ବଜ୍ରକାପ୍ତା ଚୋରା ଚାଲାଣ : ଡରାଇଦେଲା ଅଲ୍ଲୀର ବୟାନ!

କ୍ରାଇମବ୍ରାଞ୍ଚକୁ ମାମଲା ହସ୍ତାନ୍ତର ପାଇଁ ଚିଠି
ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବୋର୍ଡ ବି ଝୁଲିଛି
ଜେରା କରି ଯିବା ପରେ ଚୁପ୍ ରହିଛନ୍ତି ଅଧିକାରୀ

ଭୁବନେଶ୍ବର : ବିରଳ ବଜ୍ରକାପ୍ତା ଚୋରାଚାଲାଣ ଘଟଣାର କିଙ୍ଗ୍‌ପିନ୍ ବୋଲି କୁହାଯାଉଥିବା ଅଲ୍ଲୀକୁ ଗିରଫ କରାଯିବା ଓ ଘଟଣାରେ ବହୁ ବଡ ବଡ ଲୋକଙ୍କ ସଂପୃକ୍ତି ଥିବା ନେଇ ତାର ବୟାନ ଜଙ୍ଗଲ ଓ ପରିବେଶ ବିଭାଗକୁ ଥରାଇ ଦେଇଛି। ଏହି ଘଟଣାରେ ଥରୁଟିଏ ବି ଘଟଣାସ୍ଥଳକୁ ଯାଇ ସ୍ଥିତି ଯାଞ୍ଚ କରିନଥିବା ବନ ବିଭାଗର ବଡ଼ ବାବୁମାନେ ମାମଲାଟିକୁ ହଠାତ୍ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ଲାଗି ମନ ବଳାଇଛନ୍ତି। ପୂର୍ବରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଶାଖାର ଅଧିକାରୀମାନେ ଆଠଗଡ ଯାଇ ଡିଏଫ୍ଓଙ୍କ ସହିତ ଆଲୋଚନା କରିଥିଲେ ହେଁ ମାମଲାକୁ ହାତେଇବା ଲାଗି ଆଗ୍ରହ ନ ଦେଖାଇ ଫେରିଆସିଥିଲେ। ଏବେ ହଠାତ୍ କଣ ହେଲା ଯେ ବନ ବିଭାଗ ଏଭଳି ଏକ ସମ୍ବେଦନଶୀଳ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଲା, ତାହା ସବୁ ମହଲକୁ ଚକିତ କରିଛି।

ଆଜି ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି ଯେ ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣୀ ରେଞ୍ଜରେ ଯେଉଁ ବଜ୍ରକାପ୍ତା ଚୋରା ଚାଲାଣ ହେଉଛି, ଏ ସଂକ୍ରାନ୍ତ ମାମଲାକୁ କ୍ରାଇମବ୍ରାଞ୍ଚ ହାତକୁ ନେଉ। ପିସିସିଏଫ୍ ଲେଖିଛନ୍ତି ଯେ ଗତ ନଭେମ୍ବର ୩୦ ତାରିଖରେ ଆଠଗଡ ବନଖଣ୍ଡରେ ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଥିଲା। ପରେ ଏହି ମାମଲାରେ ଆଉ ୮ଜଣଙ୍କୁ ଗିରଫ କରାଯାଇଛି। ଏ ସଂକ୍ରାନ୍ତ ତଦନ୍ତ ଜାରି ରହିଛି।

ଗତ ୧୭ ତାରିଖ ଦିନ ଗୋଟିଏ ମୃତ ବଜ୍ରକାପ୍ତା ସହିତ ଜଣଙ୍କୁ ସନ୍ଦେହରେ ଧରାଯାଇଥିଲା। ପରେ ଏହି ଘଟଣାର ଅଧିକ ତଦନ୍ତ କରାଯାଇ ୩ଜଣଙ୍କୁ ଗିରଫ କରାଯାଇଛି। ଜେରା ବେଳେ ସୂଚନା ମିଳୁଛି େଯ ବକ୍ସିବଜାର, କଟକ ଓ ଭଦ୍ରକର କିଛି ବ୍ୟକ୍ତିଙ୍କର ଏହି ମାମଲା ସହିତ ସଂପର୍କ ରହିଛି। ତେବେ ସେ ଯାହାହେଉ, ବଜ୍ରକାପ୍ତା ଚୋରାଚାଲାଣ କରାଯାଇ ଓଡ଼ିଶା ତଥା ଦେଶ ବାହାରକୁ ଯାଉଛି। ଏଣୁ କ୍ରାଇମବ୍ରାଞ୍ଚ ହେଉଛି, ଯୋଗ୍ୟ ତଦନ୍ତକାରୀ ସଂସ୍ଥା, ଯିଏ ବଜ୍ରକାପ୍ତା ଚୋରାଚାଲାଣ ଘଟଣାର ପ୍ରକୃତ ତଦନ୍ତ କରିପାରିବ।
କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଏଯାଏ ତାଙ୍କ ପାଖରେ ଏହି ଚିଠି ପହଞ୍ଚିନାହିଁ। ମାମଲାକୁ ଅନୁଧ୍ୟାନ କରିବା ପରେ କ୍ରାଇମବ୍ରାଞ୍ଚ ଏହାକୁ ହାତକୁ ନେବ କି ନାହିଁ, ସେ ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ନେବ।

ହେଲେ ଏହି ଘଟଣାରେ ଜେରା କରି ଫେରିଥିବା କେନ୍ଦ୍ର ସରକାରଙ୍କ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବୋର୍ଡ କାହିଁକି ନିରବ ରହିଛି, ତାହା ମଧ୍ୟ ବୁଝାପଡୁନାହିଁ। ଦୁଇଜଣ ଅଧିକାରୀ ଆଠଗଡ ଯାଇ ଅପରାଧୀଙ୍କ ସହିତ ଆଲୋଚନା କରିଥିଲେ। ହେଲେ ତା ପରଠାରୁ ଏହି ମାମଲାରେ ଆଉ କଣ ଅଗ୍ରଗତି ଘଟିଲା, ସେ ନେଇ କେହି କିଛି ସୂଚନା ଦେବାକୁ ନାରାଜ।

ଏବେ ଦେଖିବା କଥା କ୍ରାଇମବ୍ରାଞ୍ଚ ଏହି ମାମଲାକୁ ହାତକୁ ନେଉଛି ନା ନାହିଁ? ଯଦି ନେବ ତେବେ ଅପରାଧୀଙ୍କ ପାଖରେ ପହଞ୍ଚି ଏହି ସମ୍ବେଦନଶୀଳ ଚୋରା କାରବାର ଉପରୁ ରହସ୍ୟ ଉଠାଇବ ନା ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବୋର୍ଡ ଭଳି ନିରବ ରହିବ।

ଉଲ୍ଲେଖଯୋଗ୍ୟ ଯେ ଆଠଗଡ ବନଖଣ୍ଡ ଅଧିକାରୀମାନେ ଅଲ୍ଲୀଠାରୁ ଜବତ ମୋବାଇଲରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଥିବା ସୂଚନା ମିଳୁଛି। ଏପରିକି କିଛି ନିର୍ଦିଷ୍ଟ ଅପରାଧୀଙ୍କ ଫଟୋ ସେଥିରୁ ମିଳୁଛି। ଅଲ୍ଲୀ ଜେରା ବେଳେ କହିଥିଲା ଯେ ସେ ମୂଳତଃ ଗଞ୍ଜେଇ ବେପାର କରୁଥିଲା। ଅଧିକ ରୋଜଗାର ନିଶାରେ ବଜ୍ରକାପ୍ତା କାରବାର ଭିତରକୁ ପଶିଛି। ଜଙ୍ଗଲରୁ କଟକ ଯାଏ ତା ମାଧ୍ୟମରେ ହିଁ ବଜ୍ରକାପ୍ତା କାତି ଆସିଥାଏ। ରିମାଣ୍ଡରେ ଆସିଥିବା ଅନ୍ୟ ଦୁଇ ମାଫିଆ ନରସିଂହପୁର ଅଞ୍ଚଳର ଆଉ କିଛି ସହଯୋଗୀଙ୍କ ନାମ ଜେରା ବେଳେ କହିଛି।

ସମ୍ବନ୍ଧିତ ଖବର