ବଜ୍ରକାପ୍ତା ଚୋରା ଚାଲାଣ ଘଟଣା : ଏସ୍‌ଟିଏଫ୍‌ ଖୋଳତାଡ଼ ଆରମ୍ଭ, ଫେରାର ଅଭିଯୁକ୍ତଙ୍କ ଫଟୋ ଲାଗିଲା

କଟକ : ବଜ୍ରକାପ୍ତା ଚୋରାଚାଲାଣ ଘଟଣାର ତଦନ୍ତ ଆରମ୍ଭ କରି କ୍ରାଇମବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଶାଖା। ମଙ୍ଗଳବାର ଏସ୍‌ଟିଏଫ୍‌ ଡିଏସ୍‌ପି ବିଳାସିନୀ ନାଏକଙ୍କ ନେତୃତ୍ବରେ ୨ଜଣିଆ ଟିମ୍‌ ଆଠଗଡ ବନଖଣ୍ଡ କାର୍ଯ୍ୟାଳୟରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛନ୍ତି। ଏଥିସହ ବଜ୍ରକାପ୍ତା ଚୋରାଚାଲାଣ ସମ୍ପର୍କିତ ଜବତ୍‌ ଭିଡିଓ, ବିଭିନ୍ନ ସାଙ୍କେତିକ ଚିହ୍ନର ଯାଞ୍ଚ କରିବା ସହ ତଦନ୍ତରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଆଠଗଡ ଡିଏଫ୍‌ଓ ସସ୍ମିତା ଲେଙ୍କାଙ୍କ ସହ ଆଲୋଚନା କରିଛନ୍ତି।

ସୂଚନା ଅନୁସାରେ, ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ଗିରଫଙ୍କ ସଂଖ୍ୟା ଆଜି ୧୬ରେ ପହଞ୍ଚିଥିବା ବେଳେ ଏହି ରୢାକେଟ୍‌ରେ ଆଠଗଡ, ଢେଙ୍କାନାଳ, ଚୌଦ୍ବାର, ନୟାଗଡ଼ ତଥା ଅନ୍ୟ କେତେକ ଅଞ୍ଚଳର ଲୋକେ ସଂପୃକ୍ତ ଥିବା ସୂଚନା ମିଳିଛି। ବର୍ଷ ବର୍ଷ ଧରି ସେମାନେ ଏହି ବେପାର ଚଳାଇଥିବା ବେଳେ କିଛିଦିନ ହେଲା ନୂଆ ଟେକ୍‌ନିକ୍‌ରେ ବେପାର ଆରମ୍ଭ କରିଥିଲେ। ହାତୀ ଦାନ୍ତ ବେପାର ବନ୍ଦ ହେବା ପରେ ମାଫିଆମାନେ ବଜ୍ରକାପ୍ତା ଚୋରାଚାଲାଣ ଆରମ୍ଭ କରିଥିଲେ। କିନ୍ତୁ ଅନଲାଇନ୍‌ ବେପାର ହିଁ ସେମାନଙ୍କୁ ଶେଷରେ ଧୋକାଦେଇ ଧରାଇଦେଲା। ବନ ବିଭାଗ ହାତରେ ଲାଗିଥିବା ତଥ୍ୟ ଅନୁସାରେ ବଛା ବଛା ୧୫ରୁ ୨୦ଟି ବଜ୍ରକାପ୍ତା ଚାଲାଣ ହୋଇ ସାରିଛି।

ବନ ବିଭାଗର ‘ଅପରେସନ୍‌ ପାଙ୍ଗୋଲିନ୍‌’ ଯୋଗୁଁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ବିଭାଗ ହାତରେ ଲାଗିଛି। ତେବେ ବିଦେଶୀ ମାଫିଆଙ୍କ ଫୋନ୍‌ ନମ୍ବର ସବୁ ବନବିଭାଗ ଓ ଡବ୍ଲୁସିସିବି ଟିମ୍‌ ହାତରେ ଲାଗିଥିବାବେଳେ ଗିରଫ ଅଭିଯୁକ୍ତମାନେ କେବଳ ମୋବାଇଲରେ ହିଁ ଚଳାଇଥିଲେ କାରବାର। କିନ୍ତୁ ମାଫିଆଙ୍କ ମୁହଁ ଦେଖି ନ ଥିଲେ। କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ଏହି କାରବାର ପଛରେ ରହିଥିବାବେଳେ ସେମାନେ ବନବିଭାଗ ପଞ୍ଝାରେ ପଡୁ ନାହାନ୍ତି। ବଜ୍ରକା‌ପ୍ତା ଚୋରାଚାଲାଣ ଘଟଣାର ତଦନ୍ତ ଆଠଗଡ ଡିଏଫ୍‌ଓ ସସ୍ମିତା ଲେଙ୍କା ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ଏହି ଘଟଣାର ତଦନ୍ତ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଓ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଆରମ୍ଭ କରିଛନ୍ତି। ତେବେ ଘଟଣାର ସମ୍ବେଦନଶୀଳ ଦିଗ ତଥା ରୢାକେଟ୍‌ର ଚେର ବିଦେଶଙ୍କୁ ଲମ୍ବିଥିବାରୁ ବଜ୍ରକାପ୍ତା ଓ ଏହାର ଚାଲାଣ ସଂପର୍କରେ ବନବିଭାଗକୁ ସୂଚନା ଦେଲେ ୧୦ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବାକୁ ଆଠଗଡ ବନଖଣ୍ଡ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ ସର୍ବସାଧାରଣ ସ୍ଥାନରେ ପୋଷ୍ଟର ମଧ୍ୟ ଲଗାଯାଇଛି। ଏହି ଘଟଣାରେ ବନବିଭାଗ ଅଭିଯୁକ୍ତଙ୍କୁ ଦୁଇଥର ରିମାଣ୍ଡରେ ଆଣି ତଦନ୍ତ କରିଥିବା ବେଳେ କିଙ୍ଗପିନ୍‌ ମାଧବ ଚନ୍ଦ୍ର ପାତ୍ରଙ୍କୁ ଗିରଫ କରି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି। ଏପରିକି ବଙ୍ଗଳା ଭାଷାରେ ଲେଖାଥିବା ଅନେକ ତଥ୍ୟ ମଧ୍ୟ ବନବିଭାଗ ହାତରେ ଲାଗିଛି। ଆଜି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଶାଖା ଘଟଣାର ତଦନ୍ତ ପାଇଁ ଆସିଥିଲେ ଓ ଜବତ୍‌ ହୋଇଥିବା ବିଭିନ୍ନ ତଥ୍ୟ ଅନୁଧ୍ୟାନ କରିବା ସହ ଆଲୋଚନା କରିଥିବା ନେଇ ଆଠଗଡ଼ ଡିଏଫ୍‌ଓ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର