ଭୁବନେଶ୍ବର: ହେମୋଫିଲିଆ ରୋଗରେ ପୀଡ଼ିତ। ଏଥିଯୋଗୁଁ ଚାଲିବା ବି କଷ୍ଟକର। ରକ୍ତ ଜମାଟ ବାନ୍ଧି ଏଭଳି ଅବସ୍ଥା ହୁଏ ଯେ କେତେବେଳେ ସପ୍ତାହରେ ୨-୩ ଦିନ ଚାଲିବା, ବୁଲିବା, ଏପରିକି ଗୋଟିଏ ମୁହୂର୍ତ୍ତ ଛିଡ଼ାହେବା ମଧ୍ୟ ଅସମ୍ଭବ ହୋଇପଡ଼େ। ମାଟ୍ରିକ ପରୀକ୍ଷାରେ ସ୍ଥିତି ଏଭଳି ଅବସ୍ଥା ହୋଇଥିଲା ଯେ ସେ ବସି ମଧ୍ୟ ପାରୁନଥିଲେ। ସ୍ବତନ୍ତ୍ର ଅନୁମତି ନେଇ ଶୋଇ ଶୋଇ ପରୀକ୍ଷା ଦେଇ ୮୦.୫ ପ୍ରତିଶତ ନମ୍ବର ରଖିଥିଲେ। ଏହି ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ଇଞ୍ଜିନିୟରିଂ ପଢ଼ାରେ ସେ ଗୋଟିଏ ବର୍ଷ ପଛରେ ପଡ଼ି ଯାଇଥିଲେ। ଗୋଟିଏ ନୁହେଁ, ଏକାଧିକ ଶାରୀରିକ ଅକ୍ଷମତାରେ ପୀଡ଼ିତ ଥାଇ ମଧ୍ୟ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର ଅଣସଂରକ୍ଷିତ ବର୍ଗରେ ୧୭୨ ନମ୍ବର ରାଙ୍କ ରଖି ସଫଳତା ହାସଲ କରି ଉଦାହରଣ ହୋଇଛନ୍ତି ଏମ୍ସର କନିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରତୀକ ଶ୍ରୀଚନ୍ଦନ। ସୁଯୋଗ ମିଳିଲେ ଓଡ଼ିଶାର ସ୍ବାସ୍ଥ୍ୟ ଭିତ୍ତିଭୂମି ଉନ୍ନତି ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି।
ଜଟଣୀ ଅଧିବାସୀ ତଥା ରେଳବାଇ କର୍ମଚାରୀ ରମେଶ ଓ ଗୃହିଣୀ ପ୍ରତିଭା ଶ୍ରୀଚନ୍ଦନଙ୍କ ଏକମାତ୍ର ପୁଅ ପ୍ରତୀକ। ଜନ୍ମ ସମୟରୁ ହିଁ ତାଙ୍କର ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ରହୁଥିଲା। କିନ୍ତୁ ସେ ଯେ ହେମୋଫିଲିଆ ଭଳି କ୍ବଚିତ ଦେଖାଯାଉଥିବା ରୋଗରେ ପୀଡ଼ିତ ଥିବେ, କେହି ଚିନ୍ତା ମଧ୍ୟ କରିନଥିଲେ। ପ୍ରତୀକଙ୍କୁ ମାତ୍ର ୮ ବର୍ଷ ହୋଇଥିବାବେଳେ ତାଙ୍କ ଠାରେ ଏହା ଚିହ୍ନଟ ହୋଇଥିଲା। ସେତେବେଳେ କିନ୍ତୁ ଆଜି ଭଳି ଚିକିତ୍ସା କିମ୍ବା ଇଞ୍ଜେକସନର ସୁବିଧାନଥିଲା। ନିଜ ଖର୍ଚରେ ସପ୍ତାହରେ କିମ୍ବା ମାସକୁ ବାରମ୍ବାର ଡାକ୍ତରଖାନା ଯାଇ ପ୍ଲାଜମା ନେବାକୁ ପଡ଼ୁଥିଲା। ଗୋଡ଼ଗଣ୍ଠିରେ ବାରମ୍ବାର ରକ୍ତସ୍ରାବ ହେଉଥିଲା। ଶେଷରେ ସ୍ଥିତି ଏଭଳି ହୋଇଥିଲା ଯେ ଉପଯୁକ୍ତ ଚିକିତ୍ସା ଅଭାବ ଯୋଗୁଁ ଚାଲିବା ଶକ୍ତି ମଧ୍ୟ ଏକପ୍ରକାର ହରାଇଥିଲେ ସେ। ପ୍ରତୀକ କହନ୍ତି, ବିଭିନ୍ନ ବର୍ଗର ଲୋକଙ୍କର ଏହି ରୋଗକୁ ନେଇ ଲମ୍ବା ଲଢେଇ ପରେ ୨୦୧୩ ମସିହାରେ ସରକାରଙ୍କ ପକ୍ଷରୁ ମାଗଣା ଇଞ୍ଜେକସନ ବ୍ୟବସ୍ଥା କରାଗଲା। ତାହା ବର୍ତ୍ତମାନ ବରଦାନ ସାବ୍ୟସ୍ତ ହୋଇଛି। ତା’ପରେ ରକ୍ତ ଜମାଟ ବାନ୍ଧିଲେ ରକ୍ତ ନେବା ପରିବର୍ତ୍ତେ ଇଞ୍ଜେକସନ ନେବାକୁ ହେଲା। କିନ୍ତୁ ଏହା ମଧ୍ୟ ସହଜରେ ଉପଲବ୍ଧ ହୁଏ ନାହିଁ। ଆବଶ୍ୟକ ସମୟରେ ଇଞ୍ଜେକସନ ଦିଆଯାଇ ନପାରିଲେ ଅବସ୍ଥା ଜଟିଳ ହୋଇପଡ଼େ। ପୂର୍ବରୁ ଏହି ବ୍ୟୟବହୁଳ ଇଞ୍ଜେକସନ ବାପାଙ୍କୁ ଖର୍ଚ କରିବାକୁ ପଡ଼ୁଥିଲା। କିନ୍ତୁ ପରେ ହେମୋଫିଲିଆ ସୋସାଇଟି ଏଥିପାଇଁ ସହଯୋଗ କରିଥିଲେ। ଏତେ ସ୍ବାସ୍ଥ୍ୟଗତ ସମସ୍ୟା ଥାଇ ମଧ୍ୟ ପ୍ରତୀକ କିନ୍ତୁ ପଢିବାରେ କେବେ ପଛଘୁଞ୍ଚା ଦେଇ ନାହାନ୍ତି। ଯୁକ୍ତଦୁଇ ପରେ ଓୟୁଟିଆରରେ ବିଟେକ ଓ ଏମଟେକ୍ରେ ଅତି ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।
ଏହି ସଫଳତା ପାଇଁ ନିଜ ପରିବାର ସହିତ ସ୍କୁଲ ଓ କଲେଜର ବନ୍ଧୁମାନଙ୍କୁ ସେ ଶ୍ରେୟ ଦିଅନ୍ତି। ପ୍ରତୀକ କହନ୍ତି, ଅସୁସ୍ଥତା ଯୋଗୁଁ ଅଧିକାଂଶ ସମୟରେ ସେ କ୍ଲାସ ଯାଇ ପାରୁ ନଥିଲେ। ହେଲେ ସାଙ୍ଗମାନେ ସବୁ ପ୍ରକାର ସହଯୋଗ କରିଛନ୍ତି। ଇଞ୍ଜିନିୟରିଂ ପଢ଼ା ପରେ ପ୍ରତୀକ ଖୋର୍ଧା ସ୍ଥିତ ପରିସଂଖ୍ୟନ କ୍ଷେତ୍ର କାର୍ଯ୍ୟାଳୟ ଏବଂ ଜଟଣୀ ସ୍ଥିତ ଭିନ୍ନକ୍ଷମ ପ୍ରଶିକ୍ଷଣ କାର୍ଯ୍ୟାଳୟରେ ଚାକିରି ପରେ ୨୦୧୯ ମସିହାରେ ଏମ୍ସରେ କନିଷ୍ଠ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟାରମ୍ଭ କରିଥିଲେ। ଏଠାରେ ଚାକିରି ସମୟରେ ହିଁ ତାଙ୍କ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ତାଙ୍କର ଚାଲିବା ସମସ୍ୟାର ପ୍ରାୟତଃ ସମାଧାନ ହୋଇଯାଇଥିଲା। ଆଜି ସେ ସଫଳତାର ସହିତ ଏମ୍ସର ଜଣେ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ ମଧ୍ୟ ସେ ସର୍ବଦା ଅନୁଭବ କରୁଥିଲେ ଯେ ଲୋକଙ୍କ ସମସ୍ୟା ସମାଧାନ ପାଇଁ ନୀତି ନିର୍ଧାରଣର ଅଂଶବିଶେଷ ହେବା ଜରୁରି। ତେଣୁ ସେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ଚେଷ୍ଟା କରି ଆଜି ସଫଳ ହୋଇଛନ୍ତି। ଅଧ୍ୟବସାୟ ଓ ପରିଶ୍ରମ କଲେ ଯେକୌଣସି ସ୍ଥିତିର ମୁକାବିଲା କରିହେବ, ତା’ର ପ୍ରମାଣ ହେଉଛନ୍ତି ପ୍ରତୀକ।