ଭଣ୍ଡାରିପୋଖରୀ-୧: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ସକାଳ ୧୦ରୁ ସନ୍ଧ୍ୟା ୫ଯାଏ ରାସ୍ତା ଘାଟ ଛକ ବଜାର ସବୁଠି ଜନଶୂନ୍ୟ। ପ୍ରବଳ ଗରମରେ ପାଣି ପାଇଁ ସବୁଠି ହାହାକାର। ନଳକୂପ ଓ ଗାଡ଼ିଆ ପୋଖରୀକୁ ଛାଡିଦେଲେ ନଦୀ ନାଳ ପାଣି ଏବେ ଲୋକଙ୍କ ସାହା ଭରସା। ମାତ୍ର ବଡ ବଡ ନଦୀ ଏବେ ଶୁଖିଲା ପଡିଛି। ନଦୀର ଗଭୀର ଗଣ୍ଡ ଓ ଆନିକଟରେ ବି ପାଣି ନାହିଁ।
ସୂଚନା ଅନୁସାରେ ଭଣ୍ଡାରିପୋଖରୀ ଦେଇ ଯାଇଥିବା ବୈତରଣୀ ନଦୀ ଉପରେ ଭଦ୍ରକ ଜିଲ୍ଲାର ଅର୍ଦ୍ଧାଧିକ ଅଞ୍ଚଳବାସୀ ନିର୍ଭର କରୁଥିବା ବେଳେ ତାହା ଏବେ ଶୁଖିଲା ପଡିଛି। ଚିରସ୍ରୋତା ବୈତରଣୀ ବନ୍ୟା ସମୟରେ ଯେତିକୁ ଦୁଃଖ ଦିଏ ବର୍ଷଯାକ ତା ଠାରୁ ଅଧିକ ଉପକାରରେ ଆସେ। ବର୍ଷ ଯାକ ଭଦ୍ରକ ଜିଲ୍ଲାର ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ଚାନ୍ଦବାଲି ଆଦି ୪/୫ଟି ବ୍ଲକବାସୀ ବୈତରଣୀର ଜଳରାଶିକୁ ବ୍ୟବହାର କରି ଜୀବନ ଜୀବିକା ନିର୍ବାହ କରନ୍ତି। ବୈତରଣୀର ଜଳ ବର୍ଷକ ବାରମାସ ବହୁଥିବା ଯୋଗୁ ନଦୀକୂଳିଆ ଲୋକେ ଚାଷବାସ ଠାରୁ ଆରମ୍ଭ କରି ମାଛ ମାରିବା ପର୍ଯ୍ୟନ୍ତ ସବୁକିଛି ନିର୍ଭର କରନ୍ତି। ଚିରସ୍ରୋତା ବୈତରଣୀ ପାଇଁ ନଦୀକୂଳିଆ ଅଞ୍ଚଳ ସବୁଜିମାମୟ ହୋଇଥାଏ। ବୈତରଣୀର ନୀଳ ଜଳରାଶିକୁ ଉତ୍ତୋଳନ କରାଯାଇ ଭଦ୍ରକ ସହରବାସୀ ପିଇବା ପାଣି ପାଉଛନ୍ତି। ମାତ୍ର ଗତ କିଛି ବର୍ଷ ହେଲା ଚିରସ୍ରୋତା ବୈତରଣୀ ଶୁଖିଲା ପଡୁଛି। ସବୁଜିମାମୟ ହେବା ତ ଦୂରର କଥା ଲୋକେ ପାଣି ମୁନ୍ଦାଏ ପାଉନାହାନ୍ତି।
ନଦୀର ଆଖୁଆପଦା ଆନିକଟ ଦକ୍ଷିଣପାର୍ଶ୍ୱ ଯାଜପୁର ଜିଲ୍ଲାର ରୁଢ଼ିଆ ରହିଥିବା ବେଳେ ନିକଟରେ ନିର୍ମାଣ ହୋଇଛି ବୁଢା ଆନିକଟ। ବୁଢ଼ା ଆନିକଟରେ ମାଳଆନନ୍ଦପୁର ଓ ରୁଢ଼ିଆ ପାର୍ଶ୍ୱକୁ ଦୁଇ ଗୋଟି ଗେଟ ସଦାସର୍ବଦା ଖୋଲା ରହିଥିବାରୁ ବୈତରଣୀର ଜଳ ସିଧାସଳଖ ଯାଜପୁର ଜିଲ୍ଲାକୁ ଚାଲିଯାଉଛି। ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଆଖୁଆପଦା ଜଳସମ୍ପଦ ବିଭାଗ ଏହା ଜାଣି ସୁଦ୍ଧା ଚୁପ ରହିଛନ୍ତି। ଲିଙ୍ଗେଶ୍ୱର ଠାରୁ ଝୁଟଣା ଯାଏ ବାଲି ମାଫିଆମାନେ ବୈତରଣୀକୁ କବ୍ଜା କରିଥିବା ବେଳେ ବାଲି ଉତ୍ତୋଳନ ସୁବିଧା ପାଇଁ ବୁଢ଼ାନଈ ଆନିକଟ କବାଟକୁ ଖୋଲା ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନାଲିଆଖି ଦେଖାଉଛନ୍ତି।
ଆଖୁଆପଦା ବ୍ରିଜ ଠାରୁ ମାଳ ଆନନ୍ଦପୁର ଗେଟ ପାଖକୁ ପାଣି ଯାଉଥିବା ବେଳେ ଭଦ୍ରକ ଜିଲ୍ଲା ପଟ ଆଖୁଆପଦା ଆନିକଟକୁ ମୁନ୍ଦାଏ ବି ପାଣି ଆସି ପାରୁନାହିଁ। ଫଳରେ ଆନିକଟ ସଂଯୁକ୍ତ ୩ନଂ ମୁଖ୍ୟ କେନାଲ ଏବେ ଶୁଖିଲା ପଡିଥିବା ବେଳେ ଭଦ୍ରକ ସମେତ ଭଣ୍ଡାରିପୋଖରୀ, ଧାମନଗର ଓ ବନ୍ତ ବ୍ଲକର ଲକ୍ଷ ଲକ୍ଷ ଜନସାଧାରଣ ବୈତରଣୀ ଜଳରୁ ବଞ୍ଚିତ ହେଉଛନ୍ତି। ପୂର୍ବରୁ ଆଖୁଆପଦା ଆନିକଟରେ ପାଣି ଗଚ୍ଛିତ ରଖାଯାଉଥିବା ବେଳେ ଗ୍ରୀଷ୍ମପ୍ରବାହ ସମୟରେ ଏହା କେନାଲ ଜରିଆରେ ଜନବସତିକୁ ଛଡ଼ାଯାଉଥିଲା। ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଥିବା ବେଳେ ସରକାରୀ ଅଧିକାରୀମାନେ ଆଉ ଏଥିପ୍ରତି ଦୃଷ୍ଟି ନ ଦେଇ ବାଲି ମାଫିଆଙ୍କ ସ୍ବାର୍ଥ ପାଇଁ ମନମୁଖୀ କାର୍ଯ୍ୟ କରୁଛନ୍ତି। ଫଳରେ ଯାଜପୁର ଜିଲ୍ଲାବାସୀ ବୈତରଣୀ ପାଣି ପାଉଥିବା ବେଳେ ଭଦ୍ରକ ଜିଲ୍ଲାବାସୀ ଗ୍ରୀଷ୍ମ ପ୍ରବାହରେ ଡହଳ ବିକଳ ହେଉଥିଲେ ସୁଦ୍ଧା ବୈତରଣୀ ଜଳରୁ ବଞ୍ଚିତ ହେଉଛି। ସୁତରାଂ ଅପରପାର୍ଶ୍ୱ ଦୁଇ ଗେଟକୁ ଅର୍ଦ୍ଧାଧିକ ଅଂଶ ବନ୍ଦ କରି ଆଖୁଆପଦା ଆନିକଟ ଠାରେ ଜଳ ଗଚ୍ଛିତ କରିବା ବର୍ତ୍ତମାନ ସମୟରେ ଅପରିହାର୍ଯ୍ୟ ହୋଇପଡିଛି।
ଅନ୍ୟପକ୍ଷରେ ବନ୍ୟା ଦାଉରୁ ଯାଜପୁର ଜିଲ୍ଲାକୁ ରକ୍ଷା କରିବା ପାଇଁ ବୈତରଣୀର ଭଦ୍ରକ ପାର୍ଶ୍ବରେ ଜଳ ସମ୍ପଦ ବିଭାଗ ଅଧିକ ଏସ୍କେପ ରଖିବା ସହିତ ନଦୀବନ୍ଧକୁ ମରାମତି କରୁନଥିବା ବେଳେ ଖରାଦିନରେ ବୈତରଣୀର ଭଦ୍ରକ ପାର୍ଶ୍ବରୁ ସବୁ ପାଣି ଯାଜପୁର ପଟକୁ ବୋହିଯିବା ପାଇଁ ଜଳ ସମ୍ପଦ ବିଭାଗ ଚକ୍ରାନ୍ତ କରି ଆନିକଟ ଉପରେ ନଜର ଦେଉନାହିଁ। ଏଥିପ୍ରତି ମାନ୍ୟବର ସାଂସଦ, ବିଧାୟକ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି।