ବିପଦସଂକେତ ଉପରେ ବୈତରଣୀ : ଯାଜପୁରରେ ୩୫୦ ହେକ୍ଟର ଜମି ଜଳମଗ୍ନ

ଯାଜପୁର/ ଟାଉନ/ଦଶରଥପୁର : ବୈତରଣୀ ଉପର ମୁଣ୍ଡରେ ବର୍ଷା କମିଥିଲେ ମଧ୍ୟ ତଳମୁଣ୍ଡରେ ଥିବା ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଦୁଇ ଦିନ ଧରି କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ପରେ ବୈତରଣୀ ନଦୀର ବନ୍ୟା ପାଣି ଆଜି ତଳମୁଣ୍ଡକୁ ଛୁଇଁଛି। ଆଖୁଆପଦାଠାରେ ଆଜି ବୈତରଣୀ ବିପଦସଂକେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦସଂକେତ ୧୭.୮୩ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୭.୮୭ମିଟର ରହିଥିବା ଜଳସଂପଦ ବିଭାଗ ସୂତ୍ରରୁ ଜଣାପଡ଼ିଛି। ପ୍ରବଳ ବନ୍ୟା ଆଶଙ୍କାରେ ତଳିଆ ଅଧିବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଶେଷ କରି ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ପାଖାପାଖି ୩୫୦ରୁ ଅଧିକ ହେକ୍ଟର ଜମି ଏବେ ଜଳମଗ୍ନ। ଧାନ ଫସଲ ଉଜୁଡ଼ିଯିବା ସ୍ଥିତିରେ ରହିଥିବାରୁ ଚାଷୀକୁଳ ଚିନ୍ତାରେ ପଡ଼ିଯାଇଛନ୍ତି।

ଦଶରଥପୁରଠାରେ ବୈତରଣୀ ଜଳସ୍ତର ବିପଦ ସଂକେତ ଠାରୁ ଢ଼େର ଅଧିକ ରହିଛି। ଏଠାରେ ବିପଦ ସଂକେତ ୯.୫୨ମିଟର ରହିଥିବାବେଳେ ସୋମବାର ୬ଟା ସୁଦ୍ଧା ୧୦.୧୦ ମିଟର ଉପରେ ଜଳ ପ୍ରବାହିତ ହେଉଛି। ସେହିପରି ବୈତରଣୀର ଶାଖା କାଣୀ ନଦୀର ୭.୫ ବିପଦ ସଂକେତ ରହିଥିବାବେଳେ ୮.୫୦ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । କାଣୀ ନଦୀରେ ଜଳସ୍ତର ଆହୁରି ବଢିବ ବୋଲି ଜଳସଂପଦ ଯନ୍ତ୍ରୀ ଭଗତ ବେହେରା ସୂଚନା ଦେଇଛନ୍ତି।

ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ବିଡିଓ ନିରାୟଣ ଚନ୍ଦ୍ର ନାୟକ, ତହସିଲଦାର ଜ୍ୟୋତିପ୍ରକାଶ ମହାନ୍ତି, ଜିଲ୍ଲା ବିପର୍ଯ୍ୟୟ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ପ୍ରମୁଖ ବିଭିନ୍ନ ନଦୀବନ୍ଧ ପରିସ୍ଥିତି ବୁଲି ଦେଖିବା ସହିତ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ମଲ୍ଲିକାପୁର-ପଲ୍ଲାସାହି ପୋଲ ସହ ମଲ୍ଲିକାପୁର, ଡୋଭାବିଲ ପାଟଣା, ପଞ୍ଚପଡା ଆଦି ସ୍ଥାନକୁ ଯାଇ ବନ୍ଧ ଦୁର୍ବଳତା ଦେଖିବା ସହ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ଜଳସଂପଦ ବିଭାଗ ଜେଇଙ୍କୁ ନିର୍ଦେଶ ଦେଇଥିଲେ।

ବନ୍ୟା ଆଶଙ୍କାରେ ନଦୀକୂଳ ବାସିନ୍ଦା

ଭଦ୍ରକ : ଗତ ଚାରି ଦିନର ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଜିଲ୍ଲାର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ବୈତରଣୀ ନଦୀର ଜଳ ଏହା ଉପରେ ପ୍ରବାହିତ ହେଉଛି। ଆଜି ସକାଳେ ଏହା ୧୭.୮୪ ମିଟର ଉପରେ ପ୍ରବାହିିତ ହୋଇଥିଲା। ଅପରାହ୍ନ ଦିନ ୩ଟା ବେଳେ ଜଳସ୍ତର ବୃଦ୍ଧି ପାଇ ୧୭.୮୫ରେ ପହଞ୍ଚିଥିବାବେଳେ ଅପରାହ୍ନ ୫ଟାରେ ୧୭.୯୦ ମିଟର ଛୁଇଁଥିଲା। ତେବେ ରାତି ଆଠଟା ବେଳେ ଏହି ଜଳସ୍ତର ୧୭.୯୭ ଛୁଇଁଛି। ଯେଉଁଭଳି ଭାବେ ବୈତରଣୀର ଜଳସ୍ତର ଯେମିତି କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି, ଆଜି ରାତି ୧୦ଟା ସୁଦ୍ଧା ବୈତରଣୀର ବନ୍ୟାଜଳ ଆଖୁଆପଦାଠାରେ ୧୮.୦୦ ମିଟର ଛୁଇଁଯିବ ବୋଲି ଜଳ ସଂପଦ ବିଭାଗ ଅନୁମାନ କରୁଛି। ବୈତରଣୀର ଏଭଳି ରୂପକୁ ଦେଖି ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ନଦୀକୂଳବାସୀ ଆତଙ୍କିତ ହୋଇ ପଡିଛନ୍ତି।

ବୈତରଣୀର ବନ୍ୟା ଜଳ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହୋଉଥିବାରୁ ଲୋକଙ୍କ ଆଖିରୁ ନିଦ ହଜିଯାଇଛି। ଆଜି ଉପର ମୁଣ୍ଡରେ ରାତିରେ ବର୍ଷା ଅଧିକ ହେଲେ ଭଦ୍ରକର ନଦୀକୂଳିଆଙ୍କ ଦୁଃଖ ଆହୁରି ବଢ଼ିଯିବ। ଅଧିକ ବର୍ଷା ହେଲେ ନଦୀର ଜଳସ୍ତର ବଢ଼ି ଦୁର୍ବଳ ନଦୀବନ୍ଧ ଭାଙ୍ଗିଯିବାର ଆଶଙ୍କା ରହିଛି। ଲଗାଣ ବର୍ଷାରେ ପରିବା ଚାଷ ନଷ୍ଟ ହୋଇଗଲାଣି। ବନ୍ୟା ଜଳ ପଶିଲେ, ପରିବା ଚାଷ ପୂରା ଉଜୁଡ଼ିଯିବ ବୋଲି କହିଛନ୍ତି ଶୋଳମପୁର, ମଣିନାଥପୁର, ମାଳଦା ଗ୍ରାମର ଚାଷୀ। ବିଶେଷ କରି ବୈତରଣୀ ନଦୀବନ୍ଧ ଭାଙ୍ଗିଲେ ଏହାର ବନ୍ୟାଜଳ ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକକୁ ବିଶେଷ ଭାବେ କ୍ଷତି ପହଞ୍ଚାଇବ। ତେଣୁ ସମ୍ଭାବ୍ୟ ବନ୍ୟାକୁ ଆଖି ଆଗରେ ରଖି ଦୁର୍ବଳ ନଦୀବନ୍ଧଗୁଡ଼ିକର ସୁରକ୍ଷା ପାଇଁ ପ୍ରଶାସନ ସଜାଗ ରହିବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର