍ୟନ୍ତ ସ୍ଥାୟୀ ପ୍ରତିକାର କରାଯାଉ ନାହିଁ। ସେହିପରି ବୈତରଣୀ ନଦୀର ଆଖୁଆପଦାଠାରୁ ସେଣ୍ଢପୁର ଘାଟ ପର୍ଯ୍ୟନ୍ତ ଯେଉଁ କାମ ନଦୀବନ୍ଧରେ ହୋଇଛି, ତାହା ମଧ୍ୟ ସୁଦୃଢ ନଦୀବନ୍ଧ ନୁହେଁ। ଏଠାରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି। ଭଦ୍ରକର ବେତରଣୀ ବାମପର୍ଶ୍ବ ନଦୀବନ୍ଧ ଯାଜପୁର ବୈତରଣୀ ଡିଭିଜନ ଅଧିନରେ ରହୁଛି। ଯାଜପୁର ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭଦ୍ରକ ସୀମାର ଅନୁଦାନ ଟଙ୍କାକୁ ଲୁଟି ଶେଷକରି ଦେଉଛନ୍ତି। ଯେଉଁଥି ପାଇଁ ଭଦ୍ରକ ସୀମାରେ କାର୍ଯ୍ୟ ନିମ୍ନମାନର ହେଉଛି। ଭଦ୍ରକର ବିଧାୟକମାନେ ଅତୀତରେ ବୈତରଣୀର ଭଦ୍ରକ ସୀମାରେ ଥିବା ନଦୀବନ୍ଧ ପାଇଁ ଏକ ସ୍ବତନ୍ତ୍ର ଡିଭିଜନ ଭଦ୍ରକ ଜିଲ୍ଲାରେ ଖୋଲାଯିବାକୁ ଦାବି କରିଥିବା ବେଳେ ଏ ଦାବିକୁ ମଧ୍ୟ ରାଜ୍ୟ ସରକାର ଗ୍ରହଣ କରି ନାହାନ୍ତି। ଭଦ୍ରକ ଜଳ ସଂପଦ ବିଭାଗ ଅଧୀନରେ ବୈତରଣୀ ନଦୀବନ୍ଧ ଯୋଜନା ନଥିବାରୁ ଏଇ ବିଭାଗ ଭଦ୍ରକ ଜିଲ୍ଲାକୁ ସବୁକ୍ଷେତ୍ରରେ ଅଣଦେଖା କରୁଛି। ଏଇ ଡିଭିଜନ ଅଫିସକୁ ଭଦ୍ରକକୁ ଉଠାଇ ଆଣିବା ପାଇଁ ବିଭିନ୍ନ ସାମାଜିକ ସଂଗଠନ ଦାବି ଉଠାଇଛନ୍ତି। ଡିଭିଜନ ଅଫିସ୍ ଭଦ୍ରକରେ ହେଲେ ବୈତରଣୀର ଭଦ୍ରକ ବାମ ପାର୍ଶ୍ବ ସୀମା କ୍ୟାପିଟାଲ ଆମ୍ବାକମେଣ୍ଟ ହେବାକୁ ଆଉ ପ୍ରତିବନ୍ଧକ ରହିବ ନାହିଁ। କେବଳ ସେତିକି ନୁହେଁ, ଏଇ ନଦୀବନ୍ଧକୁ ମଧ୍ୟ କେନ୍ଦୁଝର ସୀମାରୁ ମଂଜୁରୀରୋଡ ଦେଇ ଆରଡି ସୀମା ପର୍ଯ୍ୟନ୍ତ ରିଂରୋଡ କରାଯାଇ ପାରିବ। ଯେଉଁ ରିଂରୋଡ ଦେଇ କେନ୍ଦୁଝର ଓ ଯାଜପୁର ଜିଲ୍ଲାର ଲୋକମାନେ ସହଜରେ ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠକୁ ଆସିପାରିବେ। ଏପରିକି ଅନ୍ୟ ରାଜ୍ୟ ଓ ଜିଲ୍ଲାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏଇ ରାସ୍ତାରେ ଯାତାୟତ କରିବା ପାଇଁ ଏକ ସୁଗମ ସଡକପଥ ସୃଷ୍ଟି ହୋଇପାରିବ। ଏଥିପାଇଁ ଏକ ବୃହତ୍ତ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ଏବେ ଧାମନଗରର ବିଧାୟକ ଅଛନ୍ତି ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ। ବୈତରଣୀର ବାମପାର୍ଶ୍ବ ନଦୀବନ୍ଧ କ୍ୟାପିଟାଲ ଆମ୍ବାକମେଣ୍ଟ କରିବାକୁ ବିଷ୍ଣୁ ବିଧାନସଭାରେ ସ୍ୱର ଉଠାଇବେ କି! ନା ବିଜେଡି ବିଧାୟକଙ୍କ ଭଳି ଚୂପ୍ ରହିବେ! ତାହା ସମୟ କହିବ!