ବଜ୍ରକାପ୍ତା ଚୋରା ଚାଲାଣ : ଧରାପଡ଼ିଲା ନୀଳଭାଇ

ବଡ଼ବଡିଆଙ୍କ ଜରିଆରେ ଖସାଉଥିଲା ଅପରାଧୀଙ୍କୁ; ଭୁବନେଶ୍ବରରେ ଘର, ନୟାଗଡ଼ରେ ଲୁଚିଥିଲା

ଭୁବନେଶ୍ବର : ବିରଳ ବଜ୍ରକାପ୍ତା ଚୋରାଚାଲାଣ ଘଟଣା ଧୀରେ ଧୀରେ ନାଟକୀୟ ମୋଡ଼ ନେବାରେ ଲାଗିଛି। ଏହି ଘଟଣାର କିଙ୍ଗ୍‌ପିନ୍ ବୋଲି କୁହାଯାଉଥିବା ଅଲ୍ଲୀର ପ୍ରମୁଖ ସହଯୋଗୀ ନୀଳକଣ୍ଠ ନାୟକ ଓରଫ୍ ନୀଳଭାଇକୁ ଆଜି ବନ ବିଭାଗ ଅଧିକାରୀମାନେ କାବୁ କରିଛନ୍ତି। ଭୁବନେଶ୍ବର ୬ନମ୍ବର ଅଞ୍ଚଳରେ ରହୁଥିବା ନୀଳକଣ୍ଠ ବନ ବିଭାଗ, ଲୋକସେବା ସଦନରେ ଦଲାଲ ଭାବେ କାମ କରେ ଓ ମାଫିଆଙ୍କ ବଡ଼ ସହଯୋଗୀ ବୋଲି ପ୍ରାରମ୍ଭିକ ଖବରରୁ ପ୍ରକାଶ।

ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ନୀଳକଣ୍ଠର ଭୁବନେଶ୍ବର ଘରେ ଛାନଭିନ୍ କରାଯାଇଥିଲା। ସେଠାରେ ତାର ଏକ ଦୋକାନ ରହିଛି। ହେଲେ ସେ ମୋବାଇଲ ବନ୍ଦ କରି ଭୁବନେଶ୍ବର ଛାଡି ଚାଲିଯାଇଥିଲା। ପରେ ଖବର ମିଳିଥିଲା େଯ ସେ ନୟାଗଡ ଅଞ୍ଚଳରେ ଲୁଚି ରହିଛି। ସେ ବ୍ୟବହାର କରୁଥିବା ଅନ୍ୟ ଏକ ମୋବାଇଲକୁ ଟ୍ରାକିଂ କରି ବନ ବିଭାଗ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ ଓ ଆଜି ଅପରାହ୍ନରେ ତାକୁ ଗିରଫ କରାଯାଇଛି।

ଏହି ଗିରଫଦାରି ସଂପର୍କରେ ଡିଏଫ୍ଓ ଅଧିକ କିଛି କହିବାକୁ ମନା କରିଦେଇଥିଲେ ହେଁ, ଅଲ୍ଲୀ-ନୀଳକଣ୍ଠ ସଂପର୍କରେ ବନ ବିଭାଗ ଅଧିକାରୀମାନଙ୍କ ଠାରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଅଲ୍ଲୀ ପ୍ରଥମେ ନୀଳକଣ୍ଠର ନାଁ ନେଇଥିଲା। ବଡ଼ ବଡ଼ିଆ ଅଧିକାରୀଙ୍କୁ ପ୍ରଭାବିତ କରି ନୀଳକଣ୍ଠ ବହୁ ଅସମ୍ଭବ କାମ ସମ୍ଭବ କରୁଥିଲା ବୋଲି ଅଲ୍ଲୀ ସୂଚନା ଦେଇଥିଲା। କେବଳ ସେତିକି ନୁହେଁ, ତାକୁ ଯେତେବେଳେ ବନ ବିଭାଗ ଅଧିକାରୀମାନେ ଧରିଥିଲେ, ସେତେବେଳେ ସେ ପ୍ରଥମେ ନୀଳକଣ୍ଠକୁ ହିଁ ଫୋନ କରି ଜଣାଇଥିଲା। ଏହିଠାରୁ ବନ ବିଭାଗ ଅଧିକାରୀମାେନ ନୀଳକଣ୍ଠ ପଛରେ ପଡିଥିଲେ। ପରେ ଜେରାବେଳେ ନୀଳକଣ୍ଠ ଜରିଆରେ ସେମାନେ କିଭଳି ବଡ଼ ବଡ଼ ଜାଗାରୁ ଖସୁଥିଲେ, ସେ ନେଇ ସୂଚନା ଦେଇଥିଲା ଅଲ୍ଲୀ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ରାକେଟ୍ ଆଠଗଡ଼, ଭୁବନେଶ୍ବର, କଟକ, ଢେଙ୍କାନାଳ, ନୟାଗଡ, ଭଦ୍ରକରେ ବେଶ୍ ସକ୍ରିୟ ଅଛି। ଏଣୁ ବନ ବିଭାଗ ପୁଣି ଥରେ ଅଲ୍ଲୀ ଓ ତା ସହିତ ଜେଲକୁ ଯାଇଥିବା ତାର ଦୁଇ ସହଯୋଗୀକୁ ପୁଣି ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଛି। ଏମାନଙ୍କ ସହିତ ନୀଳକଣ୍ଠକୁ ମୁହାଁମୁହିଁ ବସାଇ ଜେରା କରାଯିବ।

ପ୍ରକାଶଥାଉକି, ଅଲ୍ଲୀ ଗିରଫ ପରେ ବଜ୍ରକାପ୍ତା ଚୋରାଚାଲାଣ ଘଟଣାର ବଡ଼ବଡିଆ ଲିଙ୍କ୍ ପଦାକୁ ଆସିଥିଲା। ନିେଜ ଅଲ୍ଲୀ ବନ ବିଭାଗକୁ ଧମକାଇଥିଲା େଯ ତା ଭଳି ଛୋଟ ଛୋଟ ଅପରାଧୀଙ୍କୁ ଧରିବା ପରିବର୍ତେ ବଡ଼ବଡିଆଙ୍କୁ ଧର। ଅଲ୍ଲୀ କାହାକୁ ଲକ୍ଷ୍ୟ କରି ଏଭଳି କହିଥିଲା, ତାହା ଜଣାପଡିନାହିଁ। ତେବେ କଟକ ଏକ ଅପରାଧୀ ଗ୍ୟାଙ୍ଗ ସହିତ ବଜ୍ରକାପ୍ତା ଚୋରା ଚାଲାଣ ଲିଙ୍କ୍ ରହିଛି, ଏହାର ଆଭାସ ବନ ବିଭାଗକୁ ମିଳିଛି।

ସେପଟେ ପ୍ରସଙ୍ଗଟି ବିବାଦୀୟ ମୋଡ ନେଇଥିବାରୁ ପ୍ରଧାନ ବନ୍ୟଜୀବ ମୁଖ୍ୟ ସଂରକ୍ଷକ ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିବା ଲାଗି ନିବେଦନ କରିଥିଲେ, ଯାହା ଉପରେ ସଂପୃକ୍ତ ଅଧିକାରୀ ଏଯାଏ ନିରବ ଅଛନ୍ତି।

ସମ୍ବନ୍ଧିତ ଖବର