କଟକ : ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ସୋମବାର ରିମାଣ୍ଡରେ ଆସିବ ରାକେଟର ମାଷ୍ଟରମାଇଣ୍ଡ ମାଧବ ଚନ୍ଦ୍ର ପାତ୍ର। ଅନ୍ୟପଟେ କିନ୍ତୁ ଅଭିଯୁକ୍ତ ଶ୍ବଶୁର-ଜ୍ବାଇଁଙ୍କୁ ରିମାଣ୍ଡରେ ଆଣିବା ପାଇଁ ଅଦାଲତରୁ ଅନୁମତି ମିଳିପାରିନି। ଫଳରେ ବନବିଭାଗ ପୁଣିଥରେ ସେମାନଙ୍କ ରିମାଣ୍ଡ ପାଇଁ ଆବେଦନ କରିବ ବୋଲି ଜଣାପଡିଛି। ସୋମବାର ଦିନକ ପାଇଁ ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବନବିଭାଗ ମାଧବକୁ ଜେରା କରିବ ବୋଲି ଆଠଗଡ ଡିଏଫ୍ଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି।
ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ଆଠଗଡ ବନବିଭାଗ ଆଉ ଦୁଇ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିଲା। ଗିରଫ ଦି’ଜଣ ହେଲେ ଖୁଣ୍ଟୁଣୀ ଥାନା ନୂଆପାଟଣା ଗ୍ରାମର ଶ୍ବଶୁର ଧ୍ରୁବଚରଣ ସାହୁ ଓ ବାରଙ୍ଗ ଥାନା ଗୋଡ଼ିସାହିର ଜ୍ବାଇଁ ବିଭୂତି ସ୍ବାଇଁ। ଜେରା ସମୟରେ ଏହି ଦି’ଜଣଙ୍କଠାରୁ ବନବିଭାଗ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି। ସେଇ ତଥ୍ୟ ଆଧାରରେ ମାଧବଙ୍କୁ ଧରିବାରେ ବନବିଭାଗ ସକ୍ଷମ ହୋଇଛି। ଏବେ ମାଧବ ଠାରୁ ମିଳିଥିବା ତଥ୍ୟ ଆଧାରରେ ବନବିଭାଗ ବିଭିନ୍ନ ସ୍ଥାନରେ ଚଢଉ ଜାରି କରିଛି। ତେବେ ଶ୍ବଶୁର-ଜ୍ବାଇଁ ଓ ମାଧବଙ୍କୁ ଏକାଠି ବସାଇ ସାମ୍ନାସାମ୍ନି ଜେରାରୁ ବନ ବିଭାଗ ତଥ୍ୟ ଓଗାଳିବାର ଯୋଜନା କରିଥିଲେ ବି ଅଦାଲତ କେବଳ ମାଧବକୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ମାଧବ ପାଖରୁ ବିଭିନ୍ନ ସାଙ୍କେତିକ ମୁଦ୍ରା, ଟଙ୍କା, ବଜ୍ରକାପ୍ତା ଚୋରାଚାଲାଣ ପାଇଁ ଏଜେଣ୍ଟମାନଙ୍କୁ ପଠାଯାଉଥିବା ଗୁରୁତ୍ବପୂର୍ଣ୍ଣ ଭିଡିଓ, ବିଭିନ୍ନ କୋଡ୍ ନମ୍ବର ଓ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ଅନ୍ୟପଟେ ‘ପିପୁଲ୍ସ ଫର୍ ଆନିମଲ୍’ର ସଦସ୍ୟତା କାର୍ଡ ଥିବା ଶୁଭେନ୍ଦୁ ରାଉତରାୟଙ୍କୁ ବନବିଭାଗ ଗିରଫ କରିଥିବା ବେଳେ ତାଙ୍କ ଠାରୁ ମଧ୍ୟ ଅନେକ ତଥ୍ୟ ହାସଲ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/BAJRAKAPTA.jpg)