ବଜ୍ରକାପ୍ତା ଚୋରାଚାଲାଣ ମାମଲା : କେଉଁ ଚାପରେ ଅଟକିଗଲା ତନାଘନା?

ପୁଣି ସକ୍ରିୟ ହେଉଛି ବଜ୍ରକାପ୍ତା ରାକେଟ୍‌, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ହାତ ବାନ୍ଧିଛି, ସବୁ ଜାଣିଛନ୍ତି, ତଥାପି ଚୁପ୍

ଭୁବନେଶ୍ୱର : ବିରଳ ବଜ୍ରକାପ୍ତା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବ ଏବେ ବନ୍ୟପ୍ରାଣୀ ବିଶେଷଜ୍ଞମାନଙ୍କୁ ବିସ୍ମିତ କଲାଣି। ଆଠଗଡ ସମେତ ରାଜ୍ୟର ଅଧା ଜିଲ୍ଲାରେ ବଜ୍ରକାପ୍ତା ଚୋରାଚାଲାଣ କରୁଥିବା ମାଫିଆ ଏବେ ବି ସକ୍ରିୟ ଅଛନ୍ତି। ଏହାସତ୍ତ୍ବେ ଆଠଗଡ଼ ଡିଭିଜନରେ ଆରମ୍ଭ ହୋଇଥିବା ଅପରେସନ୍ ହଠାତ୍ ଅଧାରେ କାହିଁକି ଅଟକିଗଲା? ମାଫିଆଙ୍କ ପାଇଁ ରାଜନୈତିକ ନେତା ଚାପ ପକାଇଲେ ନା ବନ ବିଭାଗର ଆଗ୍ରହ କମିଗଲା? ସର୍ବୋପରି ଅନ୍ୟ ଡିଏଫ୍ଓମାନେ ସେମାନଙ୍କ ଅଞ୍ଚଳରେ ସମାନ୍ତରାଳ ଭାବେ ତନାଘନା କରିବା ଲାଗି ପଛଘୁଞ୍ଚା ଦେବା ପଛର କାରଣ କଣ ହୋଇପାରେ, ତାହା ମଧ୍ୟ ବିଶେଷଜ୍ଞ ବୁଝିପାରୁନାହାନ୍ତି। ଏପଟେ ବିଲୁପ୍ତ ପ୍ରାୟ ଏହି ପ୍ରାଣୀ ସୁରକ୍ଷା ନେଇ ଏତେ ରିପୋର୍ଟ ପ୍ରକାଶ ପାଇଲା ପରେ ବି ରାଜ୍ୟ ସରକାରଙ୍କ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମୀକ୍ଷା କରିବା ଲାଗି ଥରୁଟିଏ ବୈଠକ ଡାକିନାହାନ୍ତି। ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ଡାକ୍ତର ମୋନା ଶର୍ମା ମଧ୍ୟ ଆଗ୍ରହ ଦେଖାଇଲା ଭଳି ଜଣାପଡ଼ୁ ନାହିଁ। ବନ୍ୟପ୍ରାଣୀ ମୁଖ୍ୟ ଚିଠି ଲେଖିବା ଛଡା ଏ ସଂକ୍ରାନ୍ତରେ ଯେଭଳି ପଦକ୍ଷେପ ନେବା କଥା ତାହା ମଧ୍ୟ ପରିଲକ୍ଷିତ ହେଉନାହିଁ।

ଏହି ରାକେଟ ସଂପର୍କରେ ‘ସମ୍ବାଦ’ରେ‌ ଖବର ପ୍ରକାଶ ପାଇବ‌ା ‌ପରେ ବନ ବିଭାଗ ଓ ପୋଲିସ ସକ୍ରିୟ ହୋଇଉଠିଥିଲା। ରାକେଟରେ ସଂପୃକ୍ତ ୧୭ ଜଣଙ୍କୁ ଗିରଫ କରିଥିଲା। ଏହାର ତନାଘନା ପାଇଁ କେନ୍ଦ୍ରୀୟ ଟିମ୍ ବି ଆସିଲା। କିନ୍ତୁ ଏମିତି କଣ ହେଲା ଯେ ହଠାତ୍ ସବୁ ଠପ୍ ହୋଇଗଲା। ଦେଶ ବିଦେଶ‌ର ମାଫିଆ ଜଡ଼ିତ ଥିବା ଏହି ବଜ୍ରକାପ୍ତା ରା‌କେଟରେ ହାତ ମାରିବାକୁ ଡରିଗଲେ କି?

ସୂଚନାଯୋଗ୍ୟ ଯେ ଏହି ଘଟଣାରେ ନିଜେ ଆଠଗଡ ଡିଏଫ୍ଓ ସସ୍ମିତା ଲେଙ୍କା, କେନ୍ଦ୍ରୀୟ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁେରା, କ୍ରାଇମବ୍ରାଞ୍ଚ ଏସଟିଏଫ୍ ତଦନ୍ତ ଦାୟିତ୍ବ ହାତକୁ ନେଇଛନ୍ତି। ହେଲେ ଆଠଗଡରେ ଆଉ କୋଳାହଳ ଶୁଭୁନି। ଗୋଟିଏ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ସେଠାରେ ଅପରେସନ୍ ଚାଲିଥିବା ଜାଣି ମାଫିଆମାନେ ନିକଟସ୍ଥ ସାତକୋଶିଆ ଆଦି ଅଞ୍ଚଳରେ ଲୁଚିଛନ୍ତି। ରାଜ୍ୟ ବନବିଭାଗର ମୁଖିଆମାନେ ବାକି ସବୁ ଜଙ୍ଗଲରେ ବଜ୍ରକାପ୍ତା ଅପରେସନ୍ କରିବା ଲାଗି ନିର୍ଦେଶ ଦେଉନାହାନ୍ତି କି ସଂପୃକ୍ତ ଡିଏଫ୍ଓମାନେ ଏହି େଚାରା କାରବାରରେ ପୂର୍ଣ୍ଣଛେଦ ଟାଣିବା ଲାଗି ନିଜ ଆଡୁ ଅପରେସନ୍ କରୁନାହାନ୍ତି। ଫଳରେ ମାଫିଆମାନେ ପୁଣି ସକ୍ରିୟ ହୋଇ ଉଠିଥିବାର ଖବର ମିଳିଛି।

ଓଡ଼ିଶାର ଅଧା ଜଙ୍ଗଲରେ ବଜ୍ରକାପ୍ତାଙ୍କ ଉପସ୍ଥିତି ରହିଛି। ମୟୂରଭଂଜ ଠାରୁ ଗଜପତି, ଦେବଗଡରୁ ମାଲକାନଗିରି, ଭୁବନେଶ୍ବର ଉପକଣ୍ଠ ଯାଏ ମାଫିଆ ସକ୍ରିୟ ଅଛନ୍ତି ବୋଲି ବନ ବିଭାଗ ବିଭିନ୍ନ ସମୟରେ ଧରିଥିବା ଶିକାରୀଙ୍କ ରେକର୍ଡ କହୁଛି। ଆହୁରି ଗୁରୁତ୍ବପୂର୍ଣ୍ଣ ହେଲା, ହାତୀ ଦାନ୍ତ କାରବାର ଉପରେ କଡ଼ା ପଦକ୍ଷେପ ନିଆଯିବା ପରେ ଏବେ ବଜ୍ରକାପ୍ତା ଶିକାରୀଙ୍କର ସହଜ ଟାର୍ଗେଟ ପାଲଟିଛି। ଲକ୍ଷ ଲକ୍ଷ ଟଙ୍କା ଏହା ବିନିମୟରେ ସେମାନେ ହାସଲ କରୁଛନ୍ତି।

କିନ୍ତୁ ବନ ବିଭାଗ ଅଧିକାରୀମାନେ ଏହି ବିରଳ ପ୍ରଜାତିର ପ୍ରାଣୀର ସୁରକ୍ଷା ନେଇ ଆଉ ସକ୍ରିୟ ନାହାନ୍ତି। ବନଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ବାବୁମାନେ ଥରୁଟିଏ ତଦନ୍ତ କରି େଫରିବା ପରେ ଆଉ ସେମାନଙ୍କର ଖୋଜ ଖବର ନାହିଁ। କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ ଅନୁରୂପ ଶୈଳୀରେ ଆରମ୍ଭ େହାଇଛି। ଏସଟିଏଫ୍ ତଦନ୍ତ ଆଠଗଡ଼ରୁ ତଥ୍ୟ ଆଣିବାେର ଅଟକିଯାଇଛି। କେଉଁ ଅଦୃଶ୍ୟ ଚାପରେ ଏହି ଟିମ୍ ସବୁ ହଜିଗଲେ କି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି।

ସବୁ ଜାଣିଛନ୍ତି, ତଥାପି ଚୁପ୍

୮୦ ନିୟୁତ ବର୍ଷ ଧରି ପୃଥିବୀ ପୃଷ୍ଠରେ ଚଲାବୁଲା କରୁଥିବା ପତଙ୍ଗଭୋଜି ଲାଜୁଆ ପ୍ରାଣୀ ବଜ୍ରକାପ୍ତା ଏବେ ଭୀଷଣ ଅସ୍ତିତ୍ବ ସଙ୍କଟ ଭିତରେ ଗତି କରୁଛି। ୨୦୧୬ ମସିହାରେ ପୃଥିବୀର ୧୮୦ଟି ଦେଶର ସରକାର ବଜ୍ରକାପ୍ତା ସୁରକ୍ଷା ଚୁକ୍ତିରେ ଦସ୍ତଖତ କରିଛନ୍ତି। ଏହା ସତ୍ତ୍ବେ ବଜ୍ରକାପ୍ତା ସର୍ବାଧିକ ବିପନ୍ନ ପ୍ରଜାତିର ସ୍ତନ୍ୟପ୍ରାୟୀ ପ୍ରାଣୀ, ଯାହାକୁ କି ଚୋରାଚାଲାଣ ପ୍ରସଙ୍ଗ ଏବେ ସମଗ୍ର ବିଶ୍ବର ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି। ଭାରତରୁ ବିଦେଶକୁ ଏହି ପ୍ରାଣୀ ବେଧଡକ ଭାବେ ରପ୍ତାନି େହଉଛି। ଓଡ଼ିଶା ଏ ମଧ୍ୟରେ ଏକ ପ୍ରମୁଖ ରାଜ୍ୟ।

ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ପାଖାପାଖି ଆଠ ବର୍ଷ ତଳୁ ବିଶ୍ବ ବଜ୍ରକାପ୍ତା ଦିବସ ପାଳନ କରାଯାଉଛି। କିନ୍ତୁ ଓଡ଼ିଶା ସରକାର ଏହି ଦିବସ ପାଳନ କରିବା ଲାଗି ଆଗ୍ରହ ଦେଖାଇନାହାନ୍ତି। ଏମାନଙ୍କର ସୁରକ୍ଷା ପାଇଁ ଏଯାଏ ପାଗ ଭିଡିନାହାନ୍ତି। ବାସ୍ତବରେ ଏମାନଙ୍କର ସଂଖ୍ୟା ଆମ ରାଜ୍ୟରେ କେତେ, ସେମାନେ କେଉଁ କେଉଁ ଜଙ୍ଗଲରେ ଅଧିକ ଅଛନ୍ତି, ଏକଥା ଜାଣିବା ଲାଗି ସେମାନଙ୍କର ଗଣନା ହେବା ଦରକାର, ଯେଉଁଥିପାଇଁ ସରକାରଙ୍କର ଆଗ୍ରହ ମଧ୍ୟ ନାହିଁ।

ଏକଥା ନୁହେଁ ଯେ ନିକଟରେ ଆଠଗଡରେ ବଜ୍ରକାପ୍ତା ଅପରେସନ୍ ପରେ ସରକାରଙ୍କ ଏମାନଙ୍କ ଉପସ୍ଥିତି କଥା ଜାଣିଲେ। ୨୦୧୫ ମସିହା ଜୁଲାଇ ମାସରେ ଗଞ୍ଜାମର ବୁଗୁଡାରୁ ସ୍ଥାନୀୟ ପୁଲିସ ୧୦ କେଜି ବଜ୍ରକାପ୍ତା କାତି ଜବତ କରିଥିଲେ। ପରବର୍ତୀ ସମୟରେ େଭାପାଳର ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁେରାର ଅଧିକାରୀମାନେ ଏଠାକୁ ଆସି ଚଢଉ କରି ଆଉ ୧ େକଜି ବଜ୍ରକାପ୍ତା କାତି ଓ ନଖ ଜବତ କରିଥିଲେ। ଅଧିକାରୀମାନେ ସେତେବେଳେ ଗଣମାଧ୍ୟମକୁ ସୂଚାଇଥିଲେ, ଦକ୍ଷିଣ ଓଡ଼ିଶାରେ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍ େକ୍ଷତ୍ରରେ ବ୍ରହ୍ମପୁରକୁ ଏକ କେନ୍ଦ୍ର ଭାବେ ବ୍ୟବହାର କରାଯାଉଛି। ଏହି ବାଟ ଦେଇ ବଜ୍ରକାପ୍ତା ଚୋରାଚାଲାଣ ହେଉଛି ହାଇଦ୍ରାବାଦ ପର୍ଯ୍ୟନ୍ତ, ତା ପରେ ବିଦେଶ।

୨୦୧୮ ମସିହା ଜୁନରେ ନୟାଗଡ ଜିଲ୍ଲା ଦଶପଲ୍ଲା ଜଙ୍ଗଲରୁ ଦୁର୍ଦାନ୍ତ ମାଫିଆ ଶ୍ୟାମସୁଦ୍ଦିନ୍ ଖାଁକୁ ଗିରଫ କରାଯାଇଥିଲା। କ୍ରାଇମବ୍ରାଞ୍ଚ ଏସଟିଏଫ୍ ଶାଖା ଏହି ମାମଲାରେ ୫ଜଣଙ୍କୁ ଗିରଫ କରିଥିଲା, ଯେଉଁମାନଙ୍କ ମଧ୍ୟରୁ ଦୁଇଜଣ ମିଜୋରାମର ଥିେଲ। କୌତୂହଳର କଥା ହେଲା, ଶ୍ୟାମସୁଦ୍ଦିନ୍ େଗାଟିଏ ଅନ୍ତର୍ଜାତୀୟ ବନ୍ୟଜୀବ ମାଫିଆ ଥିଲା ଓ ସେ ଵାେଣ୍ଟଡ୍ ଥିଲା, ଏକଥା ବନବିଭାଗ ସେ ପର୍ଯ୍ୟନ୍ତ ଜାଣିପାରିନଥିଲେ। ଏକଥା କିନ୍ତୁ ମିଜୋରାମ ଲିଙ୍କକୁ ସାମ୍ନାକୁ ଆଣିଥିଲା।

୨୦୧୯ ନଭେମ୍ବରରେ ଅନୁଗୁଳ ପାଳଲହଡା ପଟ୍ଟାମୁଣ୍ଡା ଗାଁରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା। ୨ଲକ୍ଷ ଟଙ୍କା ବିନିମୟରେ ଏହି ବଜ୍ରକାପ୍ତା ଚାଲାଣ ହୋଇଥାନ୍ତା, ଦଲାଲ ଧରିବା ପୂର୍ବରୁ ବନ ବିଭାଗ ଧରିଲା। ସେହିଭଳି ଆଠଗଡ ବଜ୍ରକାପ୍ତା ଚୋରାଚାଲାଣ ଘଟଣାେର ପାଖାପାଖି ୧୭ ଜଣ ମାଫିଆ ଗିରଫ ହୋଇଛନ୍ତି। ଆପାତତଃ ଯେତିକି ସୂଚନା ମିଳିଛି, ଭଦ୍ରକ, ବାଲେଶ୍ବର ଦେଇ ମାଫିଆମାନେ କୋଲକାତାକୁ ବଜ୍ରକାପ୍ତା ପଠାଉଛନ୍ତି ଓ ସେଠାରୁ ଏହା ମିଆଁମାର, ଚୀନ ପର୍ଯ୍ୟନ୍ତ ଯାଉଛି। ଏସବୁ ତଥ୍ୟ ସୂଚାଇ ଦେଉଛି େଯ ଓଡ଼ିଶାର ଦୁଇ ପାର୍ଶ୍ବରେ ମାଫିଆ ସକ୍ରିୟ ଅଛନ୍ତି ଓ ନିୟମିତ ବ୍ୟବଧାନରେ ଚୋରାଚାଲାଣ ଜାରି ରହିଛି।

ସମ୍ବନ୍ଧିତ ଖବର