କେନ୍ଦୁଝରରେ ବୈତରଣୀ ବଞ୍ଚାଅ ସମ୍ମିଳନୀ: ବୈତରଣୀର ସୁରକ୍ଷା ପାଇଁ ବ୍ୟାପକ ହେବ ଆନ୍ଦୋଳନ

ରାଜ୍ୟପାଳ, ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ ପାଇଁ ନିଷ୍ପତ୍ତି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଜୀବନରେଖା ବୈତରଣୀ ସମେତ ଏହାର ଏକାଧିକ ଉପନଦୀ ବିପଦରେ। ନଦୀ ଗୁଡ଼ିକର ସୁରକ୍ଷା ପାଇଁ ଆଜି ଆନ୍ଦୋଳନର ମୂଳଦୂଆ ପଡ଼ିଛି। କେନ୍ଦୁଝର ରୋଟାରି ଭବନରେ ବୈତରଣୀ ବଞ୍ଚାଅ ସମ୍ମିଳନୀ ଆୟୋଜନ କରାଯିବା ସହ ବୈତରଣୀର ସୁରକ୍ଷା ପାଇଁ ଆନ୍ଦୋଳନ ଏବଂ ନ୍ୟାୟିକ ଲଢ଼େଇ ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କୁ ୧୦ ହଜାର ଦସ୍ତଖତ ସମ୍ବଳିତ ଦାବିପତ୍ର ପଠାଯିବାକୁ ନିଷ୍ପତ୍ତି ହୋଇଛି।

ରୋଟାରି ଭବନରେ ଆୟୋଜିତ ବୈତରଣୀ ବଞ୍ଚାଅ ସମ୍ମିଳନୀରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ବ୍ୟାପକ ଖଣି ଖନନ ଏବଂ ଶିଳ୍ପନୁଷ୍ଠାନ ଗୁଡ଼ିକର ଆବର୍ଜନା ଯୋଗୁଁ ବୈତରଣୀ ଏବଂ ଏହାର ଶାଖା ନଦୀ ଗୁଡ଼ିକ କିଭଳି ପ୍ରଭାବିତ ହେଉଛନ୍ତି ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଶିଳ୍ପ ଏବଂ ଖଣି ପାଇଁ ନଦୀ ଗୁଡ଼ିକ ଅପମୃତ୍ୟୁ ଆଡ଼କୁ ମୁହାଁଉଛନ୍ତି। ସୁରକ୍ଷା ପାଇଁ ଏକାଧିକ ପ୍ରସ୍ତାବ ସମ୍ମିଳନୀରେ ଗୃହୀତ ହୋଇଛି। ବୈତରଣୀ ନଦୀର ପାଣିକୁ ବର୍ତ୍ତମାନ ବିଭିନ୍ନ କମ୍ପାନିମାନେ ସ୍ଲରି ପାଇପ୍‌ଲାଇନ୍ ଯୋଗେ ଲୁହାପଥର ଗୁଣ୍ଡ ପରିବହନ ପାଇଁ ବ୍ୟବହାର କରୁଛନ୍ତି ବା କରିବାକୁ ଯାଉଛନ୍ତି। ଏହା ରାଜ୍ୟ ଜଳନୀତିର ବିରୋଧୀ। ନଦୀପାଣି ପ୍ରଥମେ ମଣିଷ ଓ ଜୀବଜଗତଙ୍କ ବ୍ୟବହାର ପାଇଁ। ପରେ ଚାଷ ଏବଂ ପର୍ଯ୍ୟାବରଣର ଆବଶ୍ୟକତା ମେଣ୍ଟେଇବା ପାଇଁ ଉଦ୍ଦିଷ୍ଟ। ଏସବୁ ପରେ ଶିଳ୍ପସଂସ୍ଥାମାନେ ନଦୀଜଳକୁ ବ୍ୟବହାର କରି‌ପାରିବେ ବୋଲି ଜଳନୀତିରେ ସ୍ପଷ୍ଟ ନିର୍ଦେଶ ରହିଛି। ମାତ୍ର ବୈତରଣୀ କ୍ଷେତ୍ରରେ ଏହାକୁ ଅବମାନନା କରାଯାଇଛି। ଏହାକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି। ସେହିପରି ବୈତରଣୀ, ଏହାର ଶାଖା ଏବଂ ଉପନଦୀ ଗୁଡ଼ିକ ପ୍ରଦୂଷିତ ହେଉଛି। ଏହା ସମସ୍ତଙ୍କୁ ମର୍ମାହତ କରୁଛି। ବ୍ୟାପକ ଖଣି ଖନନ ସାଙ୍ଗକୁ ଶିଳ୍ପସଂସ୍ଥା ଗୁଡ଼ିକ ମନଇଚ୍ଛା ଦୂଷିତ ଜଳକୁ ନଦୀକୁ ଛାଡ଼ୁଛନ୍ତି। ସହରର ଆବର୍ଜନା ମଧ୍ୟ ନଦୀଗର୍ଭକୁ ଯାଉଛି। ନଦୀଜଳକୁ ପ୍ରଦୂଷିତ କରୁଥିବା ଶିଳ୍ପସଂସ୍ଥା ଓ ଖଣି କମ୍ପାନି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ସେହିପରି ବୈତରଣୀ ଓ ଏହାର ଉପନଦୀ ଗୁଡ଼ିକ ବାଲି ଓ ଇଟାଭାଟି ମାଫିଆଙ୍କ କବ୍‌ଜାରେ ରହିଛି। ଏହାକୁ ମୁକ୍ତ କରିବା ପାଇଁ ଦାବି କରାଯାଇଛି। ଏହାଛଡ଼ା ସମ୍ମିଳନୀରେ କାନପୁର ଜଳସେଚନ ପ୍ରକଳ୍ପ ସଂପର୍କରେ ମଧ୍ୟ ବ୍ୟାପକ ଆଲୋଚନା ହୋଇଥିଲା। ୪୩ ବର୍ଷ ତଳେ କାନପୁର ପ୍ରକଳ୍ପ ଆରମ୍ଭ ହେବା ସମୟରେ ଏହାର ପାଣି ଚାଷୀଙ୍କ କ୍ଷେତକୁ ଦେବା ପାଇଁ ଉଦ୍ଦିଷ୍ଟ ଥିଲା। ମାତ୍ର ଏବେ ଜଳଭଣ୍ଡାରର ପାଣି ଶିଳ୍ପସ୍ଥଂସ୍ଥାଙ୍କୁ ଦେବାପାଇଁ ଯୋଜନା ଚାଲିଛି। ଏଥିରୁ ସରକାର ନିବୃତ୍ତ ରହିବାକୁ ଚେତାବନୀ ଦିଆଯାଇଛି। କାନପୁର ଜଳଭଣ୍ଡାରର ପାଣି କେବଳ ଚାଷୀଙ୍କ ବ୍ୟବହାର ପାଇଁ ରଖାଯାଉ ବୋଲି ଦାବି କରାଯାଇଛି। ସେହିପରି ନଦୀ ଗୁଡ଼ିକର ସୁରକ୍ଷା ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରି ସେହି ଅନୁସାରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସମ୍ମିଳନୀରେ ପ୍ରସ୍ତାବ ଦିଆଯାଇଛି।

ଏହି ସମ୍ମିଳନୀରେ ବିପ୍ଳବ ମିଶ୍ର ସଭାପତିତ୍ବ କରିଥିଲେ। ମଳୟ ମହାପାତ୍ର ସ୍ଵାଗତ ଭାଷଣ ଦେଇଥିବା ବେଳେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଉପସ୍ଥିତ ଥିଲେ। ଇଣ୍ଡିଆନ୍ ପେନିନସୁଲର ରିଭର୍ କାଉନସିଲର ଆବାହକ ଡ. ସ୍ନେହଲ ଦୁଣ୍ଡେ ନଦୀ ଉପରେ ବ୍ୟାପକ ସଚେତନତା ସହ ସୃଜନାତ୍ମକ ଢଙ୍ଗରେ କାର୍ଯ୍ୟ କରି ଏହାର ସୁରକ୍ଷା କରିବାକୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହିଂମାଶୁ କୁଅଁର, ଡ. ବିମ୍ବାଧର ବେହେରା, ଅଶୋକ ଠକ୍କର, ବିଜୟ ପ୍ରଧାନ, ପ୍ରଦ୍ୟୁମ୍ନ ଦାସ, କମଳାକାନ୍ତ ଦାସ, ପ୍ରତାପ ପାଢ଼ୀ, ଅମ୍ବିକା ଦାସ, ସନ୍ଦୀପ ପଟ୍ଟନାୟକ, ବିରଜା ମିଶ୍ର, ସସ୍ମିତା ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଦିଲୀପ କୁମାର ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ଏ ସମ୍ପର୍କିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର